ରାଜକୋଷରୁ ଟଙ୍କାଟିଏ ବି ବ୍ୟକ୍ତିଗତ ଖର୍ଚ୍ଚ କରନ୍ତି ନାହିଁ, ମେଡିକାଲ ଖର୍ଚ୍ଚ ବି ନିଜେ ବହନ କରନ୍ତି ପ୍ରଧାନମନ୍ତ୍ରୀ: ଆରଟିଆଇ

Published By : Prameya-News7 Bureau | January 09, 2023 IST

ନୂଆଦିଲ୍ଳୀ, ୦୯/୦୧: ବିଶ୍ବର ଜଣେ ଲୋକପ୍ରିୟ ନେତା ଭାବରେ ପରିଚିତ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନିଜ କାମକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ମୋଦୀ। କିନ୍ତୁ ବିରୋଧୀ ପ୍ରଧାନମନ୍ତ୍ରୀଙ୍କ ଉପରେ ହେଉଥିବା ଖର୍ଚ୍ଚକୁ ନେଇ ଅନେକ ଥର ସମୟରେ ସମାଲୋଚନା କରିଥାନ୍ତି। ଏମିତିକି ମୋଦୀଙ୍କ ବିଭିନ୍ନ ଗସ୍ତ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥାନ୍ତି ବିରୋଧୀ। ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କୁ ନେଇ ଆସିଛି ଏକ ଆରଟିଆଇ ତଥ୍ୟ। ଯେଉଁଥିରେ ତାଙ୍କର ହସ୍ପିଟାଲ ଖର୍ଚ୍ଚ ବିଷୟରେ କୁହାଯାଇଛି। ଏହି ତଥ୍ୟ ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ନିଜ ଚିକିତ୍ସା ଖର୍ଚ୍ଚ ନିଜେ ବହନ କରିଥାନ୍ତି।

ପୁଣେର ସୂଚନା ଅଧିକାର କର୍ମୀ ପ୍ରଫୁଲ ସାରଦାଙ୍କ ଆରଟିଆଇ ଆବେଦନରେ ଏହି ଉତ୍ତର ମିଳିଛି। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ସରକାରୀ ଅର୍ଥରୁ ଖର୍ଚ୍ଚ କରାଯାଏ ନାହିଁ। ଆରଟିଆଇ ତଥ୍ୟରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ନିଜର ସମସ୍ତ ମେଡିକାଲ ଖର୍ଚ୍ଚ ନିଜେ ବହନ କରିଥାନ୍ତି। ଟଙ୍କାଟିଏ ବି ସରକାରୀ ଅର୍ଥରୁ ଖର୍ଚ୍ଚ କରିନଥାନ୍ତି।

ପିଏମଓ କାର୍ଯ୍ୟାଳୟର ସଚିବ ବିନୋଦ ବିହାରୀ ସିଂହ କହିଛନ୍ତି ଯେ ବଜେଟ୍‌ରୁ ଟଙ୍କାଟିଏ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ଚିକିତ୍ସା ଖର୍ଚ୍ଚରେ ବ୍ୟବହୃତ ହୋଇନଥାଏ। ଏମିତିକି ପ୍ରଧାନମନ୍ତ୍ରୀ ନିଜର କୌଣସି ବି ବ୍ୟକ୍ତିଗତ କାମ ପାଇଁ ମଧ୍ୟ ସରକାରୀ ଅର୍ଥ ବ୍ୟବହାର କରିନଥାନ୍ତି। ସେ କହିଛନ୍ତି ୨୦୧୪ ରୁ ଆଜି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ଚିକିତ୍ସାରେ ଟଙ୍କା ଟିଏ ମଧ୍ୟ ଖର୍ଚ୍ଚ ହୋଇନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.