୫୨ ହଜାର ଟଙ୍କା ମଦ ବିଲ୍ ଦେଖାଇ ସୋସିଆଲ୍ ମିଡ଼ିଆରେ ହିରୋ ହୋଇଥିବା ଯୁବକ ଏବେ ଆଇନ୍ ଫାସରେ ଛନ୍ଦିହେଲେ

Published By : Prameya-News7 Bureau | May 07, 2020 IST

ନୂଆଦିଲ୍ଲୀ ୦୭/୦୫ : କରୋନା ଯୋଗୁଁ ସାରା ଦେଶରେ ଲକଡାଉନ ଜାରି ରହିଛି | ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ମେ ୩ ତାରିଖରେ ଶେଷ ହୋଇଥିଲା ଏବଂ ମେ ୪ ତାରିଖରୁ ତୃତୀୟ ପର୍ଯ୍ୟାୟ ଲକଡାଉନ ଆରମ୍ଭ ହୋଇଛି | ତୃତୀୟ ପର୍ଯ୍ୟାୟ ଲକଡାଉନ ମେ ୧୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ | ତୃତୀୟ ପର୍ଯ୍ୟାୟ ଲକଡାଉନରେ କିଛି ନିୟମ କୋହଳ କରିଛନ୍ତି ସରକାର | ସରକାରଙ୍କ ନିର୍ଦେଶାନୁସାରେ, ସୋମବାର ଠାରୁ ଦେଶର ଅନେକ ରାଜ୍ୟରେ ମଦ ଦୋକାନ ଖୋଲା ଯାଇଥିଲା | ମଦ ଦୋକାନ ଖୋଲା ହେବ ବୋଲି ଜାଣିବା ପରେ ହଜାର ହଜାର ଲୋକେ ଦୋକାନ ଖୋଲିବା ପୂର୍ବରୁ ମଦ ଦୋକାନ ବାହାରେ ଲାଇନ କରିଥିଲେ | ଏପରିକି ମଦ ପାଇଁ ସାମାଜିକ ଦୂରତା ନିୟମକୁ ମଧ୍ୟ ଲୋକେ ଫୁ କରିଦେଇଥିଲେ | ମଦ ନିଶାରେ ଲୋକେ ଏଭଳି ବାୟା ଯେ ସକାଳୁ ମଦ ଦୋକାନ ବାହାରେ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା | ମାତ୍ର କିଛି ଘଣ୍ଟା ମଧ୍ୟରେ କୋଟି କୋଟି ଟଙ୍କାର ମଦ ବିକ୍ରି ହୋଇଥିଲା | ଗୋଟିଏ ଦିନରେ ସର୍ବାଧିକ ୪୫ କୋଟି ମଦ ବିକ୍ରି କରି କର୍ଣ୍ଣାଟକ ରେକର୍ଡ ସୃଷ୍ଟି କରିଛି |

ମାତ୍ର ଦୁଇ ଦିନରେ ଲୋକେ ସରକାରଙ୍କ ପାକେଟକୁ କୋଟି କୋଟି ଟଙ୍କା ଦେଇଛନ୍ତି | ମଦ କିଣା ନିଶା ଏମିତି ବାୟା କଲା ଯେ ଜଣେ ବ୍ୟକ୍ତି ଏକାଥରେ ୫୨ ହଜାର ଟଙ୍କା ମଦ କିଣି ଅଡୁଆରେ ପଡି ଯାଇଛନ୍ତି | ୫୨ ହଜାର ୮ ଶହ ୪୧ ଟଙ୍କାର ମଦ କିଣିବା ଉକ୍ତ ବ୍ୟକ୍ତିଙ୍କୁ ବହୁତ ମହଙ୍ଗା ପଡିଛି |

{"id":266119,"width":584,"height":327,"sizeSlug":"large"}

କର୍ଣ୍ଣାଟକର ଅନିଜ ଗଜ୍ଜି ନାମକ ଯୁବକ ୫୨ ହଜାର ୮ ଶହ ୪୧ ଟଙ୍କାର ମଦ କିଣିଥିଲେ | ବାଉଳା ହୋଇ ସେ ମଦ କାଉଣ୍ଟରରୁ ଆଣିଥିବା ବିଲକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ | କିନ୍ତୁ ସେ ଭାବିନଥିଲେ ସୋସିଆଲ ମିଡ଼ିଆରେ ବିଲ ପୋଷ୍ଟ କରିବା ତାଙ୍କୁ ଏତେ ମହଙ୍ଗା ପଡିବ | ବିଲ ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ ଏକଥା ସେ ଚିନ୍ତା ବି କରିନଥିଲେ | ବିଲ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ କର୍ଣ୍ଣାଟକ ଅବକାରୀ ବିଭାଗ ବୈଧ ସୀମାରୁ ଅଧିକ ମଦ କିଣିଥିବା ଅଭିଯୋଗରେ ଅନିଜଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛନ୍ତି |

କର୍ଣ୍ଣାଟକ ଅବକାରୀ ବିଭାଗ ନିୟମ ଅନୁଯାୟୀ, ଆଉଟଲେଟରେ ଥିବା ମଦ ଦୋକାନ ଜଣେ ବ୍ୟକ୍ତିଙ୍କୁ ଦିନକୁ ୨.୬ ଲିଟରରୁ ଅଧିକ ମଦ ବିକ୍ରି କରିପାରିବେ ନାହିଁ | ସେ ପୁଣି ଭାରତୀୟ ନିର୍ମିତ ବିଦେଶୀ ମଦ (ଆଇଏମଏଫଲ) ହୋଇଥିବା ଦରକାର | ଏହା ବ୍ୟତୀତ ଜଣକୁ ୧୮ ଲିଟରରୁ ଅଧିକ ବିଅର ବିକ୍ରି କରିପାରିବେ ନାହିଁ | ନିୟମ ଅବମାନନା କଲେ ମଦ ବିକ୍ରି କରୁଥିବା ଦୋକାନୀ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛନ୍ତି |

ବିଲ ଭାଇରାଲ ହେବାପରେ ଦୋକାନୀକୁ ପଚରାଉଚୁରା କରାଯାଇଥିଲା | ଦୋକାନୀ କହିଥିଲେ ୮ଜଣ ମିଶି ମଦ କିଣିଥିଲେ କିନ୍ତୁ ବିଲ ଜଣେ ଦେଇଥିଲେ | ଜଣକ କାର୍ଡରୁ ବିଲ ପେମେଣ୍ଟ ହୋଇଥିଲା | ଦକ୍ଷିଣ ବେଙ୍ଗାଲୁରୁର ଅବକାରୀ ଡେପୁଟି କମିଶନର ଏ.ଗିରି କହିଛନ୍ତି ଯେ, ଦୋକାନୀଙ୍କ ବୟାନ ଉପରେ ଯାଞ୍ଚ କରାଯାଉଛି | ଯାଞ୍ଚ ପରେ ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.