ଭୁବନେଶ୍ଵର: ୫୯ତମ ସର୍ବଭାରତୀୟ ଡିଜିପି ସମ୍ମିଳନୀ ପାଇଁ ତିନି ଦିନିଆ ଗସ୍ତରେ ଭୁବନେଶ୍ଵର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ୍ ଶାହ। ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିବା ସ୍ଥାନକୁ ‘ନୋ ଫ୍ଲାଇଙ୍ଗ ଜୋନ୍’ ଘୋଷଣା କରାଯାଇଛି। କୌଣସି ଡ୍ରୋନ୍ କାର୍ଯ୍ୟକ୍ରମ ସମୟରେ ଉଡ଼ି ପାରିବ ନାହିଁ।
ନଭେମ୍ବର ୨୯ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵରରେ ଡିଜିପି ସମ୍ମିଳନୀ ଆୟୋଜିତ ହେବ। ଲୋକସେବା ଭବନ କନ୍ଭେନସନ ସେଣ୍ଟରରେ କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀ ଉପସ୍ଥିତ ରହିବେ। ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ପୂରା ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସମ୍ମିଳନୀ ସମୟରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର, ଲୋକ ସେବା ଭବନ, ରାଜ ଭବନ, ରାଜ୍ୟ ଗେଷ୍ଟ ହାଉସ୍, ମୈତ୍ରୀ ବିହାର ଏବଂ ଚନ୍ଦ୍ରଶେଖରପୁରରେ ଅବସ୍ଥିତ ଆଇପିଏସ୍ ମେସ୍ ପ୍ରମୁଖ ସ୍ଥାନ ନୋ ଫ୍ଲାଇଂ ଜେନ୍ ଘୋଷଣା କରାଯାଇଛି।
Also read: ଜଏନ କଲେ ସୁଜାତା କାର୍ତ୍ତିକେୟନ, ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟରେ ଯୋଗଦେଲେ
କୌଣସି ବି ଅପ୍ରୀତିକର ଘଟଣା ରୋକିବା ଏବଂ ସମଗ୍ର ଦେଶର ଭିଭିଆଇପି ଓ ପ୍ରତିଷ୍ଠିତ ପ୍ରତିନିଧିଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏହି ଉପାୟ କରାଯାଇଛି ବୋଲି ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ କହିଛନ୍ତି। ବିଏସଏଫ, ସିଆରପିଏଫ, କ୍ଵିକ୍ ରିଆକ୍ସନ ଟିମ୍ ମୁତୟନ କରାଯାଇଛି। ପୂରା ସହରକୁ ସିସିଟିଭି ନୀରିକ୍ଷଣରେ ରଖାଯାଇଛି। ଏହି ସମୟରେ ସମସ୍ତ ନାଗରିକଙ୍କୁ ସହଯୋଗ ଆଶା କରାଯାଉଛି। ଯଦ୍ଵାରା ଭୁବନେଶ୍ଵରରେ ଏହି ଭବ୍ୟ ସଫଳତା ସୁନିଶ୍ଚିତ ହୋଇ ପାରିବ ବୋଲି ପୋଲିସ କମିଶନର କହିଛନ୍ତି।
ସୂଚନାଯୋଗ୍ୟ, ଡିଜିପି ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ଦିନିଆ ଗସ୍ତରେ ଆସି ନଭେମ୍ବର ୨୯ରେ ଭୁବନେଶ୍ଵରରେ ପହଞ୍ଚିବେ। ୨୯ ତାରିଖ ଶୁକ୍ରବାର ଅପରାହ୍ନ ୪ଟା ୧୫ରେ ଭୁବନେଶ୍ଵର ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ପହଞ୍ଚିବେ। ସେଠାରେ ଏକ ସାଧାରଣ ସଭାରେ ଯୋଗ ଦେବା ସହ ଜନତାଙ୍କୁ ସମ୍ବୋଧିତ କରିବେ। ଏହା ପରେ ବିମାନ ବନ୍ଦରରୁ ରାଜଭବନ ଯାଏଁ ରୋଡ୍ ଶୋ କରିବେ। ସେଠାରୁ ଦଳୀୟ କାର୍ଯ୍ୟାଳୟକୁ ଆସି କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବେ। ପାର୍ଟି ଅଫିସରେ ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିବେ। ଏହି ସମୟରେ ବୈଠକରେ ଦଳୀୟ ସାଂସଦ, ମନ୍ତ୍ରୀ, ବିଧାୟକ, ବରିଷ୍ଠ ପଦାଧିକାରୀ ଉପସ୍ଥିତ ରହିବେ।
ଏହା ପରେ ନଭେମ୍ବର ୩୦ ଓ ଡିସେମ୍ବର ୧ରେ ଡିଜିପି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଯୋଗ ଦେବେ। ଡିଜିପି ସମ୍ମିଳନୀରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଡିଜିପି ଯୋଗଦେବେ। ଏହା ସହିତ ବିଭିନ୍ନ ସୁରକ୍ଷା ଏଜେନ୍ସିର ମୁଖ୍ୟମାନେ ଏଥିରେ ଯୋଗ ଦେବେ। ପ୍ରଥମ ଦିନ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏହି ସମ୍ମିଳନୀକୁ ଉଦଘାଟନ କରିବେ।