ଆର୍ଥିକ ଗତିରୋଧ ବିନା କରୋନା ମୁକାବିଲା ଲାଗି ୭ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ
23/09/2020 at 8:49 PM

ନୂଆଦିଲ୍ଲୀ ୨୩।୯: କରୋନା ସଂକ୍ରମଣରେ ବିଶ୍ୱର ଦ୍ୱିତୀୟ ରାଷ୍ଟ୍ର ଭାରତରେ ଏବେ ଦୈନିକ ୯୦ ହଜାର ପଜିଟିଭ ଚିହ୍ନଟ ହେଉଛନ୍ତି। ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୬ ଲକ୍ଷ ପାର ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ବୁଧବାର ୭ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚୁଆଲ ମିଟିଂ କରିଛନ୍ତି। ଏଥିରେ ଆର୍ଥିକ ଗତିବିଧିକୁ ପ୍ରଭାବିତ ନ କରି କରୋନା ନିୟନ୍ତ୍ରଣ ଲାଗି ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥିବା ଜଣାପଡିଛି।

ପ୍ରଧାନମନ୍ତ୍ରୀଙ୍କ ୨୩ ସେପ୍ଟେମ୍ବର ବୈଠକକୁ ନେଇ ସାରା ଦେଶରେ କଳ୍ପନା ଜଳ୍ପନା ଲାଗି ରହିଥିଲା। ହୁଏତ ପୁଣି ଏଥିରେ ଲକଡାଉନ୍ ଲାଗି ନିଷ୍ପତ୍ତି ହୋଇପାରେ ବୋଲି ମଧ୍ୟ ଲୋକେ ଆଶଙ୍କା କରୁଥିଲେ। ତେବେ କୋଭିଡ ମୁକାବିଲା ଲାଗି ରାଜ୍ୟମାନଙ୍କୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଓ ଦିନିକିଆ ବା ଦୁଇ ଦିନିଆ ଲକଡାଉନ୍ ସମ୍ପର୍କରେ ବିଚାର କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ବୈଠକରେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଦିଲ୍ଲୀ, ପଞ୍ଜାବ, କର୍ଣ୍ଣାଟକ ଓ ଉତ୍ତରପ୍ରଦେଶ ଆଦି ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି।
Prime Minister @narendramodi to chair a high level virtual meeting with the Chief Ministers & Health Ministers of 7 #COVID high burden States/UT to review the status and preparedness of COVID response and management today. pic.twitter.com/lCTf7cGKCW
— DD India (@DDIndialive) September 22, 2020
୨୫ ମାର୍ଚ୍ଚ କରୋନା ଲକଡାଉନ୍ ଦେଶର ଅର୍ଥବ୍ୟବସ୍ଥାକୁ ଧୂଳିସାତ କରିଦେଇଛି। ସରକାର ବିଭିନ୍ନ ପର୍ଯ୍ୟାୟରେ ଏସଓପି ଜାରି କରିବା ସହ ଅନଲକ ଘୋଷଣା କରୁଛନ୍ତି। ତେବେ ସଂକ୍ରମଣ ଥମିବାର ନାଁ ନେଉନି। ଉପରୋକ୍ତ ରାଜ୍ୟମାନଙ୍କରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଦିଲ୍ଲୀରେ ମୋଟ ମାମଲା ସଂଖ୍ୟା ଅଢେଇଲକ୍ଷ ପାର ହୋଇଥିବା ବେଳେ ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ୧୨ଲକ୍ଷ ୪୨ ହଜାରରୁ ଅଧିକ ଲୋକେ ସଂକ୍ରମିତ ହେଲେଣି। ରାଜ୍ୟରେ ଦୈନିକ ୨୦ ହଜାର ପଜିଟିଭ ଚିହ୍ନଟ ହେଉଛନ୍ତି। ଆନ୍ଧ୍ରପ୍ରଦେଶରେ ଏପର୍ଯ୍ୟନ୍ତ ୬ଲକ୍ଷ ୪୦ ହଜାର ଲୋକେ ସଂକ୍ରମିତ ହୋଇଥିବା ବେଳେ ତାମିଲନାଡୁରେ ମାମଲା ସଂଖ୍ୟା ୫ଲକ୍ଷ ଉପରକୁ ଗଲାଣି। ଭାରତରେ ସଂକ୍ରମଣ ହାର ବଢିବଢି ଚାଲିଛି। ଏଥିରେ ସୁସ୍ଥତା ହାର ବଢିବଢି ଚାଲିଥିବା ବେଳେ ମୃତ୍ୟୁ ହାର ହ୍ରାସ ସାମାନ୍ୟ ଆସ୍ୱସ୍ତ କରିଛି।