ସେୟାର ବଜାର କ୍ରାସ୍‌କୁ ନେଇ ସୁପ୍ରିମକୋର୍ଟରେ ମାମଲା; ସରକାର ଓ ସେବିଠୁ ରିପୋର୍ଟ ଲାଗି ଦାବି

Published By : Prameya-News7 Bureau | June 08, 2024 IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଫଳାଫଳ ବାହାରିବା ଦିନ ସେୟାର ବଜାରରେ ଭାରି ହ୍ରାସ । ଜୁନ୍ ୪ ତାରିଖରେ ନିବେଶକଙ୍କ ସେୟାର ବୁଡିବା ନେଇ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି । କେନ୍ଦ୍ର ସରକାର ଏବଂ ସେବି ବିରୋଧରେ ଏହି ମାମଲା ହୋଇଛି । ଏଥିରେ ଜୁନ୍ ୪ ତାରିଖରେ ନିବେଶକଙ୍କ ଟଙ୍କା କିପରି ବୁଡ଼ିଲା, ସେନେଇ ରିପୋର୍ଟ ଉପସ୍ଥାନ ପାଇଁ ଏକ ନିର୍ଦ୍ଦେଶା ଜାରି କରିବାକୁ  ସୁପ୍ରିମକୋର୍ଟଙ୍କୁ ଗୁହାରି କରିଛନ୍ତି ଆବେଦନକାରୀ । 

ଆଇନଜୀବୀ ବିଶାଳ ତିଓ୍ବାରୀ ଏନେଇ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲାରେ ଦାୟର କରିଛନ୍ତି। ସେ କହିଛନ୍ତି, ଲୋକସଭା ନିର୍ବାଚନ ଫଳାଫଳ ଆସିବା ଦିନ ଅର୍ଥାତ୍ ଜୁନ ୪ ତାରିଖରେ ସେୟାର ବଜାର ଦ୍ରୁତଗତିରେ ହ୍ରାସ ହୋଇଥିଲା । ଗଣମାଧ୍ୟମ ରିପୋର୍ଟ ଜଣାପଡ଼ିଛି, ନିବେଶକଙ୍କ ପ୍ରାୟ ୩୦ ଲକ୍ଷ କୋଟି ଟଙ୍କା ବୁଡ଼ିଯାଇଛି । ଏହାକୁ ନେଇ ଆଇନବୀଜୀ ବିଶାଳ ତିଓ୍ବାରୀ ସେବି ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, ଏକଜିଟ୍ ପୋଲ୍ ଦିନ ଅଚାନକ ସେୟାର ବଜାର ଉପରମୁହାଁ ହୋଇଥିଲା ମାତ୍ର ରେଜଲ୍ଟ ଆସିବା ଦିନ ପୁଞ୍ଜି ବଜାର ନିମ୍ନଗାମୀ ହୋଇଥିଲା । 

ଜୁନ ୪ ତାରିଖରେ ଲୋକସଭା ନିର୍ବାଚନ ଭୋଟ୍ ଗଣତି ଆରମ୍ଭ ହେବାର କିଛି ସମୟ ପରେ ଜଣାପଡ଼ିଥିଲା ଭାରତୀୟ ଜନତା ପାର୍ଟି ନିଜ ବଳରେ ବହୁମତ ଠାରୁ ବହୁ ଦୂରରେ ରହୁଛି । ଯାହା  ଏକଜିଟ୍ ପୋଲ୍ ଠାରୁ ବହୁତ ତଫାତ୍ ଥିଲା । ଏହା ପରେ ପୁଞ୍ଜି ବଜାରରେ ହ୍ରାସ ଦେଖିବାକୁ ମିଳିଥିଲା । ସେନସେକ୍ସ ୬୩୦୦ ପଏଣ୍ଟ ଏବଂ ନିଫ୍ଟି ୨୦୦୦ ଅଙ୍କ ହ୍ରାସ ପାଇଥିଲା । ଫଳରେ ଏକ ସମୟରେ ନିବେଶକ ପ୍ରାୟ ୪୫ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଥିଲା । କାରବାର ଶେଷ ବେଳକୁ ସେନସେକ୍ସ ସାମାନ୍ୟ ଉପରକୁ ଉଠିଥିଲା । ସେନସେକ୍ସ ୪,୩୮୯ ଏବଂ ୧,୩୭୯ ଅଙ୍କରେ ବଜାର ବନ୍ଦ ହୋଇଥିଲା । ପୁଞ୍ଜି କାରବାର ଶେଷ ସୁଦ୍ଧା ନିବେଶକଙ୍କୁ ପ୍ରାୟ ୩୧ ଲକ୍ଷ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି । ସେୟାର ବଜାରର ଦ୍ରୁତ ହ୍ରାସକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି । 

କଂଗ୍ରେସ ନେତା ରାହୁଲ ଗାନ୍ଧି ଏହାକୁ ନେଇ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ୍ ଶାହା ଏବଂ ନିର୍ମାଳା ସୀତାରମଣଙ୍କୁ ଟାର୍ଗେଟ୍ କରିଥିଲେ । ପୁଞ୍ଜିବଜାର ହ୍ରାସ ଏବଂ ନିବେଶକଙ୍କ ଟଙ୍କା ବୁଡ଼ିବାରେ ଏମାନେ ଦାୟି ବୋଲି କହିଥିଲେ । ଏହା ସବୁଠୁ ବଡ଼ ଷ୍ଟକ୍ ସ୍କାମ୍ । ଏହାର ଜେପିସି ଯାଞ୍ଚ ପାଇଁ ଦାବି କରିଛନ୍ତି ରାହୁଲ ଗାନ୍ଧି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.