ଆଜିଠାରୁ ରାଜ୍ୟରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟାନ; ନଭେମ୍ବର ୨ରୁ ଜରିମାନା ଆଦାୟ ଓ ଜେଲ ବ୍ୟବସ୍ଥା

Published By : Prameya-News7 Bureau | October 02, 2018 IST

ଭୁବନେଶ୍ୱର ୨/୧୦ : ଆଜିଠାରୁ ରାଜ୍ୟରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟାନ ହୋଇଛି | ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ସହରରେ ଏହି ପ୍ରତିବନ୍ଧକ ଲାଗିବ | ପରେ ପର୍ଯ୍ୟାୟକ୍ରମେ ରାଜ୍ୟର ଅନ୍ୟ ସହର ମାନଙ୍କରେ ଏହି ପ୍ରତିବନ୍ଧକ କାର୍ଯ୍ୟକାରୀ ହେବ | ତେବେ ୫୦ ମାଇକ୍ରନ ତଳକୁ ଥିବା ପଲିଥିନ ବ୍ୟବହାର ଉପରେ ଏହି ପ୍ରତିବନ୍ଧକ ଲାଗୁହେବ | ସେହିଭଳି ୨୦୦ ମି:ଲି ତଳକୁ ପ୍ଲାଷ୍ଟିକ ବୋତଲ ତିଆରି ଓ ବ୍ୟବହାର ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିବ | ଏହାଠାରୁ ଅଧିକ ମିଳି ଲିଟର ପ୍ଲାଷ୍ଟିକ ବୋତଲ କୌଣସି ଦୋକାନୀ କିମ୍ବା କମ୍ପାନୀ ତିଆରି କଲେ ଏହା ଗ୍ରାହକଙ୍କ ଠାରୁ ସଂଗ୍ରହ କରିବ ବ୍ୟବସ୍ଥା କରିବେ | ମାସେ ପର୍ଯ୍ୟନ୍ତ ଜରିମାନା ଆଦାୟ ଏବଂ ଗିରଫଦାରୀ ଉପରେ ସରକାର କୋହଳ ମନୋଭାବ ପୋଷଣ କରିଛନ୍ତି | ସେପର୍ଯ୍ୟନ୍ତ ଏ ଦିଗରେ ବିଭିନ୍ନ ଦୋକାନୀ, କମ୍ପାନୀ ଓ ଲୋକଙ୍କୁ ସଚେତନ କରାଯିବ | ବିଭିନ୍ନ ମୁନିସିପାଲିଟି ଏ ନେଇ ସଚେତନତା ସୃଷ୍ଟି କରିବେ | ନଭେମ୍ବର ୨ ତାରିଖ ପରେ ପ୍ଲାଷ୍ଟିକ ଓ ପଲିଥିନ ତିଆରି କରୁଥିବା କମ୍ପାନୀ ଓ ବିକ୍ରି କରୁଥିବା ଦୋକାନୀଙ୍କ ଉପରେ ଜରିମାନା ଆଦାୟ ସହ ୫ ବର୍ଷ ଜେଲ ଦଣ୍ଡ ବ୍ୟବସ୍ଥା କରାଯିବ | ଜିଲ୍ଲାପାଳ, ଉପଜିଲ୍ଲାପାଳ ପାଲ୍ୟୁସନ କଣ୍ଟ୍ରୋଲ ବୋର୍ଡର ସଦସ୍ୟଙ୍କୁ ଚଢ଼ାଉ ଏବଂ ଜୋରିମାନା ଆଦାୟ ପାଇଁ କ୍ଷମତା ଦିଆଯାଇଛି | ବିକଳ୍ପ ଭାବେ କାଗଜ ଠୁଙ୍ଗା, ଖଲି, କାଗଜ ବ୍ୟାଗ, ପତ୍ର ଖଲି, କପଡା ବ୍ୟାଗ ଆଦି ବ୍ୟବହାର କରିବ ପାଇଁ କୁହାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.