ଚୀନ ସେନାରୁ କମିବେ ୩ ଲକ୍ଷ ସୈନିକ !  ଜାଣନ୍ତୁ ରାଷ୍ଟ୍ରପତି ଜିନପିଙ୍ଗଙ୍କ ଯୋଜନା

Published By : Prameya-News7 Bureau | January 16, 2023 IST

ନୂଆଦିଲ୍ଲୀ: ରାଷ୍ଟ୍ରପତି ସି ଜିନପିଙ୍ଗ ଚୀନର ପିପୁଲ୍ସ ଲିବେରେସନ ଆର୍ମିକୁ ଆଧୁନିକ କରାଇବାରେ ଲାଗିଛନ୍ତି । ଏହା ଅଧିନରେ ଚୀନ ସେନାରେ କ୍ୱାଣ୍ଟିଟି ନୁହେଁ ବରଂ କ୍ୱାଲିଟି ଉପରେ ଜୋର ଦେଉଛନ୍ତି । ଉଲ୍ଲେଖଯୋଗ୍ୟ ଯେ କିଛି ବର୍ଷ ପୂର୍ବେ ଚୀନ ସେନାରେ ପ୍ରାୟ ୪୬ ଲକ୍ଷ ସୈନିକ ଥିଲେ, ଯାହା ଏବେ ହ୍ରାସ ହୋଇ ୨୦ ଲକ୍ଷର ସେନା ହୋଇଛି । ନିକଟରେ ଚୀନ ନିଜ ସେନାରେ ୩ ଲକ୍ଷ ସୈନିକ କମ କରିଥିଲା । ୟୁକେର ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଷ୍ଟ୍ରାଟେଜିକର ଅଧ୍ୟୟନ ଅନୁସାରେ, ଚୀନ ସେନାରେ ୯ ଲକ୍ଷ ୬୫ ହଜାର ସ୍ଥଳ ସୈନିକ ରହିଛନ୍ତି । ନୌସେନା ସୈନିକଙ୍କ ସଂଖ୍ୟା ଦୁଇ ଲକ୍ଷ ୬୦ ହଜାର ରହିଛି ଏବଂ ଚୀନର ଏୟାରଫୋର୍ସରେ ୩ ଲକ୍ଷ ୯୫ ହଜାର ସୈନିକ ଅଛନ୍ତି । ଏହାଛଡା ଚୀନର ସେନାର ରକେର୍ଟ ଫୋର୍ସରେ ଏକ ଲକ୍ଷ ୨୦ ହଜାର ଏହଂ ଷ୍ଟ୍ରାଟେଜିକ୍ ସପୋର୍ଟ ଫୋର୍ସରେ ଏକ ଲକ୍ଷ ୪୫ ହଜାର ସୈନିକ ଅଛନ୍ତି । ଦେଢ ଲକ୍ଷରୁ ଅଧିକ ଅନ୍ୟ ସୈନିକ ମଧ୍ୟ ସାମିଲ ଅଛନ୍ତି ।

ରିପୋର୍ଟ ଅନୁସାରେ, ଏହି ଦଶନ୍ଧିରେ ଶେଷ କିମ୍ୱା ୨୦୩୦ ମସିହା ଆରମ୍ଭରେ ଚୀନ ନିଜ ସେନାକୁ ଆହୁରି ହ୍ରାସ କରିପାରେ । ଅନେକ ସମୟରେ ଦାବି କରାଯାଉଛି ଯେ ଚୀନ ସୈନିକ ପ୍ରତିଦ୍ୱନ୍ଦିତା, ବୈଷୟିକ ଦକ୍ଷତାରେ ଦୁର୍ବଳ ଏବଂ ସଚ୍ଚୋଟ ନୁହନ୍ତି । ଏହି କାରଣରୁ ଚୀନ ସରକାର କ୍ୱାଣ୍ଟିଟିରୁ କ୍ୱାଲିଟି ଆଡକୁ ବଢିବାକୁ ଉଦ୍ୟମ କରୁଛନ୍ତି । ଏହା ଜରିଆରେ ଚୀନ ସୈନିକଙ୍କ ଶିକ୍ଷାର ମାନକୁ ଉନ୍ନତ କରାଯାଇପାରେ । ଏହାସହ ଚୀନ ସରକାର ନିଜ ସୈନିକଙ୍କ ଦରମାରେ ବୃଦ୍ଧି କରୁଛନ୍ତି ।

ଚୀନ ସେନାରେ ସାମିଲ ସୈନିକଙ୍କ ସମସ୍ୟା ବି କମ ନୁହେଁ । ଉଲ୍ଲେଖଯୋଗ୍ୟ ଯେ ବିବାହ ପାଇଁ ସେମାନଙ୍କୁ ଝିଅ ମିଳନ୍ତି ନାହିଁ । ଏହାସହ କମ ଛୁଟି ଏବଂ ପରିବାରଠାରୁ ଦୂରରେ ରହିବା ପିଏଲଏ ସୈନିକଙ୍କ ଅସନ୍ତୁଷ୍ଟିର ଏକ କାରଣ । ୟୁଏସଏର ନ୍ୟାସନାଲ ଡିଫେନ୍ସ ୟୁନିଭରସିଟିର ଏକ ରିପୋର୍ଟ ଅନୁସାରେ, ରାଷ୍ଟ୍ରପତି ସି ଜିନପିଙ୍ଗ ଚୀନ ସେନାରେ ଏକ ସଂଗଠନାତ୍ମକ ପରିବର୍ତ୍ତନ କରୁଛନ୍ତି । ରିପୋର୍ଟ ଅନୁସାରେ, ଚୀନ ସେନାର ସବୁ ଅଧିକାରୀ ଚୀନର କମ୍ୟୁନିଷ୍ଟ ପାର୍ଟିର ସଦସ୍ୟ ଅଟନ୍ତି । ଚୀନ ସେନାର ଶୀର୍ଷ ୨୫ ଅଧିକାରୀ କମ୍ୟୁନିଷ୍ଟ ପାର୍ଟିର କେନ୍ଦ୍ରୀୟ କମିଟିର ସଦସ୍ୟ ଅଛନ୍ତି । ସେନାର ବଡ଼ ପଦରେ ନିଯୁକ୍ତିରେ ମଧ୍ୟ ଜିନପିଙ୍ଗଙ୍କ ହସ୍ତକ୍ଷେପ ରହିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.