ପ୍ରସିଦ୍ଧ ଟିଭି ଆଙ୍କର ବାରବରା ୱାଲ୍ଟର୍ସଙ୍କ ପରଲୋକ, ୯୩ ବର୍ଷ ବୟସରେ ତ୍ୟାଗ କଲେ ନିଶ୍ୱାସ

Published By : Prameya-News7 Bureau | December 31, 2022 IST

ନୂଆଦିଲ୍ଲୀ: ଆମେରିକୀୟ ଟେଲିଭିଜନର ବରିଷ୍ଠ ଆଙ୍କର ବାରବରା ୱାଲ୍ଟର୍ସଙ୍କ ପରଲୋକ ହୋଇଛି । ୯୩ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବାରବରା ଆମେରିକୀୟ ଟେଲିଭିଜନରେ ସବୁଠୁ ଅଧିକ ଦୃଶ୍ୟ ହେଉଥିବା ମହିଳା । ପ୍ରମୁଖ ସାକ୍ଷାତକାରକର୍ତ୍ତାଙ୍କ ମଧ୍ୟରୁ ଜଣେ ଥିଲେ । ସୂଚନା ଅନୁସାରେ, ଚର୍ଚ୍ଚିତ ମହିଳା ଟକ୍ ସୋ ଦ ଭ୍ୟୁ ହୋଷ୍ଟ କରୁଥିବା ବାରବରାଙ୍କ ନିଧନ ତାଙ୍କ ବାସଭବନରେ ହୋଇଛି । ତେବେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରି ନାହିଁ ।

ପାଞ୍ଚ ଦଶନ୍ଧି ଧରି ବାରବରା ଟିଭି କ୍ୟାରିୟରରେ ସକ୍ରିୟ ଥିଲେ । ନିଜ କ୍ୟାରିୟରରେ କ୍ୟୁବାର ଫିଡେଲ କ୍ରାଷ୍ଟୋ, ବ୍ରିଟେନର ମାର୍ଗରେଟ ଥେଚର, ଲିବିୟାର ଶାସକ ମୁଅମ୍ମର ଗଦ୍ଦାଫୀ, ଇରାକ ଶାସକ ସଦ୍ଦାମ ହୁସେନ, ରୁଷ ରାଷ୍ଟ୍ରପତି ବୋଲିସ ୟେଲତସିନ ଏବଂ ଭ୍ଲାଡିମର ପୁଟିନ ସହ ଆମେରିକାର ପ୍ରାୟ ସବୁ ରାଷ୍ଟ୍ରପତିଙ୍କ ସାକ୍ଷାତକାର ନେଇଥିଲେ ସେ । ୨୦୦୪ରେ ଏକ ସାକ୍ଷାତକାରରେ ବାରବରା କହିଥିଲେ ଯେ ମୋର ଜୀବନ ଏପରି ରହିବ ବୋଲି ମୁଁ କେବେ ଭାବି ନଥିଲି । ମୁଁ ଦୁନିଆରେ ସଭିଙ୍କୁ ଭେଟିଛି । ଅନେକ ରାଷ୍ଟ୍ରାଧ୍ୟକ୍ଷ, ବହୁ ମହାନ ବ୍ୟକ୍ତି ବିଶେଷଙ୍କ ସହ ପ୍ରାୟ ସବୁ ରାଷ୍ଟ୍ରପତିଙ୍କୁ ଭେଟିଛି ।

ବାରବରା ୱାଲ୍ଟର୍ସ ଗୋଟିଏ ସମୟରେ ଦୁନିଆରେ ସବୁଠୁ ଅଧିକ ଦରମା ପାଉଥିବା ଟିଭି ସାମ୍ୱାଦିକ ଥିଲେ । ଗୋଟିଏ ନ୍ୟୁଜ ଚ୍ୟାନେଲ ପାଇଁ ସେ ବାର୍ଷିକ ୧୨ ମିଲିୟନ ଡଲାର ଦରମା ନେଉଥିଲେ । ବାରବରା ୱାଲ୍ଟର୍ସଙ୍କ ଜନ୍ମ ୧୯୨୯ ସେପ୍ଟେମ୍ୱର ୨୫ରେ ବୋଷ୍ଟନରେ ହୋଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.