ମହନ୍ତ ନରେନ୍ଦ୍ର ଗିରିଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି: ମୁଖ୍ୟମନ୍ତ୍ରୀ ଯୋଗୀ କହିଲେ ଆଧ୍ୟାତ୍ମିକ ଜଗତର ଅପୂରଣୀୟ କ୍ଷତି
20/09/2021 at 8:42 PM

ପ୍ରୟାଗରାଜ ୨୦।୦୯: ଅଖିଳ ଭାରତୀୟ ଆଖଡା ପରିଷଦର ସଭାପତି ନରେନ୍ଦ୍ର ଗିରିଙ୍କ ସୋମବାର ଦେହାନ୍ତ ଘଟିଛି। ଏଠାରେ ବାଘମବରି ମଠରେ ଫାଶିରେ ଝୁଲୁଥିବା ଅବସ୍ଥାରେ ତାଙ୍କ ମୃତଶରୀର ମିଳିଛି। ବର୍ତ୍ତମାନ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନାହିଁ। ତାଙ୍କର ସନ୍ଦିଗ୍ଧ ମୃତ୍ୟୁ ଘଟିଥିବା ଅଧିକାରୀ କହିଛନ୍ତି। ମଠରେ ଯାତାୟତ ଉପରେ ରୋକ୍ ଲଗାଇ ଦିଆଯାଇଛି। ମହନ୍ତ ନରେନ୍ଦ୍ର ଗିରି ଆତ୍ମହତ୍ୟା କରିଥିବା କୁହାଯାଉଛି। ଆଇଜି କେପି ସିଂହ ସମେତ ଅନେକ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ପୋଲିସ ଅନୁଯାୟୀ, ଆଖଡା ପରିଷଦର ସଭାପତି ତଥା ବାଘମ୍ବରୀ ମଠରେ ମହନ୍ତଙ୍କ ଶରୀର ଫାଶିରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଛି। ଯେଉଁଠି ମହନ୍ତଙ୍କ ମୃତଶରୀରରେ ଫାଶିରେ ଝୁଲୁଥିବା ଦେଖିବାକୁ ମିଳିଛି ତାର ଚାରିପଟ ଦ୍ଵାର ବନ୍ଦ ଥିବା ପୋଲିସ କହିଛି। ପ୍ରାରମ୍ଭିକ ତଦନ୍ତରେ ସେ ଆତ୍ମହତ୍ୟା କରିଥିବା ପୋଲିସ କହିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ କରି କହିଛନ୍ତି ଯେ, ଆଖଡା ପରିଷଦର ସଭାପତି ଶ୍ରୀ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। ଆଧ୍ୟାତ୍ମିକ ପରମ୍ପରା ପ୍ରତି ଉତ୍ସର୍ଗୀକୃତ ହୋଇଥିବାବେଳେ ସେ ସନ୍ଥ ସମାଜର ଅନେକ ସ୍ରୋତକୁ ଏକତ୍ର କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପ୍ରଭୁ ତାଙ୍କୁ ନିଜ ଚରଣରେ ସ୍ଥାନ ଦିଅନ୍ତୁ। ଓଁ ଶାନ୍ତି !!
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ ଟ୍ୱିଟ କରି କହିଛନ୍ତି, ଅଖିଳ ଭାରତୀୟ ଆଖଡା ପରିଷଦର ସଭାପତି ନରେନ୍ଦ୍ର ଗିରିଙ୍କ ବ୍ରହ୍ମଲୀନ ହେବା ଆଧ୍ୟାତ୍ମିକ ଜଗତର ଅପୂରଣୀୟ କ୍ଷତି। ପ୍ରଭୁ ଶ୍ରୀ ରାମ ତାଙ୍କୁ ନିଜ ଚରଣରେ ସ୍ଥାନ ଦିଅନ୍ତୁ ବୋଲି ପ୍ରାର୍ଥନା।
ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ତାଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ ଟ୍ୱିଟ କରି କହିଛନ୍ତି ଯେ, ‘ଈଶ୍ୱର ପୁଣ୍ୟ ଆତ୍ମାକୁ ନିଜ ଚରଣରେ ସ୍ଥାନ ଦିଅନ୍ତୁ ଏବଂ ଏହି ଦୁଃଖକୁ ତାଙ୍କ ଅନୁଗାମୀମାନଙ୍କୁ ବହନ କରିବାକୁ ଶକ୍ତି ଦିଅନ୍ତୁ’।