ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ୫୬ ବର୍ଷ ପରେ ପୁଣି ଦୋହରିବ ଇତିହାସ

Published By : Prameya-News7 Bureau | December 22, 2020 IST

ଲକ୍ଷ୍ନୌ,୨୨/୧୨:  ଆଲିଗଡ ମୁସଲିମ ୟୁନିଭର୍ସିଟିର ଶତବାର୍ଷିକୀରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ଭାବେ ସମ୍ବୋଧନ କରିବେ । ତାଙ୍କର ଏହି ସମ୍ବୋଧନ ଭର୍ଚୁଆଲରେ ହେବ । ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୀୟାଲ ନିଶଙ୍କ ମଧ୍ୟ ସମାରୋହରେ ସାମିଲ ହେବେ । ଏହି କାର୍ଯ୍ୟକ୍ରମ ଏଥିପାଇଁ ସ୍ୱତନ୍ତ୍ର କାରଣ ୫୬ ବର୍ଷ ପରେ ଦେଶର ପ୍ରଧାନମନ୍ତ୍ରୀ ଏଏମୟୁକୁ ସମ୍ବୋଧନ କରିବେ ।

ଏହାପୂର୍ବରୁ ୧୯୬୪ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଏଏମୟୁ ଗସ୍ତ କରିଥିଲେ । ସେଠାରେ ସେ ଦୀକ୍ଷାନ୍ତ ସମାରୋହକୁ ସମ୍ବୋଧତ କରିଥିଲେ । ମୋଦୀଙ୍କ ସମ୍ବୋଧନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହି ଦିନକୁ ସ୍ମରଣୀୟ କରିବା ପାଇଁ ଏକ ସ୍ୱତନ୍ତ୍ର ଡାକ ଟିକେଟ୍ ମଧ୍ୟ ଜାରି କରାଯିବ ।

ବିଶ୍ୱ ବିଦ୍ୟାଳୟର ସୂଚନା ଅନୁସାରେ, ମଙ୍ଗଳବାର ସକାଳ ୧୦ଟାରେ କୋରାନଖ୍ୱାନୀ ସହ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହାପରେ କୂଳପତି ପ୍ରଫେସର ତାରିକ ମନସୁର ଔପଚାରିକ ପରିଚୟ କରିବେ । ଏହାପରେ ସୟଦ ଏକାଡେମୀର ନିର୍ଦ୍ଦେଶକ ଅଲ୍ଲୀ ଅହମ୍ମଦ ନକବୀ ବିଶ୍ୱବିଦ୍ୟାଳୟର ୧୦୦ ବର୍ଷର ଉପଲବ୍ଧିକୁ ସାମ୍ନାରେ ରଖିବେ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ତରଫରୁ ବିଶ୍ୱବିଦ୍ୟାଳୟର ନିମନ୍ତ୍ରଣ ସ୍ୱୀକାର କରାଯିବା ପରେ କୂଳପତି ଖୁସି ଜାହିର କରିଥିଲେ । ଏଥିପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ମଧ୍ୟ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.