ଆଜାଦ ହିନ୍ଦ ଫୌଜ ଗଠନର ୭୫ ବର୍ଷ ଅବସରରେ ଲାଲକିଲ୍ଲାରେ ତ୍ରିରଙ୍ଗା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
21/10/2018 at 6:27 PM

ଦିଲ୍ଲୀ ୨୧/୧୦ : ଆଜି ନଥିଲା ଅଗଷ୍ଟ ୧୫ କିନ୍ତୁ ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ଉଡ଼ାଇଥିଲେ ତ୍ରିରଙ୍ଗା। ଦେଶକୁ ସମ୍ବୋଧନ କରିଥିଲେ। ଆଉ ମୋଦିଙ୍କୁ ଏକ ଭିନ୍ନ ବେଶଭୂଶାରେ ଦେଖିବାକୁ ମିଳିଥିଲା। ଅବସର ଥିଲା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନେତୃତ୍ବରେ ୧୯୪୩ରେ ଆଜାଦ ହିନ୍ଦ୍ ସରକାର ଗଠନର ୭୫ ବର୍ଷ ପାଳନ।
ଲାଲକିଲ୍ଲାରେ ତ୍ରିରଙ୍ଗା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜାଦ ହିନ୍ଦ ସରକାରର ୭୫ ବର୍ଷ ଅବସରରେ ନେତାଜୀଙ୍କୁ ମନେ ପକାଇବା ଉଦ୍ଦେଶ୍ୟରେ ଆୟୋଜିତ ହୋଇଥିଲା ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ। ଆଜାଦ ହିନ୍ଦ ଫୌଜର ଟୋପି ପିନ୍ଧି ମଞ୍ଚକୁ ଆସିଥିଲେ ମୋଦି। ସାଙ୍ଗରେ ଉପସ୍ଥିତ ଥିଲେ ନେତାଜୀଙ୍କ ଅଣନାତି ଚନ୍ଦ୍ରକୁମାର ବୋଷ, ଆଜାଦ ହିନ୍ଦର ସଦସ୍ୟ ରହିଥିବା ଲାଲତି ରାମ ପ୍ରମୁଖ । ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନ କରି ନେତାଜୀଙ୍କ ଅଖଣ୍ଡ ଭାରତ ସ୍ବପ୍ନକୁ ସ୍ମରଣ କରିଥିଲେ। ଆଉ ଏଥିସହିତ ନେହେରୁଙ୍କ ଭାରତ ଓ ନେତାଜୀଙ୍କ ଭାରତ ମଧ୍ୟ ତୁଳନା କରିଥିଲେ। ସେହିପରି ପ୍ରାକୃତିକ ବିପର୍ଯ୍ୟୟରେ କାର୍ଯ୍ୟ କରୁଥିବା ଯବାନଙ୍କୁ ଉଦ୍ଦେଶ୍ୟରେ ନେତାଜୀ ସମ୍ମାନ ଘୋଷଣା କରିଛନ୍ତି। ଏହା ନେତାଜୀ ଜୟନ୍ତୀ ଜାନୁୟାରୀ ୨୩ରେ ପ୍ରଦାନ କରାଯିବ।
ଯେତେବେଳେ ଇଂରେଜଙ୍କ ବିରୋଧରେ ଦେଶ ଭିତରୁ ସଂଗ୍ରାମ ଜୋରଦାର ହୋଇଥିଲା। ସେତେବେଳେ ଦେଶ ବାହାରୁ ସ୍ବାଧୀନ ଭାରତ ବର୍ଷର ସ୍ବପ୍ନ ଦେଖିଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ। ୨୧ ଅକ୍ଟୋବର ୧୯୪୩ରେ ସିଙ୍ଗାପୁରରେ ଗଠନ କରିଥିଲେ ଆଜାଦ ହିନ୍ଦ ସରକାର। ପରବର୍ଷ ଅଗଷ୍ଟ ୧୪ରେ ଆଜାଦ ହିନ୍ଦ ସେନା ମଣିପୁରର ମଇରାଙ୍ଗ ଅକ୍ତିଆର କରିଥିଲା। ୪ ମାସ ସେଠାରେ ଆଜାଦ ହିନ୍ଦ ସରକାରର ସ୍ବତନ୍ତ୍ର ମୁଦ୍ରା ସ୍ବତନ୍ତ୍ର ଡାକ ଟିକେଟ ରହିଥିଲା। ଯାହାକୁ ୧୧ଟି ଦେଶ ସ୍ବୀକର ମଧ୍ୟ କରିଥିଲା। ଏହି ସମୟରେ ନେତାଜୀଙ୍କୁ ସମର୍ଥନ କରିଥିବା ତିନି INA ଅଫିସରଙ୍କୁ ଲାଲକିଲ୍ଲାରେ ଦେଶଦ୍ରୋହୀ ଘୋଷଣା କଲେ ଇଂରେଜ ସରକାର। ଦେଶ ମନେ ପକାଇଛି ଏସବୁ ଇତିହାସ। ଏସବୁ ସ୍ମୃତି ବହନ କରିଥିବା ଏକ ମ୍ୟୁଜିୟମ ଲାଲକିଲ୍ଲାରେ ପ୍ରତିଷ୍ଠା କରାଯିବ ।
ଲାଲକିଲ୍ଲାରେ ପତାକା ଉତ୍ତୋଳନ କରି ପ୍ରଧାନମନ୍ତ୍ରୀ ମୋଦି ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ସ୍ବାଧୀନତା ଦିବସ ଭିନ୍ନ ଏକ ଦିବସରେ ସେ ଲାଲକିଲ୍ଲାରେ ପତାକା କରି ଭିନ୍ନ ଢଙ୍ଗରେ ଦୃଷ୍ଟି ଆକର୍ଷଣ କରିଛନ୍ତି।