ନୂଆଦିଲ୍ଲୀ,୦୮/୦୬: ଏନ୍ଇଇଟି ଅର୍ଥାତ୍ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା ୨୦୨୪ର ଫଳାଫଳ ସମଗ୍ର ଦେଶରେ ଛାତ୍ରଛାତ୍ରୀମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ଫଳାଫଳ ବାତିଲ କରାଯାଉ କିମ୍ବା ପୁନର୍ବାର ପରୀକ୍ଷା କରାଯାଉ ବୋଲି ଦାବି କରି ଛାତ୍ର ଏବଂ ସେମାନଙ୍କ ଅଭିଭାବକମାନେ ସାରା ଦେଶରେ ବିରୋଧ କରୁଛନ୍ତି। ଅଲ୍ ଇଣ୍ଡିଆ ରାଙ୍କରେ ୬୭ ଜଣ ଛାତ୍ର, ସମାନ କେନ୍ଦ୍ରର ୬ ଜଣ ଟପ୍ପର, ଗ୍ରେସ୍ ମାର୍କ ଏବଂ ଏହା ପୂର୍ବରୁ ପେପର୍ ଲିକ୍… ମାମଲାକୁ ନେଇ ଜାତୀୟ ପରୀକ୍ଷା ଏଜେନ୍ସି (NTA) ଉପରେ ପ୍ରଶ୍ନ ଉଠିଛି ।
ଏହାରି ଭିତରେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ଜୁନିଅର ଡାକ୍ତର ନେଟୱାର୍କ ନିଟ୍ ୨୦୨୪ରେ ହୋଇଥିବା ଅନିୟମିତତା ଘଟଣାର ସିବିଆଇ ତଦନ୍ତ ଦାବି କରିଛି। ଅନ୍ୟପଟେ କିଛି ଏଡୁକେଶନ ପ୍ଲାଟଫର୍ମ ଏହି ରେଜଲ୍ଟକୁ ବିରୋଧ କରିବାକୁ ଲାଗିଲେଣି । ଏଡୁକେଶନ ପ୍ଲାଟଫର୍ମ ଫିଜିକ୍ସଓ୍ବାଲାର ସିଇଓ ଆଲାଖ ପାଣ୍ଡେ ନିଟ୍ ଫଳକୁ ବିରୋଧ କରି ସୁପ୍ରିମକୋର୍ଟ ଯିବାକୁ ଘୋଷଣା କରିଛନ୍ତି । ଏନେଇ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସ ଏବଂ ୟୁଟ୍ୟୁବରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏଥିରେ ସେ ନିଟ୍ ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ଏହା ସହିତ ସେ କହିଛନ୍ତି, ପ୍ରି-ମେଡିକାଲ୍ ପରୀକ୍ଷା ଦେଇଥିବା ଲକ୍ଷାଧିକ ଛାତ୍ରଛାତ୍ରୀ ଭ୍ରମିତ ଓ ବିବ୍ରତ ରହିଛନ୍ତି । ଅନିୟମିତତାକୁ ନେଇ ସେ ପରୀକ୍ଷା ପରିଚାଳନା ଦାୟିତ୍ବରେ ଥିବା ଏନଟିଏକୁ ଜବାବ ମାଗିଛନ୍ତି, ମାତ୍ର ଏଜେନ୍ସି ପକ୍ଷରୁ କୌଣସି ଉତ୍ତର ମିଳିନାହିଁ ।
ଏହା ପୂର୍ବରୁ ଜାତୀୟ ଯୋଗ୍ୟତା ଏବଂ ପ୍ରବେଶିକା ପରୀକ୍ଷା (ନିଟ୍ ୨୦୨୪) ଫଳାଫଳ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ପରୀକ୍ଷାର୍ଥୀଙ୍କ ଏକ ଦଳ ନୂଆ କରି NEET-UG 2024 ପରୀକ୍ଷା କରିବାକୁ ନେଇ ସୁପ୍ରିମକୋର୍ଟରେ ଏକ ଆବେଦନ କରିଛନ୍ତି। ଏହି ପରୀକ୍ଷା ମେ’ ୫ ତାରିଖରେ କରାଯାଇଥିଲା। ଆବେଦନରେ ଅଭିଯୋଗ କରାଯାଇଛି ଯେ, ମେ' ୫ ତାରିଖରେ ଅନୁଷ୍ଠିତ ନିଟ୍ ପରୀକ୍ଷାରେ ଅନିୟମିତତା କରାଯାଇଛି। ବର୍ତ୍ତମାନ ଆଇଏମଏ ଜୁନିଅର ଡାକ୍ତର ନେଟୱାର୍କ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ନିଟ୍ ୨୦୨୪ ପରୀକ୍ଷାରେ ଅନିୟମିତତା ହୋଇଛି। ସେ କହିଛନ୍ତି ଯେ ଏହି ଘଟଣାରେ ସିବିଆଇ ତଦନ୍ତ ହେବା ଉଚିତ ଏବଂ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସମାନ ଏବଂ ସ୍ୱଚ୍ଛ ମୂଲ୍ୟାଙ୍କନ ପ୍ରକ୍ରିୟା ନିଶ୍ଚିତ କରିବାକୁ ପୁଣି ଥରେ ପରୀକ୍ଷା ହେବା ଉଚିତ୍ ।