୨୦୧୮-୧୯ ମାର୍କେଟିଂ ସିଜିନ୍ ପାଇଁ ଆଜି ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରିପାରନ୍ତି କେନ୍ଦ୍ର ସରକାର

Published By : Prameya-News7 Bureau | July 04, 2018 IST

୨୦୧୮-୧୯ ମାର୍କେଟିଂ ସିଜିନ୍ ପାଇଁ ଆଜି ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରିପାରନ୍ତି କେନ୍ଦ୍ର ସରକାର । ଧାନ, ମକା, ଖରାଟିଆ ଡାଲି ଏବଂ ଖରିଫ୍ ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରାଯିବ । ଏନେଇ ପୂର୍ବରୁ ବଜେଟରେ ନିଷ୍ପତ୍ତି ହୋଇଥିବା ବେଳେ ଆଜି କେନ୍ଦ୍ର କ୍ୟାବିନେଟ୍ ଘୋଷଣା କରିବେ । ଉତ୍ପାଦନ ମୂଲ୍ୟର ୫୦ ପ୍ରତିଶତ ବୃଦ୍ଧି କରିବାକୁ ସରକାର ବଜେଟରେ କହିଥିଲେ । ଧାନର ସହାୟକ ମୂଲ୍ୟ ଏବେ କ୍ବିଣ୍ଟାଲ୍ ପିଛା ୧୫୫୦ ଟଙ୍କା ରହିଛି । ଯାହାକୁ କେନ୍ଦ୍ର ସରକାର ୧୭୫୦ ଟଙ୍କା କରିପାରନ୍ତି । ବର୍ତ୍ତମାନ ପରିସ୍ଥିତିରେ କୃଷିଜାତ ଉତ୍ପାଦର ସର୍ବନିମ୍ନ ସହାୟକ ମୂଲ୍ୟ ବା ସରକାରୀ ଦାମ, କେବଳ ବଡ଼ ଚାଷୀଙ୍କୁ ସୁହାଉଛି । ତେଣୁ ଏଭଳି ସ୍ଥିତିରେ ସରକାର, ଅମଳ ଶୈଳୀ ଉପରେ ଅଧିକ ଗୁରୁତ୍ବ ଦେଇପାରନ୍ତି । ଏମିତି ହେଲେ ଅଧିକରୁ ଅଧିକ ଚାଷୀ ସର୍ବନିମ୍ନ ସହାୟକ ମୂଲ୍ୟର ସୁବିଧା ପାଇପାରିବେ । MSP, କୃଷକମାନଙ୍କ ଆୟ ବଢାଇପାରିବ ବୋଲି ସବୁ ମହଲରୁ ଦାବି ହେଉଛି । କିନ୍ତୁ କୃଷି ଦୃଷ୍ଟିକୋଣରୁ ଦେଖିଲେ, ଏହା ସବୁ ରାଜ୍ୟର ଚାଷୀଙ୍କୁ ସନ୍ତୁଷ୍ଟ କରିପାରିବ ନାହିଁ । MSP ସବୁ ବର୍ଗର ଚାଷୀଙ୍କ ଆୟ ବୃଦ୍ଧି କରିପାରିବ ନାହିଁ ବୋଲି ପୂର୍ବରୁ ନିତି ଆୟୋଗ ସଦସ୍ୟ ରମେଶ ଚାନ୍ଦ ସରକାରଙ୍କୁ କହି ସାରିଛନ୍ତି । ତେବେ ୨୦୧୯ ନିର୍ବାଚନ ପାଖେଇ ଆସୁଥିବା ବେଳେ ସରକାରଙ୍କ MSP ଘୋଷଣ ଉପରେ ଅନେକ କିଛି ନିର୍ଭର କରୁଛି । ବିଭିନ୍ନ ରାଜନୈତିକ ଦଳ ଏହା ଉପରେ ତୀକ୍ଷଣ ନଜର ରଖିଛନ୍ତି । କାରଣ ୨୦୧୪ ପୂର୍ବରୁ ଚାଷୀଙ୍କ ଆୟ ଦେଢ଼ ଗୁଣା କରିଦେବାକୁ ପ୍ରତିଶ୍ରୁତି ଦେଇଥିବା ମୋଦି ସରକାର ସେଥିରେ ବିଫଳ ହୋଇଛି । ପୁଣି ନିକଟରେ ଦେଶର ବିଭିନ୍ନ ଅଞ୍ଚଳର ଚାଷୀମାନଙ୍କ ସହ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ, ଦୁଇ ଗୁଣାର ଲୋଭ ଦେଖାଇଛନ୍ତି । ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣା କରିଦେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଭଳି ସ୍ଥିତିରେ ଆଜିର MSP ଉପରେ ରହିବ ସାରା ଦେଶର ନଜର । ...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.