ଅନିଲ୍‌ଙ୍କୁ ସାହାହେବେ ମୁକେଶ ଅମ୍ବାନୀଙ୍କ ସମୁଦି, ଦେବାଳିଆ କମ୍ପାନୀକୁ କିଣିବା ପାଇଁ ହୋଇଛନ୍ତି ଆଗ୍ରହୀ

Published By : Prameya-News7 Bureau | November 30, 2022 IST

ନୂଆଦିଲ୍ଳୀ, ୩୦/୧୧: ଦେବାଳିଆ ହୋଇପଡ଼ିଥିବା ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ କ୍ୟାପିଟାଲକୁ କିଣିବା ପାଇଁ ନିଲାମୀ ଶେଷ ହୋଇଛି। ରିଲାଏନ୍ସ କ୍ୟାପିଟାଲକୁ କିଣିବା ପାଇଁ ଅନେକ କମ୍ପାନୀ ନିଲାମୀ ଡାକିଛନ୍ତି। ଏହି କମ୍ପାନୀଙ୍କ ମଧ୍ୟରେ ଏକ ଏଭଳି କମ୍ପାନୀର ନାଁ ରହିଛି ଯାହାର ସିଧାସଳଖ ମୁକେଶ ଅମ୍ବାନୀଙ୍କ ସହ ସଂପର୍କ ରହିଛି। ପ୍ରକୃତରେ ମୁକେଶ ଅମ୍ବାନୀଙ୍କ ସମୁଦି ତଥା ଇଶା ଅମ୍ବାନୀଙ୍କ ଶ୍ବଶୁର ଅଜୟ ପିରାମଲ ମଧ୍ୟ ରିଲାଏନ୍ସ କ୍ୟାପିଟାଲରେ ନିଜ ରୁଚି ଦେଖାଇଛନ୍ତି। ପିରାମଲ ଗ୍ରୁପ୍ ବ୍ୟତୀତ ଏହି କମ୍ପାନୀରେ Cosmea Financial ଏବଂ UV ARC ସହ ହିନ୍ଦୁଜା ଗ୍ରୁପ୍, ଓକଟ୍ରି, ଟୋରେଣ୍ଟ ମଧ୍ୟ ବିଡ୍‌ ଲଗାଇଛନ୍ତି।

ସେପଟେ ନିଲାମୀରୁ ବିରଲା ସନ୍ ଲାଇଫ୍ ଏବଂ ନିପ୍ପୋନ ଉଭୟ ଓହରି ଯାଇଥିଲେ। ନିପ୍ପୋନର ନିପ୍ପୋନ ରିଲାଏନ୍ସ ଲାଇଫ୍ ଇନ୍ସ୍ୟୁରାନ୍ସରେ ୪୯ ପ୍ରତିଶତ ଅଂଶଧନ ରହିଛି। ରିଲାଏନ୍ସ କ୍ୟାପିଟାଲରେ ୧୦ ପ୍ରତିଶତ ଅଂଶଧନ ଥିବା ବିରଲା ଲାଇଫ୍ ଇନସ୍ୟୁରାନ୍ସ ନିଲାମୀରୁ ଓହରିଯାଇଥିଲା।

ପ୍ରଥମ ପର୍ଯ୍ୟାୟରେ ଜ୍ୟୁରିଖ ଇନସ୍ୟୁରାନ୍ସ ଏବଂ ଆଡଭେଣ୍ଟ ଇଣ୍ଟରନାସନାଲ, ଉଭୟ ପ୍ରାରମ୍ଭିକ ପର୍ଯ୍ୟାୟରେ ଯଥାକ୍ରମେ ୩,୭୦୦ କୋଟି ଏବଂ ୭,୦୦୦ କୋଟିର ନନ୍ ବାଇଡିଙ୍ଗ ବିଡ୍ ଲଗାଇଥିଲେ। ଯେତେବେଳେକି ପିରାମଲ ଗ୍ରୁପ୍ ୩,୬୦୦ କୋଟି ଟଙ୍କା ବିଡ୍ ଲଗାଇଥିଲେ।

ଆରକ୍ୟାପ୍ ପାଇଁ ବିଡ୍ ଦୁଇ ପ୍ରକାରର ଲଗାଯାଇପାରେ। ପ୍ରଥମତଃ ସଂପୂର୍ଣ୍ଣ କମ୍ପାନୀ ପାଇଁ, ଅନ୍ୟଟି ଏହା ଅଧୀନରେ ଥିବା ଭିନ୍ନ ଭିନ୍ନ ବ୍ୟବସାୟ ପାଇଁ। କୁହାଯାଉଛି ଫେବୃଆରୀରେ ୫୦ ପ୍ରତିଶତରୁ ଅଧିକ କମ୍ପାନୀ ରିଲାଏନ୍ସ କ୍ୟାପିଟାଲର ସମ୍ପତ୍ତି ପାଇଁ ବିଡ୍ ଲଗାଇବା ପାଇଁ ଆଗ୍ରହ ଦେଖାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.