କାର୍ଗିଲରେ ପ୍ରଧାନମନ୍ତ୍ରୀ ମୋଦୀ: ସେନାକୁ ସମ୍ବୋଧନ କରି କହିଲେ- ଦୀପାବଳିର ପ୍ରକୃତ ଅର୍ଥ ଆତଙ୍କକୁ ଶେଷ କରି ଉତ୍ସବ ପାଳନ କରିବା

Published By : Prameya-News7 Bureau | October 24, 2022 IST

ନୂଆଦିଲ୍ଲୀ: ସବୁଥର ପରି ଏଥର ବି ସେନା ଯବାନ ସହ ଦୀପାବଳି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିପାଇଁ ସୋମବାର ପ୍ରଧାନମନ୍ତ୍ରୀ କାର୍ଗିଲରେ ପହଞ୍ଚି ଯବାନମାନଙ୍କୁ ସମ୍ବୋଧନ କରି ମୋ ପରିବାର ବୋଲି କହିଛନ୍ତି। ସେ କହିଛନ୍ତି ଯେ ସେନା ଯବାନ ହିଁ ମୋର ପରିବାର ଆଉ ଏହାଠାରୁ ଉତ୍ତମ ଦୀପାବଳି ଉତ୍ସବ ହୁଏତ ଆଉ ନଥିବ।

ଚଳିତ ଥରକୁ ମିଶାଇ ମୋଦୀ ସେନା ଯବାନଙ୍କ ସହ ୯ମ ଥର ଦୀପାବଳି ପାଳନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ମଧ୍ୟ ଦୀପାବଳି ପାଳନ କରିବାକୁ କାରଗିଲ୍‌ରେ ପହଞ୍ଚିଥିଲେ।

ଏହି ଅବସରରେ ଯବାନଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଶାନ୍ତି ବିନା ସାମର୍ଥ୍ୟ ସମ୍ଭବ ନୁହେଁ। ତେଣୁ ଏହାକୁ ଦୃଷ୍ଟିରେ ରଖି ସରକାର ସବୁବେଳେ ଯୁଦ୍ଧକୁ ଶେଷ ବିକଳ୍ପ ଭାବରେ ରଖି ଆସିଛି ବୋଲି ମୋଦୀ କହିଛନ୍ତି। ଦୀପାବଳିର ପ୍ରକୃତ ଅର୍ଥ ଆତଙ୍କକୁ ଶେଷ କରି ଉତ୍ସବ ପାଳନ କରିବା ବୋଲି ସେ କହିଛନ୍ତି।

 ସେନା ଯବାନଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି କାରଗିଲ୍‌ରେ ପାକିସ୍ତାନ ସହ ହୋଇଥିବା ଏମିତି ଗୋଟିଏ ବି ଯୁଦ୍ଧ ନାହିଁ ଯେଉଁଥରେ ଭାରତ ପାକିସ୍ତାନକୁ ଧୂଳି ଚଟାଇ ନାହିଁ। କାର୍ଗିଲ୍‌ରେ ଆମର ସେନା ଆତଙ୍କୀଙ୍କ ଫଣାକୁ ଦମନ କରିଥିଲା ଏବଂ ଦେଶରେ ବିଜୟର ଏଭଳି ଦୀପାବଳି ପାଳନ କରାଯାଇଥିଲା ଯାହାକୁ ଲୋକେ ଆଜି ବି ମନେପକାଉଛନ୍ତି।

ଆତଙ୍କବାଦ ବିରୋଧରେ ଲଢ଼େଇର ପ୍ରଶଂସା କରି ଯବାନମାନଙ୍କୁ ମୋଦୀ କହିଛନ୍ତି ଯେ ଦ୍ରାସ, ବଟଲିକ୍ ଏବଂ ଟାଇଗର ହିଲ୍ ଆପଣମାନଙ୍କ ସାହସର ସାକ୍ଷୀ। କାରଗିଲରେ ଆମର ସୈନିକ ଆତଙ୍କବାଦକୁ ହରାଇବାରେ ସଫଳ ହୋଇଛନ୍ତି। ଏହି ଘଟଣା ମୁଁ ନିଜେ ସାକ୍ଷୀ ବୋଲି ମୋଦୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.