ନେପାଳ ବିମାନ ଦୁର୍ଘଟଣା: ଏ ପର୍ଯ୍ୟନ୍ତ ୬୮ ଜଣଙ୍କ ମୃତଦେହ ଉଦ୍ଧାର, ସୋମବାର ରାଷ୍ଟ୍ରୀୟ ଶୋକ ଘୋଷଣା
15/01/2023 at 7:12 PM

ନୂଆଦିଲ୍ଲୀ: ନେପାଳର ରାଜଧାନୀ କାଠମାଣ୍ଡରୁ ପୋଖରା ଯାତ୍ରା କରୁଥିବା ବିମାନ ଦୁର୍ଘଟଣାର ଶିକାର ହୋଇଛି। ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ୬୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବିମାନରେ ୬୮ ଯାତ୍ରୀ ଏବଂ ଚାଳକ ଦଳର ଚାରି ସଦସ୍ୟ ଥିଲେ। ଦୁଇ ଇଞ୍ଜିନ ବିଶିଷ୍ଟ ଏଟିଆର ୭୨ ବିମାନର ପରିଚାଳନା ୟତି ଏୟାରଲାଇନ୍ସ ପକ୍ଷରୁ କରାଯାଉଥିଲା। ବିମାନରେ ୫ ଭାରତୀୟ ଯାତ୍ରା କରୁଥିଲେ।
ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ବିମାନରେ ଛଅ ଶିଶୁ ସହିତ ୧୫ ବିଦେଶୀ ନାଗରିକ ଯାତ୍ରା କରୁଥିଲେ। ଏୟାରଲାଇନ୍ସ ମୁତାବକ ବିମାନରେ ମୃତକଙ୍କ ମଧ୍ୟରେ ୫୩ ନେପାଳି, ୫ ଭାରତୀୟ, ୪ ରୁଷ, ୨ କୋରିଆଇ ଏବଂ ଆର୍ଜେଣ୍ଟିନା, ଆୟରଲାଣ୍ଡ, ଅଷ୍ଟ୍ରେଲିଆ ଏବଂ ଫ୍ରାନ୍ସରୁ ଜଣେ ଲେଖାଏଁ ନାଗରିକ ଥିଲେ।
ବିମାନର ଭଗ୍ନାବଶେଷରେ ଭୀଷଣ ନିଆଁ ଲାଗି ଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧାପ୍ରାପ୍ତ ହୋଇଛି। ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ଦୁର୍ଘଟଣା ପରେ ପରେ ଜରୁରୀକାଳୀନ କ୍ୟାବିନେଟ୍ ବୈଠକ ଡକାଇଛନ୍ତି। ଘଟଣାର ତଦନ୍ତ ପାଇଁ ପାଞ୍ଚ ଜଣିଆ ଆୟୋଗ ଗଠନ କରାଯାଇଛି।
ନେପାଳର ବେସାମରିକ ବିମାନ ଚଳାଚଳ ପ୍ରାଧୀକରଣ ଅନୁଯାୟୀ, ବିମାନ କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସକାଳ ୧୦ଟା ୩୫ ମିନିଟ୍ରେ ଉଡାଣ ଭରିଥିଲା। ବିମାନ ପୋଖରା ବିମାନ ବନ୍ଦରରେ ଅବତରଣ କରିବାର ବହୁତ ନିକଟତ ଥିଲା। ତେବେ ସେତି ନଦୀ କୂଳରେ ସ୍ଥିତ ଏକ ଘାଟରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।
ନେପାଳ କ୍ୟାବିନେଟ୍ର ଜରୁରୀକାଳୀନ ବୈଠକରେ ବିମାନ ଦୁର୍ଘଟଣାକ ନେଇ ଗୋଟିଏ ଦିନ ରାଷ୍ଟ୍ରୀୟ ଶୋକ ପାଳନ କରିବାକୁ ନିଷ୍ପତ୍ତି ନେଇଛି। ଜାନୁଆରୀ ୧୬ ତାରିଖକୁ ସାର୍ବଜନୀନ ଛୁଟି ଘୋଷଣା କରାଯାଇଛି। ଭାରତୀୟ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ଶୋକସନ୍ତପ ପରିବାର ପ୍ରତି ଶୋକ ବ୍ୟକ୍ତ କରିଛନ୍ତି।