ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ରାଜ୍ୟ ଗୁଡିକର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ଉପରାଜ୍ୟପାଳଙ୍କ ସହ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଛନ୍ତି । ଏହି ସମୟରେ ଭାରତର ଜି-୨୦ ଅଧ୍ୟକ୍ଷତା ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଚର୍ଚ୍ଚା କରାଯାଇଥିଲା । ପିଏମ ମୋଦୀ ବୈଠକରେ କହିଥିଲେ ଯେ ଭାରତକୁ ମିଳିଥିବା ଜି-୨୦ ଅଧ୍ୟକ୍ଷତା ସାରା ଦେଶର, ଏହା ଦେଶର ଶକ୍ତି ପ୍ରଦର୍ଶନର ସମୟ ଅଟେ ।
ପିଏମଓ ଅନୁସାରେ, ପିଏମ ମୋଦୀ ବିଭିନ୍ନ ଜି-୨୦ ଆୟୋଜନରେ ରାଜ୍ୟ, କେନ୍ଦ୍ରଶାସିତ ପ୍ରଦେଶର ସହଯୋଗ କାମନା କରିଛନ୍ତି । ସେ କହିଛନ୍ତି ଯେ ଜି-୨୦ର ଅଧ୍ୟକ୍ଷତା ପାରମ୍ପାରିକ ମହାନଗରରୁ ବାହାରେ ଭାରତର ଅନ୍ୟ ସ୍ଥାନକୁ ଆଗକୁ ବଢିବାର ସୁଯୋଗ ଦେବ । ଏହା ମାଧ୍ୟମରେ ଆମ ଦେଶର ପ୍ରତ୍ୟେକ ସ୍ଥାନର ବିଶିଷ୍ଟତା ସାମନାକୁ ଆସିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ୱର ୧୧ରେ ମହାରାଷ୍ଟ୍ର ଏବଂ ଗୋଆ ଗସ୍ତରେ ଯିବେ । ମହାରାଷ୍ଟ୍ରରେ ପିଏମ ମୋଦୀ ୭୫ ହଜାର କୋଟି ଟଙ୍କାର ବିଭିନ୍ନ ପରିଯୋଜନାର ଶିଳାନ୍ୟାସ ଏବଂ ଉଦଘାଟନ କରିବେ । ପିଏମ ମୋଦୀ ନାଗପୁର ଏବଂ ବିଳାସପୁରକୁ ଯୋଡୁଥିବା ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇବେ । ଏହାପରେ ନାଗପୁର ଏମ୍ସର ଉଦଘାଟନ କରିବେ । ଏହାପରେ ଗୋଆରେ ପ୍ରଧାନମନ୍ତ୍ରୀ ମୋଦୀ ମୋପା ଅନ୍ତର୍ଜାତୀୟ ବିମାନ ବନ୍ଦରର ଉଦଘାଟନ କରିବେ । ଏହି ବିମାନ ବନ୍ଦରକୁ ପ୍ରାୟ ୨୮୭୦ କୋଟି ଟଙ୍କାରେ ବିକଶିତ କରାଯାଇଛି । ୨୦୧୬ରେ ପ୍ରଧାନମନ୍ତ୍ରୀ ଏହାର ଶିଳାନ୍ୟାସ କରିଥିଲେ ।