ବେଆଇନ ଗୋ-ଚାଲାଣ ବେଳେ ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍, ୬ଟି ଗୋରୁଙ୍କ ମୃତ୍ୟୁ

Published By : Prameya-News7 Bureau | August 10, 2022 IST

ମୋରଡା ୧୦।୮: ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅଞ୍ଚଳ ହୋଇ ପଡୋଶୀ ପଶ୍ଚିମବଙ୍ଗ ଅଞ୍ଚଳକୁ ବ୍ୟାପକ ପରିମାଣର ଗୋଚାଲାଣ । ବିଳମ୍ବିତ ରାତିରେ ପିକ୍‌ଅପ୍, ଟ୍ରକ୍‌ରେ ଗୋରୁ, ଛେଳି, ମେଣ୍ଢା, ଘୁଷୁରୀକୁ ବେଆଇନ ଭାବେ ଚୋରା ଚାଲାଣ କରାଯାଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲା । ତେବେ ମଙ୍ଗଳବାର ବିଳମ୍ବିତ ରାତିରେ ବେଆଇନ ଭାବେ ଗୋ-ଚାଲାଣ ହେଉଥିବା ବେଳେ ଏକ ପିକ୍‌ଅପ୍‌ ଜଙ୍ଗଲ ରାସ୍ତାରେ ଓଲଟି ପଡିବାରୁ ୬ଟି ଗାଈଙ୍କ ମୃତ୍ୟୁ ହୋଇଛି ।ଗୋଟିଏ ପିକ୍‌ଅପ୍‌ରେ ୧୫୦ରୁ ଅଧିକ ଗୋରୁ, ଛେଳି, ମେଣ୍ଢା ନିଆଯାଉଥିବା ନେଇ ଅଭିଯୋଗ ହୋଇଛି ।

ଉଲ୍ଲେଖଯୋଗ୍ୟ ଯେ, ଉକ୍ତ ବେଆଇନ ଚୋରା ଚାଲାଣକାରୀ ଜଙ୍ଗଲ ଏବଂ ଗ୍ରାମାଞ୍ଚଳ ରାସ୍ତାକୁ ସୁରକ୍ଷିତ ମଣି ଉକ୍ତ ରାସ୍ତାରେ ବିଳମ୍ବିତ ରାତିରେ ବେଆଇନ ଗୋ-ଚାଲାଣ କରୁଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ମୋରଡା ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ ଏକ ବାଇକରେ ପିଛା କରିଥିଲେ । ଏହି ଥାନା ଅଧିନ ବାଘଡା-ବ୍ରାହ୍ମଣମରା ଜଙ୍ଗଲ ରାସ୍ତାରେ ଉକ୍ତ ଗାଡିକୁ ପିଛା କରି ଧରିବା ପାଇଁ ଦୌଡାଇବା ସମୟରେ ପିକ୍‌ଅପ୍‌ଟି ଜଙ୍ଗଲରେ ଖସିଯିବା ପାଇଁ ଉଦ୍ୟମ କରୁଥିବା ବେଳେ ଓଲଟି ପଡିଥିଲା । କୌଶଳ କ୍ରମେ ସ୍ଥାନୀୟ  ଟ୍ରାକ୍ଟର ସାହାଯ୍ୟରେ ଡ୍ରାଇଭର ପିକଅପକୁ ଉଠାଇ ନେଇ ଖସିଯିବାରେ ସଫଳ ହୋଇଥିବା ବେଳେ ଘଟଣାସ୍ଥଳରେ ୬ଟି ଗୋରୁଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଏନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଯେ, ମୋରଡା ଥାନା ଅଞ୍ଚଳରେ ହୋଇଥିବା ବେଳେ ଶୁଳିଆପଦା ପୋଲିସ ଗାଡି ପ୍ରତ୍ୟେକ ମଙ୍ଗଳବାର ଓ ବୁଧବାର ପାଟ୍ରୋଲିଂ କରି ଏହି ରାସ୍ତାରେ ଆସେ । ପରେ ପରେ ଗୋରୁ ଗାଡି ଯାଇଥାଏ ବୋଲି ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.