ସୁଷମା ସ୍ବରାଜଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତିଙ୍କ ଶୋକ

Published By : Prameya-News7 Bureau | August 07, 2019 IST

ନୂଆଦିଲ୍ଲୀ ୭|୮: ସୁଷମା ସ୍ବରାଜଙ୍କ ଅକାଳ ବିୟୋଗ ରାଜନୈତିକ ମହଲକୁ ସ୍ତବ୍ଧ କରିଦେଇଛି । ମଙ୍ଗଳବାର ରାତିରୁ ଏହି ଖବର ଯେ କେହି ବି ଶୁଣୁଛି ହଠାତ୍ ବିଶ୍ୱାସ କରିପାରୁନି । ଅନେକ ରାଜନେତା ସୁଷମାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି । ଅନେକ ନିଜର ରାଜନୈତିକ ଜୀବନରେ ସୁଷମାଙ୍କ ସହ ରହିଥିବା ମଧୁର ସଂପର୍କକୁ ମନେ ପକାଇଛନ୍ତି ।

ଏପରି ଏକ ଖବର ଆସିବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବି ସ୍ତବ୍ଧ ହୋଇଛନ୍ତି । ରାଷ୍ଟ୍ରପତି ଟ୍ବିଟ୍ କରି କହିଛନ୍ତି ଏହି ଖବରରେ ସେ ମର୍ମାହତ । ଦେଶ ଜଣେ ସଚୋଟ ନେତ୍ରୀଙ୍କୁ ହରାଇଲା ।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁଷମା ସ୍ବରାଜଙ୍କ ପରଲୋକରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେ ଟ୍ବିଟ୍ କରିଛନ୍ତି, ଭାରତୀୟ ରାଜନୀତିରେ ଏକ ଉଜ୍ଜଳମୟ ଅଧ୍ୟାୟର ପରିସମାପ୍ତି ଘଟିଲା । ଦେଶର ସବୁ ବର୍ଗର ଲୋକଙ୍କ ପାଇଁ ସୁଷମା ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। କୋଟି କୋଟି ଜନତାଙ୍କ ପାଇଁ ସେ ଥିଲେ ପ୍ରେରଣାର ଉତ୍ସ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ୫ ବର୍ଷ ମଧ୍ୟରେ ବିଦେଶ ମନ୍ତ୍ରାଳୟରେ ସୁଷମା ସ୍ବରାଜଙ୍କ କାର୍ଯ୍ୟ ଧାରା ଅବିସ୍ମରଣୀୟ । ସ୍ବାସ୍ଥ୍ୟ ସମସ୍ୟା ଥିଲେ ମଧ୍ୟ ସୁଷମା ବିଦେଶ ମନ୍ତ୍ରାଳୟକୁ ସାରା ବିଶ୍ବରେ ଶ୍ରେଷ୍ଠ ଭାବେ ପ୍ରତିପାଦିତ କରିପାରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ସୁଷମାଙ୍କ ପରଲୋକ ବ୍ୟକ୍ତିଗତ କ୍ଷତି ବୋଲି ଟ୍ବିଟ୍ କରିଛନ୍ତି ।

ସେହିପରି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଟ୍ବିଟ୍ କରି ଗଭୀର ଶୋକ ବ୍ୟକ୍ତ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଦେଶ ଜଣେ ସୁଯୋଗ୍ୟ ନେତ୍ରୀଙ୍କୁ ହରାଇଲା ଓ ଏହା ଦେଶପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ରାହୁଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସୁଷମାଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.