ନୂଆବର୍ଷରେ ନୂଆରୂପରେ ଝଲସିବ ପବିତ୍ର ବଡ଼ଦାଣ୍ଡ, ଉଭୟ କଡ଼ର କୋଠା ହେବ ସମାନ ରଙ୍ଗ
15/11/2023 at 2:30 PM

ପୁରୀ ୧୫।୧୧ : ନୂଆବର୍ଷରେ ନୂଆରୂପରେ ଝଲସିବ ପବିତ୍ର ବଡ଼ଦାଣ୍ଡ। ବଡ଼ଦାଣ୍ଡର ଉଭୟ ପାର୍ଶ୍ଵରେ ଥିବା ସମସ୍ତ କୋଠାଘର ଗୁଡ଼ିକର ରଙ୍ଗ ସମାନତା ଆଣିବା ପାଇଁ ଫିକା ଗୋଲିପି ରଙ୍ଗ କରାଯିବ। 5ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ନିର୍ଦ୍ଦେଶ ପରେ ପ୍ରଶାସନ ପକ୍ଷରୁ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବାକୁ ଥିବାବେଳେ ଏହାପୂର୍ବରୁ ବଡ଼ଦାଣ୍ଡର ଉଭୟ ପାର୍ଶ୍ଵରେ ଥିବା କୋଠା ଗୁଡିକର ଫିକା ଗୋଲାପି ରଙ୍ଗ କାର୍ଯ୍ୟ ଶେଷ ହେବ। ସେପଟେ ଏଭଳି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ସହରବାସୀ ଓ ବୁଦ୍ଧିଜୀବି।
ଆଗାମୀ ଜାନୁଆରୀ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ତେବେ ଏହା ପୂର୍ବରୁ ନୂଆରୂପ ପାଇବ ପବିତ୍ର ବଡ଼ଦାଣ୍ଡ। ବଡ଼ଦାଣ୍ଡର ଉଭୟ ପାର୍ଶ୍ଵରେ ଥିବା ସମସ୍ତ କୋଠା ଗୁଡ଼ିକର ଫିକା ଗୋଲିପି ରଙ୍ଗ ଲଗାଯିବ। ଏହାଦ୍ବାରା ବଡ଼ଦାଣ୍ଡ ଆହୁରି ଆକର୍ଷଣୀୟ ଦେଖାଯିବ। ଗତ ଶନିବାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିବାକୁ ଆସିଥିବା 5ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କ ନିର୍ଦ୍ଦେଶ କ୍ରମେ ବଡ଼ଦାଣ୍ଡରେ ଥିବା ଉଭୟ ପାର୍ଶ୍ଵର କୋଠାକୁ ଫିକା ଗୋଲିପି ରଙ୍ଗ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ଏହାଦ୍ବାରା ବଡ଼ଦାଣ୍ଡର ସୌନ୍ଦର୍ଯ୍ୟ କରଣ ବୃଦ୍ଧି ପାଇବା ସହ ଭକ୍ତ ଏକ ନୂଆ ଅନୁଭୂତି ପାଇବେ ବୋଲି ଜଗନ୍ନାଥ ପ୍ରେମୀ ଓ ବୁଦ୍ଧିଜୀବି କହିଛନ୍ତି।
ତତ୍କାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ କାର୍ଯ୍ୟକାଳ ସମୟରେ ବଡ଼ଦାଣ୍ଡର ଉଭୟ ପାର୍ଶ୍ଵରେ ଥିବା ସମସ୍ତ କୋଠା ଗୁଡ଼ିକୁ ଫିକା ହଳଦିଆ ରଙ୍ଗ କରାଯାଇଥିଲା। ଫଳରେ ଏହି ରଙ୍ଗ ବଡ଼ଦାଣ୍ଡର ଶୋଭା ବର୍ଦ୍ଧନ କରିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ କିଛି ବ୍ୟବସାୟୀକ ଅନୁଷ୍ଠାନ ଏବଂ କିଛି ଲୋକ ତାଙ୍କ ଆବାସକୁ ନିଜ ଇଛା ଅନୁସାରେ ରଙ୍ଗ ବଦଳାଇଥିଲେ। ତେବେ 5ଟି ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ ପରେ ବଡ଼ଦାଣ୍ଡରେ ଥିବା କୋଠା ଗୁଡିକୁ ଫିକା ଗୋଲିପି ରଙ୍ଗ ଦିଆଯିବ ବୋଲି ନିଷ୍ପତ୍ତି କରାଯାଇଛି। ଚୁଡାନ୍ତ ନିଷ୍ପତ୍ତି ଆସିବା ପରେ ଏନେଇ ପଦକ୍ଷେପ ନିଆଯିବ ବୋଲି ପୁରୀର ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ କହିଛନ୍ତି।
ଶ୍ରୀକ୍ଷେତ୍ରର ସୌନ୍ଦର୍ଯ୍ୟ କରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଗୁଡ଼ିଏ କାର୍ଯ୍ୟ ଜାରି ରହିଛି। ତେବେ ବଡ଼ଦାଣ୍ଡରେ ଥିବା ସମସ୍ତ କୋଠା ଗୁଡିକୁ ଗୋଟିଏ ପ୍ରକାର ରଙ୍ଗ ତଥା ଫିକା ଗୋଲିପି ରଙ୍ଗ ଦିଆଗଲେ ବଡ଼ ଦାଣ୍ଡର ସୌନ୍ଦର୍ଯ୍ୟ ଦ୍ଵିଗୁଣିତ ହେବ ବୋଲି ଆଶା କରାଯାଉଛି।