ପ୍ଲାଜମା ଥେରାପି ରାଜ୍ୟରେ ହ୍ରାସ କରିଛି କୋଭିଡ ମୃତ୍ୟୁହାର: ସରକାର

Published By : Prameya-News7 Bureau | August 27, 2020 IST

ଭୁବନେଶ୍ୱର ୨୭।୮: ସାରା ଦେଶରେ ଜାରି ରହିଛି କରୋନା ମହାମାରୀ ପ୍ରକୋପ। ଓଡିଶାରେ ସଂକ୍ରମଣ ଦ୍ରୁତ ବୃଦ୍ଧି ହେଉଥିବା ବେଳେ ଗୁରୁତର ରୋଗୀଙ୍କ ଚିକିତ୍ସା ଲାଗି ସରକାର ଏବେ ପ୍ଲାଜମା ଥେରାପି ଉପରେ ଗୁରୁତ୍ୱ ଦେଉଛନ୍ତି। ମାତ୍ର ୪୦ ଦିନର ସ୍ୱଳ୍ପ ଅବଧିରେ ଓଡିଶା ସରକାର ସାରା ରାଜ୍ୟରେ ୬ଟି ପ୍ଲାଜମା ବ୍ୟାଙ୍କ ସ୍ଥାପନା କରିପାରିଥିବା ବେଳେ ୪୮୨ ଜଣ ଗୁରୁତର ଆକ୍ରାନ୍ତ ରୋଗୀଙ୍କ ସଫଳ ଚିକିତ୍ସା କରାଇପାରିଥିବା ସ୍ୱାସ୍ଥ୍ୟ ବିଭାଗଙ୍କ ବିଜ୍ଞପ୍ତିରୁ ଜଣାପଡିଛି।

ରାଜ୍ୟରେ କୋଭିଡ ମୃତ୍ୟୁହାର ଏବେ ମାତ୍ର ୦.୫ ପ୍ରତିଶତ ରହିଛି। ଯାହାକି ଦେଶର ଅନ୍ୟ ରାଜ୍ୟମାନଙ୍କ ତୁଳନରା ଯଥେଷ୍ଠ କମ୍‌। ହେଲେବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଗୁରୁତର କରୋନା ଆକ୍ରାନ୍ତଙ୍କ ଲାଗି ଏବେ ପ୍ଲାଜମା ଥେରାପି ଉପରେ ପ୍ରାଧାନ୍ୟ ଦିଆଯାଉଛି। ପ୍ଲାଜମା ଥେରାପି ଦ୍ୱାରା କୋଭିଡ ଚିକିତ୍ସା ହୋଇପାରୁଥିବା ଜଣାପଡିବା ପରେ ରାଜ୍ୟ ସରକାର ଜୁଲାଇ ୧୫ ତାରିଖରେ କଟକ ଏସସିବି ମେଡିକାଲ କଲେଜ ହସ୍ପିଟାଲରେ ପ୍ରଥମ ପ୍ଲାଜମା ବ୍ୟାଙ୍କ ସ୍ଥାପନା କରିଥିଲେ।

ଏହା ପରଠାରୁ ରାଜ୍ୟରେ ଆହୁରି ୫ଟା ପ୍ଲାଜମା ବ୍ୟାଙ୍କ ସ୍ଥାପିତ ହୋଇଥିବା ବେଳେ ଏଥିରୁ ରାଜଧାନୀର କ୍ୟାପିଟାଲ ହସ୍ପିଟାଲ, ରାଉରକେଲାର ଆଇଜିଏଚ୍, ବ୍ରହ୍ମପୁରର ଏମକେସିଜି, ବୁର୍ଲାର ଭୀମସାର ଓ କୋରାପୁଟର ଏସଏଲଏନ ଏମସି ଏଣ୍ଡ ଏଚ୍‌ରେ ଗୋଟିଏ କରି ପ୍ଲାଜମା ବ୍ୟାଙ୍କ ସ୍ଥାପିତ ହୋଇଛି। ଏହା ଛଡା ଫକୀର ମହୋନ ମେଡକାଲ କଲେଜ ଓ ହସ୍ପିଟାଲରେ ପ୍ଲାଜମା ଭଣ୍ଡାରଣ ବ୍ୟବସ୍ଥା ମଧ୍ୟ ହୋଇଛି।

ଉପରୋକ୍ଟ ପ୍ଲାଜମା ବ୍ୟାଙ୍କ ଓ ଭଣ୍ଡାର ଦ୍ୱାରା ଏପର୍ଯ୍ୟନ୍ତ ୫୫୯ୟୁନିଟ୍ ପ୍ଲାଜମା ସଂଗୃହୀତ ହୋଇଥିବା ବେଳେ ୪୮୨ଜଣଙ୍କ ଠାରେ ପ୍ଲାଜମା ଥେରାପି କରାଯାଇଛି। ଏମାନଙ୍କ ମଧ୍ୟରୁ ୬୩ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିଶ୍ଚାର୍ଜ ହୋଇସାରିଲେଣି ବୋଲି ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି। ସେହିପରି ରାଜ୍ୟର ବ୍ଲଡବ୍ୟାଙ୍କ ମାନଙ୍କରେ ଆଇଜିଜି ଆଣ୍ଟିବଡି ଲେବୁଲ ପରୀକ୍ଷଣ ଲାଗି ମଧ୍ୟ ବ୍ୟବସ୍ଥା ହୋଇଛି। ଏହା ଦ୍ୱାରା କେହି ପ୍ଲାଜମା ଦାନ କରିପାରିବେ କି ନା ସହଜରେ ଜାଣିପାରିବା ସହ ପ୍ଲାଜମା ଦାନ କରିପାରିବେ। ରାଜ୍ୟରେ ବଢୁଥିବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର କୋଭିଡରେ ପ୍ଲାଜମା ଥେରାପିକୁ ଅଧିକ ଦକ୍ଷ କରିବା ଲାଗି ଉଦ୍ୟମ ଜାରି ରଖିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.