କଟକରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ- ୨୫ ବର୍ଷ ପରେ ଓଡିଶା ଇତିହାସ ରଚିବ

Published By : Prameya-News7 Bureau | May 20, 2024 IST

କଟକ ୨୦।୦୫ : ଅନୁଗୁଳ ପରେ କଟକ ଜନସଭାରେ ଯୋଗଦେଲେ ପ୍ରଧାନମନ୍ତ୍ରୀ । ଜୟ ଶ୍ରୀରାମ ଏବଂ ଜୟ ଜୟ ଜଗନ୍ନାଥ କହି ସମ୍ବୋଧନ ଆରମ୍ଭ କରିଲେ ପ୍ରଧାନମନ୍ତ୍ରୀ । କଟକ ହେଉଛି ଦେଶର ପ୍ରାଚୀନ ସହର ମଧ୍ୟରୁ ଅନ୍ୟତମ । ତେଣୁ ଆଜି କଟକ ଜନସଭାକୁ ସମ୍ବୋଧିତ କରି ମୁଁ ଗର୍ବିତ । 

କଟକ ଜନସଭାରେ ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଆପଣଙ୍କ ଉତ୍ସାହ କହୁଛି ୨୫ ବର୍ଷ ଧରି ଚାଲିଥିବା ଶାସନ ଏଥର ବଦଳିବ । ଆଉ ଓଡିଶାରେ ବିଜେପିର ଡବଲ ଇଞ୍ଜିନ ସରକାର ହେବ।  ଏହାସହିତ ଦିଲ୍ଲୀରେ ତୃତୀୟ ଥର ଲାଗି ସରକାର ଗଢିବାକୁ ଯାଉଛି ବିଜେପି । ତେବେ ୨୫ ବର୍ଷ ଧରି ଓଡିଶାରେ ଶାସନ କରୁଥିବା ବିଜେଡି ସରକାର ରାଜ୍ୟକୁ କଣ ଦେଉଛି ? ଦେଇଛି ତ କେବଳ ଲ୍ୟାଣ୍ଡ ମାଫିଆ, ସ୍ୟାଣ୍ଡ ମାଫିଆ, କୋଲ ମାଫିଆ, ମାଇନିଂ ମାଫିଆ । ବିଧାୟକ ଏବଂ ମନ୍ତ୍ରୀମାନେ ସର୍ବଦା ଦୁର୍ନୀତିରେ ଲିପ୍ତ ରହୁଛନ୍ତି । 

ଓଡିଶାରେ ନୂଆ ଇତିହାସ ସୃଷ୍ଟି କରିବାକୁ ଯାଉଛି ବିଜେପି । ଆଗାମୀ ଦିନରେ ରାଜ୍ୟରେ ଡବଲ୍‌ ଇଞ୍ଜିନ ସରକାର ପରେ ବିକାଶ ଅଭିମୁଖେ ଅଗ୍ରସର ହେବ ରାଜ୍ୟ । ଏହାସହିତ ନୂଆ ନୂଆ ରୋଜଗାର ମଧ୍ୟ ସୃଷ୍ଟି ହେବ । ଏହି ନିର୍ବାଚନ ସମୟରେ ମୁଁ ଓଡିଶାର ସମସ୍ତ ଜିଲ୍ଲାକୁ ପ୍ରାୟ ଗସ୍ତ କରିସାରିଛି । ତେଣୁ ପରିବର୍ତ୍ତନ ନିଶ୍ଚିତ । 

ସେହିପରି ଗତ ୧୦ ବର୍ଷରେ ମୋଦି ସରକାର ଓଡିଶା ପାଇଁ ଅନେକ କିଛି କାମ କରିଛନ୍ତି । ୨୦୧୪ ପରଠୁ ଓଡିଶାର କିପରି ବିକାଶ ହେବ । ସେଦିଗରେ କାମ କରିଚାଲିଛନ୍ତି କେନ୍ଦ୍ର ସରକାର । ହେଲେ ଏଠାରେ ବିଜେଡି ସରକାର କେନ୍ଦ୍ର ଦେଇଥିବା ଟଙ୍କାକୁ ଠିକ୍‌ ଭାବେ ବ୍ୟବହାର କରିପାରୁନାହାନ୍ତି । ମୋଦି ସରକାର ଆସିବା ପରେ ନୂଆ ଖଣି ନୀତି ଆଣିଥିଲେ । ଯାହାଦ୍ୱାରା ଓଡିଶାକୁ ସିଧାସିଧା ୫୦ ହଜାର କୋଟି ଟଙ୍କାର ଲାଭ ହୋଇଛି । ହେଲେ ଏହାପୂର୍ବରୁ ମାନେ କଂଗ୍ରେସ ସରକାର ସମୟରେ ରାଜ୍ୟକୁ ଏହି ଖଣି ନିଲାମରୁ ରାଜ୍ୟକୁ ମାତ୍ର ୫ ହଜାର କୋଟି ଟଙ୍କା ଲାଭ ହେଉଥିଲା । ତେଣୁ ରାଜ୍ୟର ବିକାଶ ପାଇଁ ବିଶେଷ ଧ୍ୟାନ ଦେଉଛି ବିଜେପି । 

 

  • Lok Sabha Election 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.