ଶାରୀରିକ ସୁଖ ନୁହେଁ ଶାନ୍ତି ଦରକାର, ୪୩ ବର୍ଷରେ ୫୩ ଥର ବିବାହ କଲେ ବ୍ୟକ୍ତି

Published By : Prameya-News7 Bureau | September 16, 2022 IST

ନୂଆଦିଲ୍ଲୀ: ଭଲ ସାଥୀଟିଏ ପାଇବା ଏବଂ ତା ସହ ପୂରା ଜୀବନ ବିତାଇବା ପାଇଁ ଲୋକେ ଚାହିଁଥାନ୍ତି। ଯଦି ପ୍ରଥମ ପତ୍ନୀଙ୍କ ଦେହାନ୍ତ ଘଟେ କିମ୍ବା ଅନ୍ୟ କୌଣସି କାରଣ ପାଇଁ ଲୋକେ ଦ୍ଵିତୀୟ ବିବାହ କରିଥାନ୍ତି। ହେଲେ ଜଣେ ବ୍ୟକ୍ତି  ୪୩ ବର୍ଷରେ ୫୩ ଥର ବିବାହ କରିଛନ୍ତି, ଯାହା ଏକ ରେକର୍ଡ। ଏତେ ସଂଖ୍ୟାରେ ବିବାହ କରିବାର କାରଣ ମଧ୍ୟ ବ୍ୟକ୍ତି ଜଣକ ଜଣାଇଛନ୍ତି। ବ୍ୟକ୍ତିଙ୍କ କହିବା କଥା ସେ ଶାନ୍ତିର ସନ୍ଧାନରେ ଗୋଟିଏ ପରେ ଗୋଟିଏ ବିବାହ କରି ଚାଲିଲେ। ସେ ଶାରୀରିକ ସୁଖ ନୁହେଁ ବରଂ ସ୍ଥିରତା ଏବଂ ମନର ଶାନ୍ତି ପାଇବା ଉଦ୍ଦେଶ୍ୟରେ ୫୩ ଥର ବିବାହ କରିଛନ୍ତି। ଏହି ଘଟଣା ହେଉଛି ସାଉଦି ଆରବର।

୬୩ ବର୍ଷୀୟ ଅବୁ ଅବଦୁଲ୍ଲାଙ୍କୁ  ଶତାବ୍ଦୀରେ ସବୁଠୁ ଅଧିକ ବିବାହ କରିଥିବା ବ୍ୟକ୍ତି କୁହାଯାଏ। ଅବଦୁଲ୍ଲା ଗଣମାଧ୍ୟମରେ କହିଛନ୍ତି, ମୁଁ ଦୀର୍ଘ ସମୟରେ ୫୩ ମହିଳାଙ୍କୁ ବିବାହ କରିଛି। ମୁଁ ୨୦ ବର୍ଷ ବୟସରେ ପ୍ରଥମ ବିବାହ କରିଥିଲି ଏବଂ ମହିଳା ଜଣଙ୍କ ମୋଠୁ ଛଅ ବର୍ଷ ବଡ ଥିଲେ। ସେ କହିଛନ୍ତି, ଯେବେ ମୁଁ ପ୍ରଥମ ବିବାହ କଲି, ସେହି ସମୟରେ ଏତେ ମହିଳାଙ୍କ ସହ ବିବାହ କରିବାର କୌଣସି ଯୋଜନା ନଥିଲା। କାରଣ ସେହି ସମୟରେ ମୁଁ ନିଜକୁ ସହଜ ଅନୁଭବ କରିଥିଲି ଏବଂ ମୋର ପିଲା ଥିଲେ। ହେଲେ କିଛି ବର୍ଷ ପରେ ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା ଏବଂ ଅବଦୁଲ୍ଲା ୨୩ ବର୍ଷ ବୟସରେ ପୁଣି ଥରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ନିଜର ପ୍ରଥମ ପତ୍ନୀଙ୍କୁ ନିଜ ନିଷ୍ପତ୍ତି ବିଷୟରେ ଜଣାଇଥିଲେ। ତାଙ୍କର ପ୍ରଥମ ଏବଂ ଦ୍ଵିତୀୟ ପତ୍ନୀଙ୍କ ମଧ୍ୟରେ ବିବାଦ ହେବାରୁ ଅବଦୁଲ୍ଲା ତୃତୀୟ ଏବଂ ଚତୁର୍ଥ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲ। ପରେ ସେ ନିଜର ପ୍ରଥମ ଦୁଇ ପତ୍ନୀଙ୍କୁ ଛାଡପତ୍ର ଦେଇଥିଲେ।

ଅବଦୁଲ୍ଲା କହିଛନ୍ତି, ତାଙ୍କର ଅନେକ ବିବାହ କରିବାର କାରଣ ସେ ଏମିତି ଜଣେ ମହିଳାଙ୍କ ସନ୍ଧାନରେ ଥିଲେ ଯିଏ ତାଙ୍କୁ ଖୁସିରେ ରଖି ପାରିବେ। ତାଙ୍କୁ ଶାରୀରିକ ସୁଖ ଦରକାର ନାହିଁ। ସେ ନିଜର ସମସ୍ତ ପତ୍ନୀଙ୍କ ପ୍ରତି ନିରପେକ୍ଷ ରହିବାକୁ ପୂରା ଉଦ୍ୟମ କରିଛନ୍ତି। ତାଙ୍କର ସବୁଠୁ ଛୋଟ ବୈବାହିକ ଜୀବନ ଗୋଟିଏ ରାତି ଯାଏଁ ଥିଲା। ୬୩ ବର୍ଷୀୟ ଅବଦୁଲ୍ଲା ଅଧିକାଂଶ ସାଉଦି ମହିଳାଙ୍କୁ ବିବାହ କରିଥିଲେ। ହେଲେ ବିଦେଶରେ ନିଜର ବିଜନେସ୍ ଟ୍ରିପ୍ ସମୟରେ ସେ ବିଦେଶୀ ମହିଳାଙ୍କୁ ବିବାହ କରିଥିବା କଥା ସ୍ଵୀକାର କରିଛନ୍ତି।

ସେ କହିଛନ୍ତି, ବିବାହ ପରେ ଜଣେ ପତ୍ନୀ ସହ ତିନିରୁ ଚାରି ମାସ ଯାଏଁ ରହୁଥିଲି। ମୁଁ ନିଜକୁ ସର୍ବଦା ଖରାପରୁ ବଞ୍ଚାଇବା ପାଇଁ ବିବାହ କରିଥିଲି।ଦୁନିଆରେ ପ୍ରତିଟି ପୁରୁଷଙ୍କ ଇଚ୍ଛା ଏମିତି ଜଣେ ମହିଳା ତାଙ୍କୁ ମିଳନ୍ତୁ ଯିଏ ଜୀବନର ସବୁ ସମୟରେ ନିଜ ପାଖରେ ଥିବେ। ସ୍ଥିରତା ଜଣେ ଯୁବ ମହିଳାଙ୍କ ସହ ରହେନି ବରଂ ଜଣେ ବଡ ମହିଳାଙ୍କ ସହିତ ମିଳିଥାଏ। ଏବେ ସେ ଆଉ ଜଣେ ମହିଳାଙ୍କ ସହ ବିବାହ କରିଛନ୍ତି ଏବଂ ପରବର୍ତ୍ତୀ ବିବାହର କୌଣସି ଯୋଜନା ନାହିଁ ବୋଲି ଅବଦୁଲ୍ଲା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.