କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଦେଲେ ୧୫ ହଜାର କୋଟି

Published By : Prameya-News7 Bureau | March 24, 2020 IST

ନୂଆଦିଲ୍ଲୀ ୨୪।୦୩: ମହାମାରୀ କରୋନା ଭୂତାଣୁର ପ୍ରତିରୋଧ ଲାଗି ଏକ ବଡ ପଦକ୍ଷେପ ସ୍ଵରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାତି ୧୨ଟାରୁ ପୂରା ଦେଶରେ ସଂପୂର୍ଣ୍ଣ ଭାବେ ଲୋକ ଡାଉନ୍ ଘୋଷଣା କରିଛନ୍ତି। ଏହି ଲକଡାଉନ୍ ଆଜି ରାତି ମଧ୍ୟ ରାତ୍ରଠୁ ଆଗାମୀ ୨୧ ଦିନ ପର୍ଯ୍ୟନ୍ତ ଜାରି ରହିବ। ଏଥିପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଏହି ୨୧ ଦିନ ଦେବାକୁ ନିବେଦନ କରିଛନ୍ତି। ଏହା ସହିତ କରୋନାର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀ ୧୫ ହଜାର କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି।

ଏହି ୧୫ ହଜାର କୋଟି ଆଇସୋଲେସନ ଓ୍ଵାର୍ଡ ଓ ଶଯ୍ୟା, ଭେଣ୍ଟିଲେଟର ଏବଂ ଅନ୍ୟ ବ୍ୟବସ୍ଥା ବାବଦରେ ଖର୍ଚ୍ଚ କରାଯିବ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମୁଁ ଖୁସି ଯେ ଘରୋଇ ସେକ୍ଟର ମଧ୍ୟ କରୋନାର ପ୍ରତିରୋଧ ଲାଗି ଆଗକୁ ଆସୁଛନ୍ତି। ସହାୟତାର ହାତ ବଢାଉଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ସେବନ କରନ୍ତୁ ନାହିଁ। ମୁଁ ଆଶାବାଦୀ ଯେ ଭାରତ ଏହି ଲଢେଇରେ ବିଜୟୀ ହେବ। ନିଜେ ସଚେତନ ରୁହନ୍ତୁ ଏବଂ ଅନ୍ୟକୁ ସଚେତନ କରାଇ ଜୀବନ ରକ୍ଷା କରନ୍ତୁ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ୨୧ ଦିନ ଦେଶ ପାଇଁ ଏବଂ ଆପଣଙ୍କ ପାଇଁ ନିତାନ୍ତ ଆବଶ୍ୟକ। ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ସବୁ ବ୍ୟବସ୍ଥା କରାଯାଇଛି। ଲୋକଙ୍କୁ ଯେମିତି କୌଣସି ଅସୁବିଧା ନହୁଏ ଏହି ୨୧ ଦିନରେ ଜରୁରୀକାଳୀନ ସେବା ଜାରି ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.