କୋର୍ଟଙ୍କ ନିର୍ଦ୍ଦେଶର ୧୪ ଦିନ ପରେ ବି ନୀରବତା, ଧର୍ମାନୁଷ୍ଠାନ ଖୋଲିବା ନେଇ ହାଇକୋର୍ଟରେ ଆଉ ଏକ ମାମଲା
25/08/2020 at 11:15 AM

କଟକ୨୫।୦୮: ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବାକୁ ହାଇକୋର୍ଟ ଗତ ୧୦ ତାରିଖରେ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଇତିମଧ୍ୟରେ ୧୪ଦିନ ବିତି ଯାଇଥିଲେ ମଧ୍ୟ ରାଜ୍ୟ ସରକାର ଧର୍ମାନୁଷ୍ଠାନ ଖୋଲିବା ସଂକ୍ରାନ୍ତରେ କୌଣସି ନିଷ୍ପତ୍ତି ନେଇନାହାନ୍ତି । ତେଣୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଧର୍ମାନୁଷ୍ଠାନ ଖୋଲିବା ନେଇ ହାଇକୋର୍ଟ ରାଜ୍ୟ ସରକାରଙ୍କ ପାଇଁ କଣ୍ଟ ଧାର୍ଯ୍ୟ କରିବାକୁ ଏକ ମାମଲା ରୁଜୁ କରାଯାଇ ପ୍ରାର୍ଥନା କରାଯାଇଛି । କଟକର ସମାଜସେବୀ ଜୟନ୍ତ କୁମାର ବଳ ଏହି ମାମଲା ରୁଜୁ କରିଛନ୍ତି ।
ରାଜ୍ୟରେ ଶ୍ରୀମନ୍ଦିର ସମେତ ଅନ୍ୟାନ୍ୟ ସମସ୍ତ ମନ୍ଦିର ଖୋଲିବା ନେଇ ଆବେଦନକାରୀ ପୂର୍ବରୁ ଏକ ମାମଲା ରୁଜୁ କରିଥିଲେ। ହାଇକୋର୍ଟ ମନ୍ଦିର ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡ଼ିଥିଲେ। ଇତିମଧ୍ୟରେ କେନ୍ଦ୍ର ସରକାର ବିଭିନ୍ନ ଧର୍ମାନୁଷ୍ଠାନ ଖୋଲିବା ପାଇଁ ଅନୁମତି ଦେଇଛନ୍ତି। କେତେକ ରାଜ୍ୟ ସରକାର ମଧ୍ୟ ସର୍ବସାଧାରଣଙ୍କ ଦର୍ଶନ ଲାଗି ଧର୍ମାନୁଷ୍ଠାନ ଖୋଲିଛନ୍ତି। କିନ୍ତୁ ଓଡ଼ିଶା ସରକାର କୌଣସି ନିଷ୍ପତ୍ତି ନେଉନାହାନ୍ତି । କୋର୍ଟ ସରକାରଙ୍କ ଲାଗି ଏକ ସମୟ ଧାର୍ଯ୍ୟ କରିବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଭୂତି ଭୂଷଣ ଚୌଧୁରୀ ମାମଲା ପରିଚାଳନା କରୁଛନ୍ତି।