ନୂଆଦିଲ୍ଲୀ: ଆଇପିଏଲ ୨୦୨୨ର ଲିଗ୍ ପର୍ଯ୍ୟାୟ ସରି ଯାଇଛି। ମଙ୍ଗଳବାରଠୁ ଆରମ୍ଭ ହେବ ପ୍ଲେ ଅଫ ମୁକାବିଲା। ପ୍ଲେ ଅଫ ମୁକାବିଲାରେ ପ୍ରଥମ କ୍ଵାଲିଫାୟର ଏବଂ ଏଲିମିନେଟର କୋଲକାତାର ଇଡେନ ଗାର୍ଡେନରେ ଏବଂ ଦ୍ଵିତୀୟ କ୍ଵାଲିଫାୟର ଓ ଫାଇନାଲ୍ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ତେବେ ମ୍ୟାଚ୍ ସମୟରେ ପ୍ରତିକୂଳ ପାଣିପାଗ ଦେଖାଯିବାର ଆଶଙ୍କା ଦେଖା ଦେଇଛି। ଯଦି ଏମିତି ସ୍ଥିତି ଉପୁଜେ ତେବେ ମ୍ୟାଚ୍ କେମିତ ଖେଳାଯିବ ଏବଂ ଫଳାଫଳ କେମିତି ବାହାରିବ। ମ୍ୟାଚ୍ ନହେବା ସ୍ଥିତିରେ ସୁପର ଓଭର ଖେଳାଯିବ, ଯେଉଁ ଦଳ ଜିତିବ ସେ ଆଗକୁ ବଢିବ। ଯଦି ସୁପର ଓଭର ଟାଇ ରହେ ତେବେ ଆଉ ଏକ ସୁପର ଓଭର ଖେଳାଯିବ। କ୍ଵାଲିଫାୟର, ଏଲିମିନେଟର ସହିତ ଫାଇନାଲ୍ ମ୍ୟାଚ୍ରେ ମଧ୍ୟ ଏହି ନିୟମ ଲାଗୁ ହେବ।
ଯଦି ବର୍ଷା ହୁଏ ଏବଂ ନିର୍ଦ୍ଧାରିତ ସମୟରେ ଗୋଟିଏ ଲେଖାଏଁ ଓଭର ଖେଳ ନହୁଏ କିମ୍ବା ପଡିଆ ମ୍ୟାଚ୍ ପାଇଁ ଉପଯୁକ୍ତ ନରହେ ତେବେ ଗ୍ରୁପ ପର୍ଯ୍ୟାୟର ପଏଣ୍ଟ ଟେବୁଲର ବ୍ୟବହାର କରାଯିବ। ପଏଣ୍ଟ ଏବଂ ନେଟ୍ ରନ ରେଟ୍ ଆଧାରରେ ବିଜୟୀ ଘୋଷଣା କରାଯିବ। କାରଣ କୋଲକାତା ଏବଂ ଅହମ୍ମଦାବାଦରେ ଖରାପ ପାଣିପାଗ ହେବାର ଆଶଙ୍କା ରହିଛି।
ମେ ୨୪ ତାରିଖରେ ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ପ୍ରଥମ କ୍ଵାଲିଫାୟର ମ୍ୟାଚ୍ ଖେଳାଯିବ। ଏହାର ଗୋଟିଏ ଦିନ ପରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଏଲିମିନେଟର ମୁକାବିଲା ଖେଳାଯିବ। ହେଲେ ସପ୍ତାହର ପ୍ରଥମ କିଛି ଦିନ କୋଲକାତା ସହରରେ ପାଣିପାଗ ବିଗିଡିବାର ପୂର୍ବାନୁମାନ କରାଯାଇଛି। ଏମିତିରେ ନିର୍ଦ୍ଧାରିତ ସମୟ ଅନୁଯାୟୀ, ମ୍ୟାଚ୍ ଆୟୋଜନ ନେଇ ଆଶଙ୍କା ପ୍ରକାଶ ପାଇଛି।
ପ୍ଲେ ଅଫର ସମସ୍ତ ମୁକାବିଲା ପାଇଁ ଅତିରିକ୍ତ ଦୁଇ ଘଣ୍ଟାର ସମୟ ଯୋଡା ଯାଇଛି। ଯଦି ବର୍ଷା ହୁଏ ତେବେ ଏମିତି ସ୍ଥିତିରେ ରାତି ୯ଟା ୪୦ ସୁଦ୍ଧା ମ୍ୟାଚ୍ ଆରମ୍ଭ ହୋଇପାରେ। ଆଉ ଫାଇନାଲ୍ ମ୍ୟାଚ୍ ରାତି ୧୦ଟା ୧୦ ସୁଦ୍ଧା ଆରମ୍ଭ ହୋଇପାରେ। ଯଦି ଏହି ସମୟ ସୁଦ୍ଧା ମ୍ୟାଚ୍ ଆରମ୍ଭ ହୋଇଯାଏ ତେବେ ଓଭର କଟାଯିବ ନାହିଁ। ଆବଶ୍ୟକ ପଡିଲେ ବ୍ରେକ୍ ସମୟକୁ କାଣ୍ଟଛାଣ୍ଟ କରାଯିବ।
ଗାଇଡଲାଇନ୍ ଅନୁଯାୟୀ, ପ୍ଲେ ଅଫ ମୁକାବିଲା ଅତିକମରେ ୫ ଓଭର ଖେଳାଯିବା ଉଚିତ୍। ଯଦି ରାତି ୧୨ଟା୨୬ ସୁଦ୍ଧା ୫-୫ ଓଭରର ମ୍ୟାଚ୍ ଆରମ୍ଭ ନହୁଏ ଏବଂ ବର୍ଷା ଅଧିକ ସମୟ ଧରି ଜାରି ରହେ ତେବେ ସୁପର ଓଭର ଜରିଆରେ ମ୍ୟାଚର ଫଳାଫଳ ବାହାର କରାଯିବ। ଯଦି ପଡିଆ ସୁପର ଓଭର ପାଇଁ ଉପଯୋଗୀ ନଥାଏ ତେବେ ପଏଣ୍ଟ ଟେବୁଲର ସାହାରା ନିଆଯିବ। ଏଲିମିନେଟର ଏବଂ ଦୁଇ କ୍ଵାଲିଫାୟର ପାଇଁ ରିଜର୍ଭ ଡେ ରଖାଯାଇନଥିବା ବେଳେ ଫାଇନାଲ୍ ମ୍ୟାଚ୍ ପାଇଁ ରିଜର୍ଭ ଡେ ରଖାଯାଇଛି।
ଉଦଯାପନୀ ସମାରୋହ ଯୋଗୁଁ ଆଇପିଏଲ ୨୦୨୨ର ଫାଇନାଲ୍ ମୁକାବିଲା ରାତି ୮ଟାରେ ଆରମ୍ଭ ହେବ। ଯଦି ପ୍ରତିକୂଳ ପାଣିପାଗ ଯୋଗୁଁ ଫାଇନାଲ୍ ମ୍ୟାଚ୍ ବାଧାପ୍ରାପ୍ତ ହୁଏ କିମ୍ବା କୌଣସି କାରଣରୁ ସେହି ଦିନ ମ୍ୟାଚ୍ ନସରେ ତେବେ ମେ ୩୦କୁ ରିଜର୍ଭ ଡେ ଭାବେ ରଖାଯାଇଛି। ଯଦି ମେ ୨୯ରେ ଫାଇନାଲ୍ ମ୍ୟାଚ୍ରେ ଗୋଟିଏ ବି ବଲ୍ ପଡେ ଏବଂ ସେହି ଦିନ ମ୍ୟାଚ୍ ସମାପ୍ତ ନହୁଏ ତେବେ ମ୍ୟାଚ୍ ରିଜର୍ଭ ଡେରେ ଖେଳାଯିବ। ବଲ୍ ଯେଉଁଠୁ ପଡିଥିଲା ସେଠୁ ହିଁ ମ୍ୟାଚ୍ ଆରମ୍ଭ ହେବ।
ଯଦି ଫାଇନାଲରେ ଟସ୍ ପରେ ଗୋଟିଏ ବଲ୍ ନପଡେ ତେବେ ରିଜର୍ଭ ଡେରେ ପୁଣି ଥରେ ଟସ୍ ପଡିବ। ରିଜର୍ଭ ଡେରେ ମଧ୍ୟ ଅତିରିକ୍ତ ଦୁଇ ଘଣ୍ଟା ସମୟ ଯୋଡା ଯାଇଛି। କୌଣସି କାରଣବଶତଃ ଖେଳ ବାଧିତ ହେଲେ ଏହି ଦୁଇ ଘଣ୍ଟାକୁ ବ୍ୟବହାର କରାଯିବ।