ବିମାନବନ୍ଦରରେ ୫୦ ଯାତ୍ରୀଙ୍କୁ ଛାଡ଼ି ଉଡ଼ିଥିଲା ବିମାନ, ଏବେ ମାଗଣା ଟିକେଟ୍ ଦେବ କମ୍ପାନୀ
10/01/2023 at 7:11 PM

ନୂଆଦିଲ୍ଲୀ, ୧୦/୦୧: ବିମାନବନ୍ଦରରେ ୫୦ ଯାତ୍ରୀଙ୍କୁ ଛାଡ଼ି ବିମାନ ଉଡ଼ାଣ ଭରିଥିବା ଘଟଣାରେ କ୍ଷମା ମାଗିଛି କମ୍ପାନୀ। ସୋମବାର ଗୋ ଫାର୍ଷ୍ଟ କମ୍ପାନୀର ଜି ୮ ୧୧୬ ବିମାନ ୫୦ ଜଣ ଯାତ୍ରୀଙ୍କୁ ଛାଡ଼ି ଉଡ଼ାଣ ଭରିଥିଲା। ବିମାନ ଉଡ଼ାଣ ଭରିବା ସମୟରେ ଯାତ୍ରୀ ରନଓ୍ବେରେ ହିଁ ଥିଲେ। କିନ୍ତୁ ବିମାନ ସେମାନଙ୍କୁ ଛାଡ଼ି ଉଡ଼ିଥିଲା। ବେଙ୍ଗାଲୁରୁରୁ ଦିଲ୍ଲୀ ଯାଉଥିବା ଗୋ ଫାର୍ଷ୍ଟ ବିମାନ ସୋମବାର ସକାଳ ୬:୩୦ ରେ ବେଙ୍ଗାଲୁରୁ ଏୟାରପୋର୍ଟରୁ ଉଡ଼ିଥିଲ।।
ସେପଟେ ଏହି ଅବହେଳାକୁ ନେଇ ଡିଜିସିଏ ଗୋ ଫାର୍ଷ୍ଟ ଠାରୁ ଏହାକୁ ନେଇ ସ୍ପଷ୍ଟୀକରକଣ ମାଗିଥିଲା। ଯାହାର ଉତ୍ତରରେ ଗୋ ଫାର୍ଷ୍ଟ କମ୍ପାନୀ କ୍ଷମା ମାଗିଛି। କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ ବେଙ୍ଗାଲୁରୁରୁ ଦିଲ୍ଲୀ ଉଡ଼ାଣ ଭରିଥିବା ଜି ୮ ୧୧୬ ର ଉଡ଼ାଣରେ ଅଜାଣତରେ ହୋଇଥିବା ଚେକିଂ କାରଣରୁ ଯାତ୍ରୀଙ୍କ ଅସୁବିଧା ଭୋଗିବାକୁ ପଡ଼ିଛି। ଏଥିପାଇଁ କମ୍ପାନୀ କ୍ଷମା ପ୍ରାର୍ଥୀ। ଯାତ୍ରୀଙ୍କୁ ଦିଲ୍ଲୀ ଏବଂ ଅନ୍ୟ ଗନ୍ତବ୍ୟ ପାଇଁ ବିକଳ୍ପ ବିମାନରେ ବ୍ୟବସ୍ଥା କରାଯାଇଥିଲା।
ବିମାନ କମ୍ପାନୀ କହିଛି ଯେ ଏହି ଅସୁବିଧା କାରଣରୁ ସବୁ ପ୍ରଭାବିତ ଯାତ୍ରୀଙ୍କୁ ଆସନ୍ତା ୧୨ ମାସ ମଧ୍ୟରେ ଘରୋଇ ଉଡ଼ାଣ ପାଇଁ ଏକ ମାଗଣା ଟିକେଟ୍ ଦିଆଯିବ। ବିମାନ କମ୍ପାନୀ ଘଟଣାର ଯାଞ୍ଚ ନିର୍ଦେ୍ଦଶ ଦେଇଛି ଏବଂ ଯାଞ୍ଚ ସରିବା ପର୍ଯ୍ୟନ୍ତ ବିମାନର ସବୁ ଷ୍ଟାଫ୍ ଛୁଟିରେ ରହିବେ।
ସୂଚନାଯୋଗ୍ୟ, ଗତକାଲି ଗୋ ଫାର୍ଷ୍ଟର ବିମାନ ୫୪ ଯାତ୍ରୀଙ୍କୁ ଛାଡ଼ି ଉଡ଼ାଣ ଭରିଥିଲା। ଏହି ଯାତ୍ରୀ ରନଓ୍ବେରେ ବସ୍ରେ ହିଁ ରହିଯାଇଥିଲେ। ଯାହାକୁ ନେଇ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ସୋସିଆଲ ମିଡିଆରେ ଅଭିଯୋଗ କରିଥିଲେ।