କଟକଣା ମଧ୍ୟରେ ଆରମ୍ଭ ହୋଇପାରେ ଇକୋ-ରିଟ୍ରିଟ୍, ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ
3/11/2020 at 2:43 PM

କୋଣାର୍କ ୦୩।୧୧: ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଇକୋ-ରିଟ୍ରିଟ୍ । ଗତ ବର୍ଷ ଆରମ୍ଭ ହୋଇଥିବା ଏହି ମହୋତ୍ସବର ଅପୂର୍ଵ ସଫଳତା ପରେ ଏବର୍ଷ ପୁଣି ଥରେ କୋଣାର୍କ-ପୁରୀ ମେରାଇନ ଡ୍ରାଇଭ ର ସାହୁ ଖଣତା ଠାରେ ଆୟୋଜନ ହେବ ଇକୋ ରିଟ୍ରିଟ ।

ସେଥିପାଇଁ ଆଜି ପୂର୍ବାହ୍ନରେ ପୁରୀ ଜିଲ୍ଲାପାଳ ବଲ୍ଲବନ୍ତ ସିଂ ଙ୍କ ସହିତ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ କୋଣାର୍କ ଗ୍ରସ୍ତ କରି ବେଳାମାର୍ଗ ପରିଦର୍ଶନ କରିବା ସହିତ ଏହାର ପାରିପାର୍ଶ୍ବକ ସ୍ଥିତି ଅନୁଧ୍ୟାନ କରିଥିଲେ । ଚଳିତ ବର୍ଷ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ସୁରକ୍ଷା ସହିତ କିଭଳି ଏହି ବେଳାମାର୍ଗ ମହୋତ୍ସବ ଆୟୋଜନ କରାଯିବ ସେଥିପାଇଁ ଜିଲ୍ଲାପାଳ ଓ ପର୍ଯ୍ୟଟନ ନିର୍ଦେଶକ ସ୍ଥାନୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ।

ଉଚ୍ଚ ଜୁଆର ଦ୍ଵାରା ସମୁଦ୍ରରେ ବଡ଼ ବଡ଼ ଢେଉ ସୃଷ୍ଟି ହୋଇ ସମୁଦ୍ର ବେଳାମାର୍ଗ ଖାଉ ଥିବାରୁ କିଭଳି ଏହାକୁ ରୋକାଯାଇ ପାରିବ ।ସେଥିପାଇଁ ବନ ବିଭାଗ ସହିତ ଆଲୋଚନ କରି ବ୍ୟାପକ ବୃକ୍ଷ ରୋପଣ କରିବା ପାଇଁ ନିଷ୍ପତି ନିଆଯାଇଛି । ଏହା ସହିତ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ମାସ୍କ ଓ ସାନିଟାଇଜରର ବାଧ୍ୟତାମୂଳକ କରାଯାଇଛି ।

ଲକ୍ଡାଉନ ପରେ ଏହି ମହୋତ୍ସବ ଆୟୋଜନ ହେଉଥିବାରୁ ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ଟ୍ରାଫିକ ନିୟନ୍ତ୍ରଣ ଉପରେ ଧ୍ୟାନ ଦେବାକୁ ଜିଲ୍ଲାପାଳ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । କରୋନା ସଂକ୍ରମଣ ଯୋଗୁଁ କୋଭିଡ ଗାଇଡଲାଇନ ମଧ୍ୟରେ ମନୋରଞ୍ଜନ କାର୍ଯ୍ୟକ୍ରମକୁ ସୀମିତ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।
