ମୂଲ୍ୟ ବୃଦ୍ଧିରେ ହନ୍ତସନ୍ତ ଚାରିଧାମ ଯାତ୍ରୀ, କେଦାରନାଥରେ ଘୋଡ଼ା ଖଚର ଭଡ଼ା ଦୁଇଗୁଣ, ହୋଟେଲ ରୁମ୍ ବଜେଟରୁ ବାହାରେ
13/05/2023 at 7:22 PM

ରୁଦ୍ରପ୍ରୟାଗ୧୩।୫: ଚାରଧାମ ଯାତ୍ରାରେ କେଦାରନାଥ ପହଞ୍ଚୁଥିବା ଯାତ୍ରୀଙ୍କୁ ମୂଲ୍ୟ ବୃଦ୍ଧି ସମେତ ଅନ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। କେଦାରନାଥ ଧାମରେ ହୋଟେଲ ରୁମ ଭଡ଼ା ଏତେ ଅଧିକ ଯେ ତୀର୍ଥ ଯାତ୍ରୀଙ୍କ ବଜେଟ୍ ବିଗିଡି ଯାଉଛି। ସେପଟେ ଯାତ୍ରା ମାର୍ଗରେ ଯାତ୍ରୀଙ୍କଠାରୁ ଘୋଡ଼ା ଓ ଖଚର ମାଲିକ ଦୁଇ ଗୁଣା ପାଉଣା ଆଦାୟ କରୁଥିବାର ଅଭିଯୋଗ ହେଉଛି।
ଇତି ମଧ୍ୟରେ ୪ ଧାମ ଯାତ୍ରାକୁ ୧୯ ଦିନ ବିତିଗଲାଣି। ଏହି ସମୟରେ ବାବା କେଦାରନାଥଙ୍କୁ ୨ଲକ୍ଷ ୬୫ ହଜାରରୁ ଅଧିକ ଯାତ୍ରୀ ଦର୍ଶନ କରିସାରିଲେଣି। ତେବେ କେଦାରନାଥ ଯାତ୍ରାର ରହଣୀ ସ୍ଥଳମାନଙ୍କରେ ଯେଉଁ ସବୁ ସମସ୍ୟା ଥିଲା ତାହା ଏପର୍ଯ୍ୟନ୍ତ ସମାଧାନ ହୋଇପାରିନି। ଫଳରେ ଦେଶ ବିଦେଶରୁ ପହଞ୍ଚୁଥିବା ଯାତ୍ରୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଥିରେ ସବୁଠୁ ଯାହା ଅଧିକ ସମସ୍ୟା ତାହା ହେଉଛି ମୂଲ୍ୟ ବୃଦ୍ଧି। ଯାହା ଲୋକଙ୍କ ତୀର୍ଥ ଯାତ୍ରା ବଜେଟ୍ ବିଗାଡି ଦେଉଛି।

କେଦାରନାଥ ଧାମରେ ଲୋକଙ୍କ ଯାତ୍ରା ସୁବିଧା ନିମନ୍ତେ ଘୋଡ଼ା, ଖଚର ଭଡା ଚଳିତବର୍ଷ ୨ଗୁଣା ହୋଇଯାଇଛି। ଏଥିରେ ପାଲିଙ୍କି ଦର ପଚାରେ କିଏ। କେଦରାନାଥ ଧାମରେ ରହଣୀ ପାଇଁ ହୋଟେଲ ରୁମ ଭଡା ଏତେ ଅଧିକ ଯେ ଲୋକଙ୍କ ପକେଟକୁ ବାଧି ଯାଉଛି। ଏହା ଛଡା ପାଦଚଲା ରାସ୍ତାରେ ସାଫ ସଫେଇ ପ୍ରତି ଧ୍ୟାନ ଦିଆଯାଉନି। ଫଳରେ ୫ କିଲୋମିଟର ଯାତ୍ରା ପାଇଁ ତୀର୍ଥଯାତ୍ରୀଙ୍କୁ ରହି ରହି ଯିବା ଯୋଗୁ ଦୀର୍ଘ ସମୟ ଲାଗି ଯାଉଛି।
ଅନ୍ୟପଟେ କେଦାରନାଥ ଧାମ ଯାତ୍ରା ଭଗବାନ କେଦାରଙ୍କ ଭରସାରେ ଚାଲିଥିବା ଭଳି ଲାଗୁଛି। କାରଣ ତୀର୍ଥ ଯାତ୍ରୀଙ୍କ ରାସ୍ତାରେ ଜଣେ ବି ପୋଲିସ କର୍ମୀ ଦେଖିବାକୁ ମିଳୁ ନାହାନ୍ତି। ଗୌରୀ କୁଣ୍ଡରୁ ଘୋଡ଼ା ପଡାବ ପର୍ଯ୍ୟନ୍ତ ୨ କିଲୋମିଟର ରାସ୍ତାରେ ଜଣେ ହେଲେ ସୁରକ୍ଷା କର୍ମୀ ନାହାନ୍ତି। ଲୋକେ ଧସ୍ତାଧସ୍ତି ହୋଇ ଯାଉଛନ୍ତି। ଘୋଡା ଓ ଖଚର ନିମନ୍ତେ ୨୫୦୦ ଟଙ୍କା ଭଡ଼ା ଧାର୍ଯ୍ୟ ହୋଇଛି। ତେବେ ଘୋଡା ଖଚର ମାଲିକ ତୀର୍ଥ ଯାତ୍ରୀଙ୍କ ଠାରୁ ୫ରୁ ୬ ହଜାର ଟଙ୍କା ଆଦାୟ କରୁଛନ୍ତି।

ଲୋକେ ଏ ବିଷୟରେ ଜିଲ୍ଲା ମାଜିଷ୍ଟ୍ରେଟ୍ ମୟୁର ଦିକ୍ଷିତଙ୍କୁ ଅଭିଯୋଗ କରିବା ପରେ ଘୋଡା ଖଚରମାଲିକଙ୍କ ସହ ସାମ୍ନା ସାମ୍ନି କଥାବାର୍ତ୍ତା ହେବ ବୋଲି କହିଛନ୍ତି। ସେହିପରି ହୋଟେଲ ରୁମ ଭଡା ବୃଦ୍ଧି ସମ୍ପର୍କରେ ହୋଟେଲ ବ୍ୟବସାୟୀଙ୍କ ସହ ଆଲୋଚନା କରାଯିବ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ କେଦାରନାଥ ଧାମର କବାଟ ଏପ୍ରିଲ ୨୫ ତାରିଖ ଦିନ ଭକ୍ତଙ୍କ ନିମନ୍ତେ ଖୋଲିଥିଲା। ତେବେ ମଝିରେ ପାଗ ଖରାପ ରହିବା ଯୋଗୁ ଯାତ୍ରା କିଛି ସମୟ ପାଇଁ ବାଧିତ ହୋଇଥିବା ବେଳେ ଏବେ ପୁଣି ସ୍ୱଭାବିକ ହେଲାଣି।