ନିଷେଧ ପରେ ବି ବେଧଡକ ଚାଲିଛି ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ ବ୍ୟବହାର
2/10/2019 at 6:41 PM

ଭୁବନେଶ୍ୱର/ବ୍ରହ୍ମପୁର/ସମ୍ବଲପୁର ୦୨।୧୦- ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଆଜିଠୁ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ନିଷେଧ କରାଯାଇଛି । ଯଦିଓ ଆଜିଠାରୁ ଏହାକୁ ସଂପୂର୍ଣ୍ଣ ନିଷେଧ କରିବ ସମ୍ଭବପର ହୋଇନାହିଁ କିନ୍ତୁ ସରକାର ଏନେଇ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ନିଜେ ବ୍ୟବହାର ହୋଇଥିବା ପ୍ଲାଷ୍ଟିକକୁ ଡଷ୍ଟବିନ୍ରେ ଫିଙ୍ଗିଛନ୍ତି । ସାରା ରାଜ୍ୟରେ ଏହି ନିୟମ ଲାଗୁ ହୋଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଆବଶ୍ୟକ ସଚେତନତା କାର୍ଯ୍ୟକ୍ରମ ଅଭାବରୁ ଅନେକ ସ୍ଥାନରେ ପ୍ଲାଷ୍ଟିକ୍ ବ୍ୟବହାର ଚାଲିଥିବା ବେଳେ ଅନେକ ସ୍ଥାନରେ ପ୍ଲାଷ୍ଟିକ ଆବର୍ଜନା ଦେଖିବାକୁ ମିଳିଛି ।…

ପ୍ଲାଷ୍ଟିକ ହଟାଅ, ପରିବେଶ ବଞ୍ଚାଅ ।ପରିବେଶ ପାଇଁ ବିଷ ପାଲଟିଛି ଥରେ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ।ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଆଜି ରାଜ୍ୟରେ ପ୍ଲାଷ୍ଟିକ ବ୍ୟାନ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଆୟୋଜିତ ମୁଁ ସଫେଇବାଲା କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ରାସ୍ତାରେ ପଡ଼ିଥିବା ପ୍ଲାଷ୍ଟିକ ବୋତଲକୁ ଉଠାଇ ଡଷ୍ଟବିନ୍ରେ ପକାଇଥିଲେ ।ସେଠାରୁ ଆରମ୍ଭ ହୋଇଥିଲା ପ୍ଲାଷ୍ଟିକ ବର୍ଜନ ଅଭିଯାନ ।ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାର ନ କରିବା ପାଇଁ ରାଜଧାନୀ ଭୁବନେଶ୍ବରରେ ସ୍କୁଲ ପିଲାମାନଙ୍କୁ ସଚେତନ କରାଯିବ ବୋଲି କହିଛନ୍ତି ବିଏମ୍ସି କମିଶନର ।…

କେବଳ ରାଜଧାନୀ ଭୁବନେଶ୍ବର ନୁହେଁ ସମ୍ବଲପୁରରେ ମଧ୍ୟ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।କିନ୍ତୁ ସମ୍ବଲପୁର ସହରରେ ଚାଲିଛି ପଲିଥିନ୍ର ଅବାଧ ବ୍ୟବହାର ।ସହରର ରାସ୍ତାକଡ଼ ବେପାରୀ, ଦୋକାନ ବଜାର, ହୋଟେଲ ସବୁଠି ଚାଲିଛି ପଲିଥିନ୍ର ମନଇଚ୍ଛା ବ୍ୟବହାର ।୨୦୧୬ରୁ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ପଲିଥିନ୍ ବ୍ୟବହାର ନିଷେଧ କରାଯାଇଛି କିନ୍ତୁ ସାରା ସହରରେ ଏହାର ଚାଲିଛି ଖୋଲାଖୋଲି ଉଲ୍ଲଂଘନ ।ସରକାରଙ୍କ ଘୋଷଣା, ନିୟମ, ଜୋରିମାନା, ଜେଲ ଦଣ୍ଡାଦେଶ ସବୁ ଯେମିତି ଧୁଆଁବାଣ ପାଲଟିଛି ।ଏ ସଂପର୍କରେ ସ୍ଥାନୀୟ ବାସିନ୍ଦା ତଥା ପ୍ରଶାସନର କଣ ରହିଛି ପ୍ରତିକ୍ରିୟା ଶୁଣନ୍ତୁ ।…

ଇଏତ ଗଲା ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ସମ୍ବଲପୁରର କଥା ଦକ୍ଷିଣ ଓଡ଼ିଶାର ମୁଖ୍ୟ ସହର ବ୍ରହ୍ମପୁରରେ ମଧ୍ୟ ସ୍ଥିତି ଉଣାଅଧିକେ ସେୟା ।ଜିଲ୍ଲା ପ୍ରସାସନ ପକ୍ଷରୁ ବ୍ରହ୍ମପୁର ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଗାନ୍ଧିଜୀଙ୍କ ଆଦର୍ଶ କଥା ମନେ ପକାଇବା ସହିତ ପ୍ଲାଷ୍ଟିକ ବ୍ୟାନ୍ ପାଇଁ ଆହ୍ବାନ ଦିଆଯାଇଥିଲା ।ଏହି ଅବସରରେ ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କୁ ମହାନଗର ନିଗମ ପକ୍ଷରୁ ଚକୋଲେଟ୍ ବଣ୍ଟନ ସହିତ ପ୍ଲାଷ୍ଟିକ ବ୍ୟବହାର ନ କରିବା ପାଇଁ କୁହାଯାଇଥିଲା ।କିନ୍ତୁ ସହରରେ ପଲିଥିନ୍, ଛୋଟ ପ୍ଲାଷ୍ଟିକ ବୋତଲ, ପାଣି ପାଉଚ୍ର ମନଇଚ୍ଛା ବ୍ୟବହାର ଚାଲିଛି ।…

ଥରେ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ନିଷେଧ ପାଇଁ ଆଜି ସାରା ରାଜ୍ୟରେ ବାର୍ତ୍ତା ତ ଦିଆଯାଇଛି, ହେଲେ ଏହା ଆଗକୁ କିଭଳି କଡ଼ାକଡ଼ି ଲାଗୁ ହେଉଛି ତାହା ଦେଖିବାର କଥା ।…
