ଦିବଂଗତ ରାମ ବିଳାସ ପାଶଓ୍ବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Published By : Prameya-News7 Bureau | October 09, 2020 IST

ନୂଆଦିଲ୍ଲୀ ୯।୧୦: କେନ୍ଦ୍ର ମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ଏଲଜେପି) ପ୍ରତିଷ୍ଠାତା ରାମ ବିଳାସ ପାସଓ୍ବାନ ଦୀର୍ଘ ଦିନ ଧରି ଅସୁସ୍ଥ ଥିବା କାରଣରୁ ଗୁରୁବାର ସନ୍ଧ୍ୟାରେ ତାଙ୍କର ଦେହାନ୍ତ ହୋଇଛି । ଦିଲ୍ଲୀର ଏକ ଡାକ୍ତରଖାନାରେ ୭୪ ବର୍ଷ ବୟସରେ ପାସଓ୍ବାନ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ରାମ ବିଳାସ ପାସଓ୍ବାନଙ୍କ ମୃତ୍ୟୁକୁ ତାଙ୍କ ପୁଅ ତଥା ଏଲଜେପି ସଭାପତି ଚିରାଗ ପାସଓ୍ବାନ ସ୍ପଷ୍ଟ କରିଥିଲେ । ସେ ଟ୍ବିଟ୍ କରି ଲେଖିଥିଲେ, ‘ପାପା… ତୁମେ ଆଉ ଏହି ଦୁନିଆରେ ନାହଁ କିନ୍ତୁ ମୁଁ ଜାଣେ ତୁମେ ଯେଉଁଠାରେ ଥାଅ ତୁମେ ସବୁବେଳେ ମୋ ସହିତ ଅଛ । ମିସ୍ ୟୁ ପାପା। ’

ରାମ ବିଳାସ ପାସଓ୍ବାନଙ୍କୁ ଗତ କିଛି ଦିନ ହେବ ଦିଲ୍ଲୀର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିଛି ଦିନ ପୂର୍ବରୁ ତାଙ୍କର ହୃଦଘାତ ମଧ୍ୟ ହୋଇଥିଲା । ୫ ଦଶନ୍ଧିରୁ ଅଧିକ ସମୟ ଧରି ରାମ ବିଳାସ ପାସଓ୍ବାନ ସକ୍ରିୟ ରାଜନୀତିରେ ଥିଲେ । ସେ ଦେଶର ଜଣେ ଜଣାଶୁଣା ଦଳିତ ନେତା ଥିଲେ। ପାସଓ୍ବାନ ଖାଉଟି, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ଥିଲେ।

ତାଙ୍କ ମୃତ୍ୟୁରେ ରାଜନୀତି ମହଲରେ ଶୋକର ଛାୟା ଖେଳିଯାଇଛି । ବହୁ ରାଜନେତା, ନେତା, ମନ୍ତ୍ରୀ ଦିବଂଗତ ରାମବିଳାସ ପାସଓ୍ବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମବିଳାସ ପାସଓ୍ବାନଙ୍କ ଦିଲ୍ଲୀ ସ୍ଥିତ ବାସଭବନକୁ ଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ରାମବିଳାସ ପାସଓ୍ବାନଙ୍କ ବାସଭବନରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ସବର୍ଦ୍ଧନ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.