ସ୍ୱାଭିମାନ ଅଞ୍ଚଳ ଘାଟିରେ ଓଲଟିଲା ବରଯାତ୍ରୀ ଗାଡ଼ି, ୧୫ ଆହତ

Published By : Prameya-News7 Bureau | May 10, 2022 IST

ଚିତ୍ରକୋଣ୍ଡା, ୧୦/୦୫: ସ୍ବାଭିମାନ ଅଞ୍ଚଳର ଅନ୍ଦ୍ରପାଲି ଘାଟି ଠାରେ ବରଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ୍ ଭ୍ୟାନ୍ ଓଲଟି ୧୫ ଜଣ ଆହତ । ଆହତଙ୍କୁ ଚିତ୍ରକୋଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ତାର୍ଲକୋଟା ପଞ୍ଚାୟତରୁ ସ୍ବାଭିମାନ ଅଞ୍ଚଳର ପଣସପୁଟ ପଞ୍ଚାୟତ ଅନ୍ତର୍ଗତ ସିଙ୍ଗୋଇ ଗାଁରେ ଏକ ବିବାହ କାର୍ଯ୍ୟରେ ଯୋଗଦେବାକୁ ମହିଳା ଓ ପୁରୁଷ ମିଶି ୩୫ ଜଣ ଅନ୍ଦ୍ରପଲ୍ଲୀ ପଞ୍ଚାୟତର ଓରାପଦର ଲଞ୍ଚ ଘାଟ ଠାରେ ଲଞ୍ଚ ଯୋଗେ ପହଞ୍ଚିଥିଲେ ।

ସେଠାରେ ପୂର୍ବରୁ ସିଙ୍ଗୋଇ ଗାଁ ରୁ ଏକ ପିକ୍ ଭ୍ୟାନ ଅପେକ୍ଷା କରିଥିଲା । ସେହି ପିକ୍ ଭ୍ୟାନରେ ୩୫ ଜଣ ଶୀଙ୍ଗୋଇ ଗାଁକୁ ଯିବା ସମୟରେ, ଭ୍ୟାନଟି ଭାରସାମ୍ୟ ହରାଇ ଅନ୍ଦ୍ରାପାଲି ରାସ୍ତା କଡରେ ଓଲଟି ପଡିଥିଲା । ଘଟଣା ସ୍ଥଳେ ୮ ଜଣ ପୁରୁଷ ଓ ୭ ଜଣ ମହିଳା ଆହତ ହୋଇଥିବା ବେଳେ ୨ ଜଣ ପୁରୁଷଙ୍କ ଅବସ୍ଥା ଗୁରୁତର ରହିଛି ।

ଦୁର୍ଘଟଣାରେ ଆହତ ହୋଇଥିବା ସମସ୍ତଙ୍କୁ ସ୍ବାଭିମାନ ଅଞ୍ଚଳର ସ୍ଥାନୀୟ ବିଏସଏଫ୍ ଓ ପୋଲିସ ଅଧିକାରୀ ଚଂଦ୍ରକାନ୍ତି ତାଣ୍ଡି ଏବଂ ସ୍ବାଭିମାନ ଅଞ୍ଚଳର ଯୋଡ଼ାମ୍ବ ଥାନାର ପୂର୍ବତନ ଥାନା ଅଧିକାରୀ ଅନିଲ ପରିଡାଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଚିତ୍ରକୋଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ, ଗୁରୁତର ଅବସ୍ଥାରେ ଥିବା ୨ ଜଣଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି। ଅନ୍ୟ ଆହତଙ୍କ ଅବସ୍ଥା ପୂର୍ବ ଅପେକ୍ଷା ବର୍ତ୍ତମାନ ନିୟନ୍ତ୍ରଣ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.