ଅହମଦାବାଦ Zydus Cadila ପ୍ଲାଣ୍ଟରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି
28/11/2020 at 11:53 AM

ପୁନେ ୨୮/୧୧ : ଦେଶରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ମଧ୍ୟରେ କରୋନା ଭ୍ୟାକସିନକୁ ନେଇ ମଧ୍ୟ ଚର୍ଚ୍ଚା ଜୋରସୋରରେ ହେଉଛି। ଭ୍ୟାକସିନକୁ ସମସ୍ତେ ଅପେକ୍ଷା କରି ବସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତାର ଭ୍ୟାକସିନ ଉପରେ ନଜର ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ମୋଦି ଶନିବାର ଦିନ ଅହମଦାବାଦରେ ପହଞ୍ଚିଛନ୍ତି। ମୋଦି ଏଠାରେ କୋଭିଡ ଭ୍ୟାକସିନ କେନ୍ଦ୍ର ବୁଲି ଦେଖିବେ। ଅହମଦାବାଦ ପରେ ମୋଦି ପୁନେ ଓ ହାଇଦ୍ରାବାଦ ଭ୍ୟାକସିନ ସେଣ୍ଟର ଗସ୍ତ କରିବେ।
ମୋଦି ଅହମଦାବାଦ ସ୍ଥିତ କମ୍ପାନୀ ଜିଡଶ କାଡିଲା Zydus Cadila, ପାର୍କରେ ପହଞ୍ଚିଛନ୍ତି। କରୋନା ଭ୍ୟାକସିନ ଉପରେ କାମ କରୁଥିବା ବୈଜ୍ଞାନିକଙ୍କୁ ସାକ୍ଷାତ କରିଛନ୍ତି। ମୋଦି ଏହି ଅବସରରେ ବୈଜ୍ଞାନିକଙ୍କ ସହ କଥାବାର୍ତ୍ତା କରି ଭ୍ୟାକସିନ ସମ୍ବନ୍ଧୀୟ ତଥ୍ୟ ନେବାକୁ ଚେଷ୍ଟା କରୁଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ଅହମଦାବାଦ ଗସ୍ତକୁ ନେଇ ଏକ ଟ୍ୱିଟ ମଧ୍ୟ କରିଛନ୍ତି। ଟ୍ୱିଟରେ ସେ କୁହାଯାଇଛି ଯେ, ମୋଦି ଅହମଦାବାଦରେ ଜିଡଶ କାଡିଲା ପାର୍କ, ହାଇଦ୍ରାବାଦରେ ଥିବା ଭାରତ ବାୟୋଟେକ ଓ ପୁନେ ସ୍ଥିତ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଯିବେ। ଏହି ୩ଟି କେନ୍ଦ୍ରରେ କରୋନା ଭ୍ୟାକସିନ ଡେଭେଲପ କରାଯାଉଛି। ଏଠି ମଧ୍ୟରୁ ସିରମ ଇନଷ୍ଟିଚ୍ୟୁଟର ଭ୍ୟାକସିନ ୨୦୨୧ ଫେବୃଆରୀ ସୁଦ୍ଧା ବଜାରକୁ ଆସିପାରେ ବୋଲି ଅନୁମାନ କରାଯାଉଛି।
ମୋଦିଙ୍କ ଅହମଦାବାଦ ଗସ୍ତକୁ ନେଇ ଗୁଜରାଟ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୋଦି ଅହମଦାବାଦ ଔଷଧ କମ୍ପାନୀ ଜିଡଶ କାଡିଲା ଗସ୍ତ କରିବେ ଏବଂ ସେଠାରେ ପ୍ରସ୍ତୁତ ହେଉଥିବା କରୋନା ଭ୍ୟାକସିନ ସହ ଜଡିତ ତଥ୍ୟ ହାସଲ କରିବେ। ଜିଡଶ କାଡିଲା ଔଷଧ କମ୍ପାନୀ ଅହମଦାବାଦ ନିକଟସ୍ଥ ଚାଙ୍ଗୋଦର ଔଦ୍ୟୋଗିକ କ୍ଷେତ୍ରରେ ରହିଛି। ଔଷଧ କମ୍ପାନୀ ପୂର୍ବରୁ ଘୋଷଣା କରିଥିଲା ଯେ କୋଭିଡ-୧୯ ସମ୍ବନ୍ଧିତ ଟୀକାର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ପୁରା ହୋଇଯାଇଛି ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ଅଗଷ୍ଟ ମାସରେ ଆରମ୍ଭ ହୋଇଥିଲା।