ବୁଧବାରଠୁ +୨ ପରୀକ୍ଷା, କପି ରୋକିବାକୁ ୪ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା
1/03/2023 at 7:41 AM

ଭୁବନେଶ୍ୱର ୦୧।୦୩ : ଆଜିଠୁ ଯୁକ୍ତ ୨ ପରୀକ୍ଷା । ୧ ହଜାର ୧୪୫ଟି କେନ୍ଦ୍ରରେ ପରୀକ୍ଷା ଦେବେ ୩ ଲକ୍ଷ ୫୭ ହଜାର ୯୪୨ ପରୀକ୍ଷାର୍ଥୀ। କଳା ବିଭାଗରେ ୨ଲକ୍ଷ ୩୩ ହଜାର ୮୫୫ ପରୀକ୍ଷାର୍ଥୀ ରହିଥିବା ବେଳେ ବିଜ୍ଞାନରେ ୯୩ ହଜାର ୮୯୪, ବାଣିଜ୍ୟରେ ୨୪ହଜାର ୩୩୧ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ୫୮୬୨ଜଣ ରହିଛନ୍ତି। ସେମାନଙ୍କ ମଧ୍ୟରୁ ରେଗୁଲାରରେ ୩ ଲକ୍ଷ ୩୮ ହଜାର ୨୨୧ଜଣ, ଏକ୍ସ-ରେଗୁଲାରରେ ୧୭ ହଜାର ୬୯୬ ପରୀକ୍ଷାର୍ଥୀ ଅଛନ୍ତି।
ତେବେ ଚଳିତ ବର୍ଷ ପରୀକ୍ଷା ଲାଗି ୨୦୨ଟି ପରୀକ୍ଷା ପରିଚାଳନା ହବ୍ ଅଧୀନରେ ୧୧୪୫ଟି ପରୀକ୍ଷା କେନ୍ଦ୍ର ହୋଇଛି। ୪୪୫ଟି ଯୁକ୍ତ୨ କଲେଜକୁ ବିଭିନ୍ନ ପରୀକ୍ଷା କେନ୍ଦ୍ର ସହ ଟ୍ୟାଗ୍ କରାଯାଇଛି। ଏପ୍ରିଲ ୫ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷାରେ ପ୍ରତିଦିନ ପୂର୍ବାହ୍ନ ୧୦ଟାରୁ ପରୀକ୍ଷା ଆରମ୍ଭ ହେବ। ଧାର୍ଯ୍ୟ ସମୟର ୩୦ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀ କେନ୍ଦ୍ର ଭିତରକୁ ପ୍ରବେଶ କରିବେ। ୧୫ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀ ନିଜ ସିଟ୍ ରେ ବସିବେ। ପରୀକ୍ଷାର ୧୫ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ଉତ୍ତରଖାତା ଏବଂ ୫ ମିନିଟ୍ ପୂର୍ବରୁ ପ୍ରଶ୍ନପତ୍ର ବଣ୍ଟନ କରାଯିବ। ଠିକ୍ ୧୦ଟା ବେଳେ ପରୀକ୍ଷାର୍ଥୀଙ୍କୁ ଉତ୍ତର ଖାତାରେ ଲେଖିବାକୁ ଅନୁମତି ମିଳିବ।
ସେହିପରି ପରୀକ୍ଷା ସୁପରିଚାଳନା ଲାଗି ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବା ସହ ୪ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜ୍ୟସ୍ତରରେ ଗଣଶିକ୍ଷା ବିଭାଗ ଓ ପରିଷଦ ଅଧିକାରୀମାନଙ୍କୁ ନେଇ ସ୍କ୍ବାଡ୍ ଗଠନ ହୋଇଛି। ପରିଷଦ ପକ୍ଷରୁ ଜୋନ୍ ସ୍ତରରେ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରରେ ସ୍କ୍ବାଡରେ ଅଧ୍ୟାପକମାନେ ସାମିଲ ହୋଇଛନ୍ତି। ପ୍ରତି ହବରେ ଅଧ୍ୟାପକମାନଙ୍କୁ ନେଇ ଗୋଟିଏ ପ୍ୟାନେଲ୍ ଗଠନ କରାଯାଇଛି, ଯେଉଁମାନେ କି ଅବଜରଭର୍ ଭାବେ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପ୍ରଶ୍ନପତ୍ର ନେଇ ଯିବେ ଏବଂ ସେଠାରେ ପରୀକ୍ଷା ପରିଚାଳନାର ତଦାରଖ କରିବେ।