ଏକଜିଟ୍ ପୋଲ୍‌ ପରେ ଭାରତୀୟ ନିବେଶକ ଲାଭ କରିଛନ୍ତି, ରାହୁଲ ଗାନ୍ଧୀ କିଛି ଜାଣିନାହାନ୍ତି; ବିଜେପିର ପାଲଟା ଆକ୍ରମଣ

Published By : Prameya-News7 Bureau | June 06, 2024 IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପରିଣାମ ଘୋଷଣା ହେବା ପରେ ବି ଆରୋପ-ପ୍ରତ୍ୟାରୋପ ବନ୍ଦ ହେଉଥିବା ଦେଖିବାକୁ ମିଳୁ ନାହିଁ । ରାହୁଲ ଗାନ୍ଧୀ ବୁଧବାର ଏକ ସାମ୍ୱାଦିକ ସମ୍ମିଳନୀ କରି ପିଏମ୍ ମୋଦୀ, ଗୃହମନ୍ତ୍ରୀ ଅମିତ୍ ଶାହ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପରେ ଜନତାଙ୍କୁ ଭ୍ରମିତ କରିଥିବା ଅଭିଯୋଗ କରିଥିଲେ ।

ଅନ୍ୟପଟେ ରାହୁଲ ଗାନ୍ଧୀଙ୍କୁ ଜବାବ ଦେଇ ବିଜେପି ନେତା ପୀୟୂଷ ଗୋୟଲ ଏକ ସାମ୍ୱାଦିକ ସମ୍ମିଳନୀ କରି କଂଗ୍ରେସକୁ ଜୋରଦାର ଟାର୍ଗେଟ୍ କରିଛନ୍ତି । ପୀୟୂଷ ଗୋୟଲ କହିଛନ୍ତି ଯେ ଲୋକସଭା ନିର୍ବାଚନ ଫଳାଫଳରେ ବିରୋଧୀଙ୍କ ପରାଜୟରୁ ରାହୁଲ ଗାନ୍ଧୀ ଏବେ ବି ବାହାରି ପାରିନାହାନ୍ତି ଏବଂ ବିଜେପି ନେତାଙ୍କ ଉପରେ ଅଭିଯୋଗ ଆଣୁଛନ୍ତି । ପୀୟୂଷ ଗୋୟଲ ଏହି ଅବସରରେ ରାହୁଲ ଗାନ୍ଧୀ ମାର୍କେଟ୍ ନିବେଶକଙ୍କୁ ଭ୍ରମିତ କରିବା ପାଇଁ ଷଡଯନ୍ତ୍ର ରଚୁଥିବା ଅଭିଯୋଗ ଆଣିଛନ୍ତି ।

ବିଜେପି ନେତା କହିଛନ୍ତି ଯେ ଆଜି ଭାରତ ଦୁନିଆର ପଞ୍ଚମ ସବୁଠୁ ବଡ଼ ଅର୍ଥବ୍ୟବସ୍ଥା ହୋଇଛି । ସାରା ଦୁନିଆ ଭାରତକୁ ସବୁଠୁ ଦ୍ରୁତ ବେଗରେ ବଢୁଥିବା ଅର୍ଥବ୍ୟବସ୍ଥା ବୋଲି ସ୍ୱୀକାର କରିଛି । ପ୍ରଧାନମନ୍ତ୍ରୀ ମୋଦୀ ଦେଶକୁ ଭରଷା ଦେଇଛନ୍ତି ଯେ ତାଙ୍କର ତୃତୀୟ କାର୍ଯ୍ୟକାଳରେ ବିଶ୍ୱର ତୃତୀୟ ସବୁଠୁ ବଡ଼ ଅର୍ଥବ୍ୟବସ୍ଥା କରାଯିବ । ସେ କହିଛନ୍ତି ଯେ ପିଏମ୍ ମୋଦୀଙ୍କ ତୃତୀୟ କାର୍ଯ୍ୟକାଳକୁ ନେଇ ରାହୁଲ ଗାନ୍ଧୀ ଚିନ୍ତିତ ନଜର ଆସୁଛନ୍ତି, ଯେଉଁଥି ପାଇଁ ସେ ବିଦେଶୀ ଏବଂ ଦେଶୀ ନିବେଶକଙ୍କୁ ଭ୍ରମିତ କରିବା ପାଇଁ ଉଦ୍ୟମ କରୁଛନ୍ତି ।

ପୀୟୂଷ ଗୋୟଲ କହିଛନ୍ତି ଯେ ମୋଦୀ ସରକାରଙ୍କ ୧୦ ବର୍ଷର ସଫଳ କାର୍ଯ୍ୟରୁ ମାର୍କେଟରେ ଆମର ଭାରତୀୟ ନିବେଶକଙ୍କୁ ଲାଭ ମିଳିଛି । ଏହି କାରଣରୁ ଆଜି ଦେଶ ଏବଂ ଦୁନିଆର ବିଶ୍ୱାସ ଭାରତ ଉପରେ ଅଛି, ମୋଦୀଙ୍କ ଉପରେ ଅଛି । ବିଜେପି ନେତା ଏହି ସମୟରେ ରାହୁଲ ଗାନ୍ଧୀଙ୍କୁ କିଛି ପ୍ରଶ୍ନ ମଧ୍ୟ କରିଛନ୍ତି । ସେ କହିଛନ୍ତି ଆଜି ଲୋକଙ୍କ ସାମନାରେ ସବୁଠୁ ବଡ଼ ପ୍ରଶ୍ନ ଏହା ଯେ ଯେଉଁ ସବୁ ପ୍ରତିଶ୍ରୁତି ରାହୁଲ ଗାନ୍ଧୀ ଦେଇଥିଲେ ତାର କଣ ହେବ ।

ସେ କହିଛନ୍ତି ଯେ ଦେଶର ଅନେକ ସ୍ଥାନରେ ଆମ ମାଆ-ଭଉଣୀମାନେ କଂଗ୍ରେସ କାର୍ଯ୍ୟାଳୟ ବାହାରେ ଠିଆ ହୋଇଛନ୍ତି । ଆଜି ମହିଳାମାନେ ତେଲଙ୍ଗାନା, ହିମାଚଳ ପ୍ରଦେଶ ଏବଂ କର୍ଣ୍ଣାଟକରେ କଂଗ୍ରେସ ସରକାରକୁ ପ୍ରଶ୍ନ କରୁଛନ୍ତି ଯେ ଏକ ଲକ୍ଷ ଟଙ୍କା ପ୍ରତି ମହିଳାଙ୍କୁ କେବେ ମିଳିବ । ଆଜି ମହିଳମାନେ କଂଗ୍ରେସ ସରକାରକୁ ନିଜ ହକ୍ ଏବଂ ନ୍ୟାୟ ମାଗୁଛନ୍ତି । ଏହି ଅବସରରେ ପୀଷୂୟ ଗୋୟଲ ମାର୍କେଟ୍ ଉପରେ ରାହୁଲ ଗାନ୍ଧୀଙ୍କ ଅଭିଯୋଗର ଜବାବ ମଧ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ ଏପ୍ରିଲ ଏବଂ ମେ ମାସରେ ଯେତେବେଳେ ବଜାର ବଢୁଥିଲା ସେହି ସମୟରେ ବିଦେଶୀ ନିବେଶକ ବଜାରରେ ବିକ୍ରି କରିଥିଲେ ଏବଂ ଭାରତୀୟ ନିବେଶକ ଏହାର ଲାଭ ଉଠାଇ କିଣିଥିଲେ । ଗତ ଦୁଇ ମାସରେ ଏହାର ଲାଭ ଭାରତୀୟ ନିବେଶକଙ୍କୁ ମିଳିଛି । ସେ କହିଛନ୍ତି ଯେ ଯେଉଁ ଦିନ ଏକଜିଟ୍ ପୋଲ୍ ଆସିଲା, ସେହି ଦିନ ବିଦେଶୀ ନିବେଶକ ଉଚ୍ଚ ମୂଲ୍ୟରେ କିଣାକିଣି କରିଥିଲେ ଏବଂ ଭାରତୀୟ ନିବେଶକ ଉଚ୍ଚ ମୂଲ୍ୟରେ ବିକ୍ରି କରି ଲାଭ ପାଇଥିଲେ । ବିଦେଶୀ ନିବେଶକ ଉଚ୍ଚ ମୂଲ୍ୟରେ ରିଟେଲରେ ୬୮୫୦ କୋଟି ଟଙ୍କାର କିଣିଥିଲେ ଏବଂ ଭାରତୀୟ ନିବେଶକଙ୍କୁ ଏହାର ଲାଭ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.