ବଢ଼ୁଥିବା କରୋନା ସଂକ୍ରମଣ ମଧ୍ୟରେ ପିଏମ୍ ମୋଦୀଙ୍କ ସମୀକ୍ଷା ବୈଠକ, ଜିନୋମ୍ ସିକ୍ବେନ୍ସିଂ ବଢ଼ାଇବା ଉପରେ ଦେଲେ ଗୁରୁତ୍ବ
22/03/2023 at 9:42 PM

ନୂଆଦିଲ୍ଳୀ, ୨୨/୦୩: ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପରେ କେନ୍ଦ୍ର ଏବଂ ରାଜ୍ୟ ସରକାର ସତର୍କ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ସନ୍ଧ୍ୟାରେ ଏକ ସମୀକ୍ଷା ବୈଠକ କରିଛନ୍ତି। ଏହି ସମୟରେ କରୋନା ଏବଂ ଏଚଏନ ୨ ଏନଫ୍ଲୁଏଞ୍ଜା ଭାଇରସର ବଢ଼ୁଥିବା ସଂକ୍ରମଣକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ସାବଧାନ, ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଅନୁଯାୟୀ, ପିଏମ ମୋଦୀ ଜିନୋମ୍ ସିକ୍ବେନ୍ସିଂ, ଗୁରୁତର ଶ୍ବସନ ସଂକ୍ରମଣ, ଲାବ୍ ପରୀକ୍ଷଣ ବଢ଼ାଇବାକୁ ଆହ୍ବାନ କରିଛନ୍ତି। ଏହି ବୈଠକରେ ଗୃହ ମନ୍ତ୍ରୀ ଅମିତ ଶାହ, ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିୟା, ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭେୟ, ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ, ଆଇସିଏମଆରର ରାଜୀବ ବହଲ, ନୀତି ଆୟୋଗ ବିକେ ପଲ୍ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।
ବୁଧବାର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଜାରି ତଥ୍ୟ ଅନୁଯାୟୀ, ଦେଶରେ କରୋନା ଭାଇରସର ୧୧୩୪ ନୂଆ ସଂକ୍ରମଣ ସାମ୍ନାକୁ ଆସିଛି। ଏହା ପରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ବଢ଼ି ୭୦୨୬ ରେ ପହଞ୍ଚିଛି।