ସରକାରଙ୍କ ପରେ ଏବେ ଚୀନକୁ ଉଚିତ୍ ଶିକ୍ଷା ଦେଲା HERO ସାଇକେଲ୍, ବାତିଲ୍ କଲା ୯୦୦ କୋଟି ଟଙ୍କାର କାରବାର

Published By : Prameya-News7 Bureau | July 04, 2020 IST

ନୂଆଦିଲ୍ଲୀ ୦୪।୦୭: ପୂର୍ବ ଲଦାଖର ଗଲଓ୍ଵାନ ଉପତ୍ୟକାରେ ଭାରତ-ଚୀନ ସୈନିକଙ୍କ ମଧ୍ୟରେ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ୍ ହେବା ପରେ ଚୀନକୁ ଭାରତ ସାମରିକ ଏବଂ ଆର୍ଥିକ ମୋର୍ଚ୍ଚାରେ ଘେରିବାରେ ଲାଗିଛି। ୫୯ଟି ଚାଇନା ଆପ୍ସ ନିଷିଦ୍ଧ ପରେ ଦେଶର ଅନେକ ପ୍ରକଳ୍ପରୁ ଚୀନୀ କମ୍ପାନୀକୁ ବାଦ୍‌ ଦିଆଯାଉଛି। ଦେଶରେ ଏବେ ଆତ୍ମ ନିର୍ଭର ଅଭିଯାନ ଜୋର ଧରିଛି। ଚାଇନା ଉପରୁ ନିର୍ଭରଶୀଳତା କମ କରିବା ପାଇଁ ୟୁନାଇଟେଡ୍ ସାଇକେଲ୍ ପାର୍ଟ୍ସ ଆଣ୍ଡ ମ୍ୟାନୁଫେକଚରିଂ ଆସୋସିଏସନ(UCPMA)ର ସଦସ୍ୟଙ୍କୁ ବୈଷେୟି ସହାୟତା ପ୍ରଦାନ କରିବାକୁ ଅଫର ଆସିବା ପରେ ଦେଶର ବଡ ସାଇକେଲ୍ ନିର୍ମାତାକାରୀ କମ୍ପାନୀ ହିରୋ ଚୀନ ସହିତ ୯୦୦ କୋଟି ଟଙ୍କାର ଆଗାମୀ କାରବାର ସମ୍ବନ୍ଧକୁ ରଦ୍ଦ କରିବାକୁ ଘୋଷଣା କରିଛି। ହିରୋ ସାଇକେଲ୍‌ର ଅଧ୍ୟକ୍ଷ ତଥା ପରିଚାଳକ ନିର୍ଦ୍ଦେଶକ(CMD) ପଙ୍କଜ ମୁଞ୍ଜଲ ଶୁକ୍ରବାର ଚୀନ ସହ କାରବାର ସମ୍ବନ୍ଧ ଛିନ୍ନ ହୋଇଥିବା ଘୋଷଣା କରିଛନ୍ତି।

ଗଣମାଧ୍ୟମ ସହ ଆଲୋଚନା ବେଳେ ମୁଞ୍ଜଲ କହିଛନ୍ତି, ଆଗାମୀ ତିନି ମାସରେ ଚୀନ ସହ ୯୦୦ କୋଟି ଟଙ୍କାର କାରବାର କରିବାକୁ ଯୋଜନା ହୋଇଥିଲା। ମାତ୍ର କମ୍ପାନୀ ଏବେ ଏହି ଯୋଜନା ବାତିଲ୍ କରିଛି। ଚାଇନା ଉତ୍ପାଦ ବହିଷ୍କାର କରିବା ଆମର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି।

ହିରୋ ସାଇକେଲ୍‌ ଚୀନରୁ ସାଇକେଲ୍‌ ନିର୍ମାଣ ପାଇଁ ଉପକରଣ ଆମଦାନୀ କରୁଥିଲା। ଏହା ସହିତ ପେଶାଦାର ସାଇକେଲ୍‌ ଚଢାଳିଙ୍କଠୁ ଅର୍ଡର ଅନୁସାରେ ଚୀନରୁ ବହୁଦାମୀ ସାଇକେଲ୍‌ ମଧ୍ୟ ଆମଦାନୀ କରାଯାଉଥିଲା। ଏହାର ଦର ୧୫ ହଜାରରୁ ନେଇ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥିଲା।

ମୁଞ୍ଜଲ ଏବେ ଚୀନ ସହିତ କାରବାର ଛିନ୍ନ କରି ନୂତନ ବଜାର ଖୋଜିବା ଆରମ୍ଭ କରିଛନ୍ତି। ଏ କ୍ଷେତ୍ରରେ ଜର୍ମାନୀ ଏକ ଭଲ ବଜାର। ତେଣୁ ମୁଞ୍ଜଲ ଚୀନ ପରିବର୍ତ୍ତେ ଜର୍ମାନୀକୁ ଏକ ଭଲ ବିକଳ୍ପ ବଜାର ଭାବେ ଦେଖୁଛନ୍ତି। ସେ କହିଛନ୍ତି, ହିରୋ ସାଇକେଲ୍ ଜର୍ମାନୀରେ ପ୍ଲାଣ୍ଟ ସ୍ଥାପନ କରିବାକୁ ଯୋଜନା କରୁଛି। ୟୁରୋପିୟନ ବଜାରରେ ନିଜର ସ୍ଥିତି ଜାହିର କରାଯିବ ବୋଲି ସେ କହିଛନ୍ତି।

ମୁଞ୍ଜଲ କହିଛନ୍ତି, ବିଶ୍ଵ ବଜାରରେ କିଛି ମାସ ହେବ ସାଇକେଲ୍‌ର ଚାହିଦା ବହୁତ ବୃଦ୍ଧି ପାଇଛି। ହିରୋ ସାଇକେଲ୍‌ ମଧ୍ୟ ବଜାରର ଚାହିଦା ପୂରଣ କରିବାକୁ ସମର୍ଥ। ସେ ଏହା ମଧ୍ୟ କହିଛନ୍ତି ଯେ, ଲକ୍‌ଡାଉନ୍‌ରେ ଛୋଟ ଛୋଟ କମ୍ପାନୀ ଗୁରୁତର ଆର୍ଥିକ କ୍ଷତି ସହିଛନ୍ତି। ତେଣୁ ଏହି ସମୟରେ ଆମେ ସେମାନଙ୍କ ସାହାଯ୍ୟ ପାଇଁ ଆଗକୁ ଆସିଛୁ। ସେମାନଙ୍କ ସହିତ ବୈଷେିକ ଜ୍ଞାନ କୌଶଳ ଆଦାନ ପ୍ରଦାନ ପାଇଁ ପ୍ରସ୍ତୁତ, ଯଦ୍ଵାରା ଉଚ୍ଚମାନର ସାଇକେଲ୍‌ ତିଆରି କରାଯାଇ ପାରିବ ଯାହା ଚୀନରୁ ଆମଦାନୀ ହେଉଥିଲା।

ସେ କହିଛନ୍ତି ଲୁଧିଆନାର ଧନାନସୁ  ଗାଁରେ ଥରୁଟିଏ ସାଇକେଲ୍ ଭ୍ୟାଲି ହେବା ପରେ ଆମେ ସହଜରେ ଚୀନର ମୁକାବିଲା କରି ପାରିବୁ। ଯଦି ଭାରତ ନବୀନତମ କମ୍ପ୍ୟୁଟର ନିର୍ମାଣ କରି ପାରୁଛି ତେବେ ଆମେ କାହିଁକି ହାଇଟେକ୍ ସାଇକେଲ୍ ନିର୍ମାଣ କରିବା ପାରିବୁ ନାହିଁ  ବୋଲି ମୁଞ୍ଜଲ କହିଛନ୍ତି।

ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ, ଭାରତରେ ସବୁ ପ୍ରକାରର ସାଇକେଲ୍‌ ନିର୍ମାଣ ସମ୍ଭବ। ଏହା ମଧ୍ୟରେ ଶୁକ୍ରବାର ସନ୍ଧ୍ୟାରେ ସେ ଲୁଧିଆନାର ଜିଲ୍ଲାପାଳ ବରିନ୍ଦର କୁମାର ଶର୍ମାଙ୍କ ସହିତ ସାଇକେଲ୍ ଭ୍ୟାଲି ସ୍ଥଳ ପରିଦର୍ଶନ  କରିଛନ୍ତି। ଚୀନୀ କମ୍ପାନୀ ଏହି ଘାଟିରେ  ନିବେଶ କରିବାକୁ ଯୋଜନା ରଖିଥିଲା। ଏଠାରେ କେବଳ ହାଇଟେକ୍ ସାଇକେଲ୍ ନିର୍ମାଣର ଯୋଜନା ରହିଥିଲା। ଏଠାରେ ୪୦୦ କୋଟି ଟଙ୍କା ବଜେଟ୍ରେ ୧୦୦ ଏକର ଜମିରେ ସାଇକେଲ୍ ଭ୍ୟାଲି ନିର୍ମାଣ ହେବ ବୋଲି ମୁଞ୍ଜଲ କରିଛନ୍ତି। ଭୂମି ଅଧିଗ୍ରହଣ ପୂର୍ବରୁ ହୋଇ ସାରିଥିବା ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.