ଆଇପିଏଲର ଦ୍ଵିତୀୟ ସବୁଠୁ ମହଙ୍ଗା ଖେଳାଳିଙ୍କ ଘାତକ ବୋଲିଂ, ଅଧା ଦଳକୁ ପଠାଇଲେ ପାଭିଲିୟନ

Published By : Prameya-News7 Bureau | December 26, 2022 IST

ନୂଆଦିଲ୍ଲୀ: ବକ୍ସିଂ ଡେ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମେଲବର୍ଣ୍ଣରେ ମୁକାବିଲା ଜାରି ରହିଛି। ଟେଷ୍ଟର ପ୍ରଥମ ଦିନରେ ଦକ୍ଷିଣ ଆଫ୍ରିକା ଘରୋଇ ଅଷ୍ଟ୍ରେଲିଆ ବୋଲରଙ୍କ ଉଚିତ୍ ମୁକାବିଲା କରିନପାରି ମାତ୍ର ୧୮୯ ରନରେ ଅଲଆଉଟ୍ ହୋଇଛି। ଯୁବ ଅଲରାଉଣ୍ଡର କ୍ୟାମରୁନ ଗ୍ରୀନ ଶାଣିତ ବୋଲିଂ କରି ୧୦ ଓଭରରେ ଦକ୍ଷିଣ ଆଫ୍ରିକାର ଅଧା ବ୍ୟାଟସମ୍ୟାନଙ୍କୁ ପାଭିଲିୟନର ରାସ୍ତା ଦେଖାଇଛନ୍ତି।

ଅଲରାଉଣ୍ଡର କ୍ୟାମରୁନ ଗ୍ରୀନ ୧୦.୪ ଓଭରରେ ୨୭ ରନ ଦେଇ ୫ଟି ସଫଳତା ହାସଲ କରିଛନ୍ତି। ସେ ଶେନ ଓ୍ଵର୍ଣ୍ଣଙ୍କ ପରେ ପ୍ରଥମ ଅଷ୍ଟ୍ରେଲିଆ ବୋଲର ଯିଏ ବକ୍ସିଂ ଡେ ଦିନ କୌଣସି ଟେଷ୍ଟରେ ପାଞ୍ଚ ଓ୍ଵିକେଟ୍ ହାସଲ କରିବାର ଖେଳାଳି ହୋଇ ପାରିଛନ୍ତି। କ୍ୟାମରନ ଗ୍ରୀନଙ୍କ ଘାତକ ବୋଲିଂ କାରଣରୁ ଦକ୍ଷିଣ ଆଫ୍ରିକା ନିଜର ଶେଷ ୫ ଓ୍ଵିକେଟ୍ କେବଳ ୧୦ ରନ ବ୍ୟବଧାନରେ ହରାଇଥିଲା।

କ୍ୟାମେରୁନଙ୍କ ବୋଲିଂରେ ଦକ୍ଷିଣ ଆଫ୍ରିକାର ଟିବି ବ୍ରୁୟନ, କେ ଓ୍ଵିରେୟନ, ମାର୍କ ୟେନସନ, କାଗିସୋ ରାବଡା ଏବଂ ଲୁଙ୍ଗି ଏନଗିଡି ଶିକାର ହୋଇଛନ୍ତି। ସୂଚନାଯୋଗ୍ୟ, ୨୩ ବର୍ଷୀୟ କ୍ୟାମରନ ଗ୍ରୀନ ଇଣ୍ଡିଆନ ପ୍ରିମିୟର ଲିଗ୍-୨୦୨୩ ନିଲାମରେ ମୋଟା ଅଙ୍କର ଅର୍ଥ ରାଶିରେ ନିଲାମ ହୋଇଛନ୍ତି। ସେ ଏହି ସଂସ୍କରଣର ଦ୍ଵିତୀୟ ସବୁଠୁ ମହଙ୍ଗା ଖେଳାଳି। ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ୧୭ କୋଟି ୫୦ ଲକ୍ଷ ଟଙ୍କାରେ ନିଜ ଦଳରେ ସାମିଲ୍ କରିଛି। ଆୟ ମାମଲାରେ କ୍ୟାମରନ ଗ୍ରୀନଙ୍କଠୁ ଆଗରେ ଅଛନ୍ତି ଇଂଲଣ୍ଡର ଅଲରାଉଣ୍ଡର ସାମ କରନ। ତାଙ୍କୁ ପଞ୍ଜାବ କିଙ୍ଗ୍ସ ୧୮ କୋଟି ୫୦ ଲକ୍ଷ ଟଙ୍କା ଦେଇ କିଣିଛି। ଏଥିସହ ସାମ କରନ ଆଇପିଏଲ ଇତିହାସର ସବୁଠୁ ମହଙ୍ଗା ଖେଳାଳି ହେବାର ରେକର୍ଡ କରିଛନ୍ତି।

ଉଲ୍ଲେଖନୀୟ ଅଷ୍ଟ୍ରେଲିଆ ବକ୍ସିଂ ଡେ ଟେଷ୍ଟରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକଙ୍କ ନିଷ୍ପତ୍ତିକୁ ସଠିକ୍ ସାବ୍ୟସ୍ତ କରିଛନ୍ତି କଙ୍ଗାରୁ ବୋଲର। ଦକ୍ଷିଣ ଆଫ୍ରିକା ୧୮୯ ରନ କରିବାକୁ ସକ୍ଷମ ହୋଇଥିବା ବେଳେ ଦଳ ପକ୍ଷରୁ ଓ୍ଵିକେଟ୍ କିପର କାଇଲ ଓ୍ଵିରିୟନ ୫୨ ଏବଂ ମାର୍କୋ ଜନସେନ ୫୯ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। ବାକି ବ୍ୟାଟସମ୍ୟାନ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ୬ ଜଣ ବ୍ୟାଟସମ୍ୟାନ ଦୁଇ ଅଙ୍କ ବି ଛୁଇଁ ପାରି ନାହାନ୍ତି। ଜବାବରେ ଅଷ୍ଟ୍ରେଲିଆ ନିଜର ପ୍ରଥମ ଇନିଂସରେ ପ୍ରଥମ ଦିନର ଖେଳ ଶେଷ  ସୁଦ୍ଧା ଗୋଟିଏ ଓ୍ଵିକେଟ୍ ହରାଇ ୪୫ ରନ କରିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.