ଓ୍ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଏକ ଦିବସୀୟ ପାଇଁ ଘୋଷଣା ହେଲା ଭାରତୀୟ ଦଳ, ସାମିଲ ହେଲେ ଋଷଭ ପନ୍ଥ
20/10/2018 at 9:06 PM

ନୂଆଦିଲ୍ଲୀ ୨୦/୧୦: ଭାରତ ଏବଂ ଓ୍ୱେଷ୍ଟଇଣ୍ଡିଜ ମଧ୍ୟରେ ଆସନ୍ତା କାଲିଠାରୁ ଆରମ୍ଭ ହେବ ଏକ ଦିବସୀୟ ସିରିଜ୍ । ଏହି ସିରିଜ୍ରେ ୫ଟି ଏକ ଦିବସୀୟ ମ୍ୟାଚ୍ ଅନୁଷ୍ଠିତ ହେବ । ସିରିଜ୍ର ପ୍ରଥମ ମ୍ୟାଚ୍ ଆସନ୍ତାକାଲି ଆସାମର ଗହ୍ୱାଟୀ ଷ୍ଟାଡ଼ିୟମରେ ଖେଳାଯିବ । ଏଥିପାଇଁ ଆଜି ଭାରତର ୧୨ ଜଣିଆ ଟିମ୍ ଘୋଷଣା କରାଯିବ ।
ପ୍ରଥମ ଏକଦିବସୀୟ ପାଇଁ ବିସିସିଆଇ ଯେଉଁ ୧୨ ଜଣିଆ ତାଲିକା ପ୍ରସ୍ତୁତ କରିଛି ତାହା ବେଶ ସନ୍ତୁଳିତ ଓ ମଜବୁତ୍ ମନେ ହେଉଛି । ଏହି ତାଲିକାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଘଟଣାଟି ହେଉଛି ଏଥିରେ ଋଷଭ ପନ୍ଥଙ୍କ ନାଁ ମଧ୍ୟ ରହିଛି । ଏଥିରୁ ସ୍ପଷ୍ଟ ହୋଇଛି ଯେ, ଋଷଭ ପନ୍ଥ ଓ୍ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପ୍ରଥମ ଏକ ଦିବସୀୟ ଖେଳିବେ । ସୂଚନାଯୋଗ୍ୟ ଯେ, ଋଷଭ ଭାରତ ପାଇଁ ପୂର୍ବରୁ ଟି-୨୦ ଏବଂ ଟେଷ୍ଟମ୍ୟାଚ୍ ଖେଳି ସାରିଥିଲେ ମଧ୍ୟ ଏ ଯାଏଁ ଏକଦିବସୀୟ ମ୍ୟାଚ୍ରେ ଡେବ୍ୟୁ କରିନାହାନ୍ତି । ଅପରପକ୍ଷରେ ୧୪ ଜଣିଆ ଭାରତୀୟ ଦଳରେ କେଏଲ ରାହୁଲ ଏବଂ ମନୀଷ ପାତ୍ରଙ୍କ ନାଁ ମଧ୍ୟ ସ୍ଥାନ ପାଇଥିଲା । ତେବେ ଏ ଦୁଇଜଣଙ୍କୁ ପ୍ଲେଇଙ୍ଗ ଇଲେଭେନ୍ରୁ ବାଦ ଦିଆଯାଇଛି । ବିସିସିଆଇ ନିଜ ଅଫିସିଆଲ ଟୁଇଟରରେ ଯେଉଁ ୧୨ ଜଣଙ୍କ ନାଁ ପ୍ରକାଶ କରିଛି ସେଥିରେ ଏ ଦୁଇଜଣଙ୍କ ନାଁ ନାହିଁ । ଏହି ୧୨ ଜଣିଆ ତାଲିକାରେ ରହିଛନ୍ତି ବିରାଟ କୋହଲି(ଅଧିନାୟକ), ରୋହୀତ ଶର୍ମା, ଶିଖର ଧାଓ୍ୱନ, ଋଷଭ ପନ୍ଥ, ଅମ୍ୱାତି ରାୟୁଡୁ, ମହେନ୍ଦ୍ର ସିଂ ଧୋନୀ, ରବିନ୍ଦ୍ର ଜାଡ଼େଜା, ୟୁଜୁବେନ୍ଦ୍ର ଚହଲ, କୁଲଦୀପ ଯାଦବ, ମହମ୍ମଦ ସାମି, ଉମେଶ ଯାଦବ ଏବଂ ଖଲିଲ ଅହମ୍ମଦ।