ଫ୍ଲିପକାର୍ଟ ଠାରୁ ଅଲଗା ହେଲା ଫୋନ୍‌ପେ, ଆଇପିଓ ପାଇଁ କମ୍ପାନୀର ପ୍ରସ୍ତୁତି

Published By : Prameya-News7 Bureau | December 23, 2022 IST

ନୂଆଦିଲ୍ଳୀ, ୨୩/୧୨: ଫ୍ଲିପ୍‌କାର୍ଟ ଠାରୁ ଅଲଗା ହେଲା ଦିଗ୍ଗଜ ପେମେଣ୍ଟ ପ୍ଳାଟଫର୍ମ ଫୋନ୍‌ପେ। ଗୁରୁବାର ଏନେଇ ଏକ ମିଳିତ ବିବୃତ୍ତିରେ ସୂଚନା ଦିଆଯାଇଛି। ଅବଶ୍ୟ ଉଭୟ କମ୍ପାନୀ ଓ୍ବାଲମାର୍ଟ ଅଧୀନରେ ହିଁ ରହିବେ। ଫୋନପେ ପୂର୍ବରୁ ଫ୍ଲିପ୍‌କାର୍ଟର ଏକ ବ୍ୟବସାୟିକ ଅଂଶ ଭାବରେ ରହିଥିଲା। ୨୦୨୦ ରେ ଉଭୟ କମ୍ପାନୀ ଅଲଗା ହେବା ନେଇ ଘୋଷଣା କରାଯାଇଥିଲା।  ଆଉ ଏବେ ଏହାର ପ୍ରକିୟା ଶେଷ ହୋଇଛି। ୨୦୧୬ରେ ଫୋନପେର ଅଧିଗ୍ରହଣ କରିଥିଲା ଫ୍ଳିପ୍‌କାର୍ଟ।

କମ୍ପାନୀ ତରଫରୁ ଜାରି ବିବୃତ୍ତିରେ କୁହାଯାଇଛି ଓ୍ବାଲମାର୍ଟ ଅଧୀନରେ ହୋଇଥିବା ଚୁକ୍ତିରେ ଫ୍ଲିପ୍‌କାର୍ଟ ସିଙ୍ଗାପୁର ଏବଂ ଫୋନପେ୍ ସିଙ୍ଗାପୁରର ବର୍ତ୍ତମାନର ଶେୟାରଧାରୀ ସିଧାସଳଖ ଫୋନ୍‌ପେ ଇଣ୍ଡିଆରେ ଶେୟାର କିଣିଛନ୍ତି। ଏହାପରେ ଫୋନ୍‌ପେ ସଂପୂର୍ଣ୍ଣ ଭାବରେ ଏକ ଭାରତୀୟ କମ୍ପାନୀ ହେବାର ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି। ଏହି ପ୍ରକ୍ରିୟା ଚଳିତ ବର୍ଷ ଆରମ୍ଭ ହୋଇଥିଲା। ଉଭୟ କମ୍ପାନୀ ଅଲଗା ହେବା ଦ୍ବାରା ଏହା ନିବେଶକଙ୍କୁ ଭାରତୀୟ ଟେକ୍ ଇକୋସିଷ୍ଟମରେ ସାମିଲ୍ ହେବାର ନୂଆ ସୁଯୋଗ ଦେବ ବୋଲି କମ୍ପାନୀର ବିବୃତ୍ତିରେ କୁହାଯାଇଛି।

ସୂଚନାଯୋଗ୍ୟ, ଆସନ୍ତା ୧୮-୨୪ ମାସ ମଧ୍ୟରେ ଫୋନପେ ଏହାର ଆଇପିଓ ଆଣିବାକୁ ଯାଉଛି। ଏହି ଆଇପିଓ ଦ୍ବାରା କମ୍ପାନୀ ୧୩ ବିଲିୟନ ଡଲାର ଏକାଠି କରିବାନେଇ ଲକ୍ଷ୍ୟ ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.