ଆଜିଠାରୁ ରାଜ୍ୟରେ ପ୍ଲାଷ୍ଟିକ୍ ବ୍ୟବହାର ଉପରେ ନିୟମ ହେବ କଡାକଡି; ନିୟମ ନମାନିଲେ ଗଣିବେ ଜରିମାନା
1/11/2018 at 9:30 AM

ଭୁବନେଶ୍ବର ୧|୧୧: ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ରାଜ୍ୟର ୫ଟି ମହାନଗର ନିଗମ ଓ ପୁରୀ ସହରାଞ୍ଚଳରେ ପ୍ଲାଷ୍ଟିକ୍ ବିକ୍ରି ଏବଂ ପଲିଥିନ ବ୍ୟବହାର ଉପରେ କଟକଣା ଲଗାଇଥିଲେ ରାଜ୍ୟ ସରକାର । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ପୁରୀ ସହରରେ ପ୍ରତିବନ୍ଧକ ଲଗାଯାଇଥିଲା । ଆଜିଠାରୁ ଏହା କଡାକଡି ଭାବେ କାର୍ଯ୍ୟକାରୀ ହେବ। ପଲିଥିନ୍ ତିଆରି କରୁଥିବା କମ୍ପାନୀଙ୍କୁ ଷ୍ଟକ୍ ସାରିବାକୁ ଅକ୍ଟୋବର ୩୦ ଯାଏଁ ଡେଡଲାଇନ୍ ଦେଇଥିଲା ଜଙ୍ଗଲ ଓ ପରିବେଶ ବିଭାଗ ।
୫୦ ମାଇକ୍ରନ୍ ତଳକୁ ଥିବା ପଲିଥିନ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲାଗିଥିଲା । ଲୋକଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ମ୍ୟୁନିସିପାଲଟି ଓ ଏନଏସି କର୍ତ୍ତୃପକ୍ଷ ସଚେତନତା କାର୍ଯ୍ୟକ୍ରମ କରିଥିଲେ । ନଭେମ୍ବର ୧ ପରେ ପ୍ଲାଷ୍ଟିକ୍ ଓ ପଲିଥିନ୍ ତିଆରି କରୁଥିବା କଂପାନୀ ଓ ବିକ୍ରି କରୁଥିବା ଦୋକାନୀ ଉପରେ ଜରିମାନା ଆଦାୟ ସହ ୫ ବର୍ଷ ଜେଲ୍ ଦଣ୍ଡ ଭଳି କଟକଣା କରାଯାଇଛି । ଜିଲ୍ଲାପାଳ, ଉପଜିଲ୍ଲାପାଳ, ପଲ୍ୟୁସନ୍ କଣ୍ଟ୍ରୋଲ୍ ବୋର୍ଡର ସଦସ୍ୟଙ୍କୁ ଚଢାଉ ଓ ଜରିମାନା ଆଦାୟ ପାଇଁ କ୍ଷମତା ଦିଆଯାଇଛି । ଜଙ୍ଗଲ ଓ ପରିବେଶ ବିଭାଗ ସବୁ ବିଭାଗ ସହିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ପୁଲିସ, ୫ଟି ମହାନଗର ନିଗମର କମିସନର ଓ ପୁରୀ ଜିଲ୍ଲାପାଳଙ୍କୁ ଚିଠି ଲେଖି ତାଗିଦ୍ କରିଛି । ସଂପୃକ୍ତ କମିସନର ମାନେ ଓ ପୁରୀ ଜିଲ୍ଲାପାଳ ସ୍ବତନ୍ତ୍ର ସ୍କ୍ବାଡ୍ ଗଠନ କରିସାରିଛନ୍ତି । ଆଜିଠାରୁ ସେମାନେ ତନାଘନା କରିବେ। ପ୍ରାଥମିକ ପର୍ଯ୍ୟାୟରେ ଥରକେ ବ୍ୟବହାର ବା ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାରକୁ ସଂପୂର୍ଣ୍ଣ ବନ୍ଦ କରାଯିବ। ଏଥିପାଇଁ ଛୋଟ ବଡ଼ ଦୋକାନ, ଗୋଦାମ, ଶିଳ୍ପାନୁଷ୍ଠାନ ଆଦିଙ୍କୁ ସେମାନଙ୍କ ନିକଟରେ ଗଚ୍ଛିତ ଥିବା ପ୍ଲାଷ୍ଟିକ, ଚା କପ୍, କ୍ୟାରି ବ୍ୟାଗ୍, ପଲିଥିନ୍ ସାରିବାକୁ ମାସେ ସମୟ ଦିଆଯାଇଥିଲା । ତେଣୁ ଆଜିଠାରୁ ପଲିଥିନ୍ ଉତ୍ପାଦନ କରୁଥିଲେ କିମ୍ବା ମହଜୁଦ ରଖିଥିଲେ ଏଣିକି କାର୍ଯ୍ୟାନୁଷ୍ଠାନ ହେବ । ତେବେ ଏଥିରୁ ପାଣି ବୋତଲ, କ୍ଷୀର ପାଉଚ୍, ଦୋକାନରେ ବିକ୍ରି ହେଉଥିବା ପ୍ଲାଷ୍ଟିକ ପ୍ୟାକ୍ ସାମଗ୍ରୀ ଆଦି ବାଦ୍ ଦିଆଯାଇଛି ।