ମୁମ୍ବାଇ ୧୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ‘ଶୁଭ ଆଶିର୍ବାଦ’ ଉତ୍ସବରେ ଯୋଗ ଦେଇଛନ୍ତି। ମୁମ୍ବାଇସ୍ଥିତ ଜିଓ ୱାର୍ଲଡ କନଭେନସନ ସେଣ୍ଟରରେ ମୁକେଶ ଅମ୍ବାନୀ ଓ ତାଙ୍କ ପତ୍ନୀ ନିତା ଅମ୍ବାନୀ ମୋଦିଙ୍କୁ ସ୍ୱାଗତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ସବୁ ଆମନ୍ତ୍ରିତ ଅତିଥିଙ୍କୁ ହାତ ଯୋଡି ଅଭିବାଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଆସନ ଗ୍ରହଣ କରିବା ପୂର୍ବରୁ ବିବାହ ଉତ୍ସବକୁ ଆସିଥିବା ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଅଭିବାଦନ ସ୍ୱୀକାର କରିଥିଲେ।
Honourable PM Modi sir in grand Ambani wedding #AmbaniFamilyWedding #AmbaniWedding pic.twitter.com/OrdE4NSLRl
— Dr Gautam Bhansali (@bhansaligautam1) July 13, 2024
ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ଧାଡିରେ ମୁକେଶ ଅମ୍ବାନୀ ଓ ଅନନ୍ତ ଅମ୍ବାନୀଙ୍କ ସହ ବସିଥିବା ଦେଖାଯାଇଛନ୍ତି। ଏହି ଛବି ଏବେ ସୋସିଆଲ ମିଡିଆରେ ସେୟାର ହୋଇଥିବା ବେଳେ ଭାଇରାଲ ହୋଇଯାଇଛି। ପ୍ରଧାନମନ୍ତ୍ରୀ ମୋଦି ୧୩ ଜୁଲାଇ ଶନିବାର ମୁମ୍ବାଇ ପହଞ୍ଚିଥିଲେ ଓ ଚର୍ଚ୍ଚିତ ବିବାହଉତ୍ସବରେ ଯୋଗ ଦେବା ପୂର୍ବରୁ ୨୯,୪୦୦କୋଟିରୁ ଅଧିକ ବ୍ୟୟରେ ହେବାକୁ ଥିବା ଅନେକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।
ଗତ କିଛିମାସ ହେବ ଚାଲିଥିବା ଭବ୍ୟ ପ୍ରିୱେଡିଂ ଉତ୍ସବ ପରେ ଅମ୍ବାନୀ ପରିବାରର ସର୍ବ କନିଷ୍ଠ ପୁତ୍ର ଅନନ୍ତ ଅମ୍ବାନୀ ଶୁକ୍ରବାର ଫାର୍ମା ଦିଗ୍ଗଜ ବୀରେନ ଓ ଶୈଲା ମର୍ଚ୍ଚାଣ୍ଟଙ୍କ କନ୍ୟା ରାଧିକା ମର୍ଚ୍ଚାଣ୍ଟଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏହି ବିବାହ ଉତ୍ସବରେ ବଲିଉଡ, ହଲିଉଡ ଷ୍ଟାରଙ୍କ ସମେତ ଦେଶବିଦେଶର ଉଦ୍ୟୋଗପତି ଓ ରାଜନେତା ମଧ୍ୟ ଯୋଗ ଦେଇଛନ୍ତି।