ଘରୋଇ କୋଚିଂ ସେଣ୍ଟରରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ; ହତ୍ୟା ଅଭିଯୋଗ ଆଣିଲେ ପରିବାର
12/03/2023 at 5:05 PM

କେନ୍ଦ୍ରାପଡ଼ା ୧୨/୦୩: ଘରୋଇ ଆବାସିକ କୋଚିଂ ସେଣ୍ଟରରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ। ମୃତ ଛାତ୍ରଙ୍କ ବାପା ଆଣିଲେ ହତ୍ୟା ଅଭିଯୋଗ। ଏପରି ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ଥାନା ଅନ୍ତର୍ଗତ କଜଳା ଅଞ୍ଚଳରେ ଘଟିଛି। ମୃତ ଛାତ୍ରଙ୍କ ପରିଚୟ ସୁବ୍ରତ ମୁଦୁଲି। ସେ ସଦର ଥାନା ଅନ୍ତର୍ଗତ ଫୋରଡ ଗାଁର ବାସିନ୍ଦା। ସୁବ୍ରତ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ର ଥିଲେ।
ଖବର ଅନୁସାରେ, ସୁବ୍ରତ ଶୁକ୍ରବାର ଦିନ ନିଜ ଗାଁକୁ ଯାଇଥିଲେ। ଶନିବାର ସକାଳେ ସୁବ୍ରତଙ୍କ ବାପା,ମା ତାଙ୍କୁ କୋଚିଂ ସେଣ୍ଟରରେ ଛାଡ଼ିଥିଲେ। ସେଦିନ ସନ୍ଧ୍ୟାରେ ସୁବ୍ରତଙ୍କ ମାଆ ସ୍ନିଗ୍ଧାରାଣୀ ଅସୁସ୍ଥ ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଡାକ୍ତର ଦେଖାଇବାକୁ ଯାଇଥିଲେ। ସେଠାରେ କୋଚିଂ ସେଣ୍ଟର କର୍ମଚାରୀ ତାଙ୍କ ପୁଅକୁ ନେଇ ହସ୍ପିଟାଲ ଭିତରକୁ ଯାଉଥିବାର ସେ ଦେଖିଲେ।

ପରେ ଡାକ୍ତର୍ ସେଠାରେ ସୁବ୍ରତଙ୍କୁ ମୃତ ଘୋଷଣା କରିଛନ୍ତି। ଅନ୍ୟପଟେ ପୁଅ ସମ୍ପୂର୍ଣ୍ଣ ସୁସ୍ଥଥିଲା, କୋଚିଂ ସେଣ୍ଟରର ୪ କର୍ମଚାରୀ ପୁଅକୁ ହତ୍ୟା କରିଥିବା ନେଇ ସୁବ୍ରତଙ୍କ ବାପା ସଦର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଶବ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ସୁବ୍ରତଙ୍କ ମୃତ୍ୟୁକୁ ନେଇ କୋଚିଂ ସେଣ୍ଟର କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ସୁବ୍ରତ ଚଳିତ ଯୁକ୍ତ ପରୀକ୍ଷା ଦେଉଥିଲେ ବୋଲି ଜଣାପଡ଼ିଛି।