ଫିଲପାଇନ୍ସ ମସବାଟରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୧
16/02/2023 at 4:18 PM

ମାନିଲା ୧୬।୨ : ଫିଲପାଇନ୍ସର ମସବାଟରେ ଗୁରୁବାର ଭୂମିକମ୍ପ ଅନୁଭୂତ ହୋଇଛି। ଲୋକେ ଶୋଇଥିବା ବେଳେ ପ୍ରତ୍ୟୁଷରେ ଅନୁଭୂତ କମ୍ପନର ତୀବ୍ରତା ୬.୧ ଥିଲା ବୋଲି ଆମେରିକୀୟ ଭୂ ଗର୍ଭୀୟ ସର୍ଭେକ୍ଷଣ (ୟୁଏସଜିଏସ) ଆକଳନ କରିଛନ୍ତି। ତେବେ ଭୂମିକମ୍ପ ଲାଗି ସୁନାମୀ ସତର୍କତା ଜାରି ହୋଇ ନାହିଁ। ୟୁଏସଜିଏସ୍ଙ୍କ ଅନୁସାରେ ଭୂମିକମ୍ପର ଉତ୍ପତିସ୍ଥଳ ମୁଖ୍ୟଦୀପ ମସବାଟର ଉସୋନ ନଗରପାଳିକା ମିଆଗା ନିକଟତମ ଗାଁରୁ ୭ ମାଇଲ ଦୂରରେ ଥିଲା। ତେବେ ଭୂମିକମ୍ପ ଯୋଗୁ ଦ୍ୱୀପରେ ଧନଜୀବନ ହାନୀର କୌଣସି ସୂଚନା ନାହିଁ।

ଏହା ପୂର୍ବରୁ ଗତ ଜାନୁୟାରୀ ୧୮ ତାରିଖରେ ମଧ୍ୟ ଫିଲପାଇନ୍ସର ଦକ୍ଷିଣ ଭାଗରେ ଭୂମି କମ୍ପ ଅନୁଭୂତ ହୋଇଥିଲା। ସେତେବେଳେ ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୩ ମପା ଯାଇଥିଲା। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଗୁରୁବାର ଭୋର ଅନୁଭୂତ ହୋଇଥିବା କମ୍ପନରେ ଲୋକେ ନିଦରୁ ଉଠିପଡିଥିଲେ ଓ ଘରୁ ପଦାକୁ ବାହାରି ଆସିଥିଲେ। ଦିମାସାଙ୍ଗ ନଗର ପାଳିକାର ବିପର୍ଯ୍ୟୟ ପ୍ରବନ୍ଧନ ଅଧିକାରୀ ଗ୍ରେଗୋରିୟୋ ଏଡିଗ ଭୂମିକମ୍ପ ପ୍ରାୟ ଘଣ୍ଟାକ ପରେ ପରବର୍ତ୍ତି କମ୍ପନ ଅନୁଭୂତ ହୋଇଥିବା କହିଛନ୍ତି।

ଏଡିଗଙ୍କ ଅନୁସାରେ ପରବର୍ତ୍ତି କମ୍ପନ (ଆଫ୍ଟ ସକ୍) ମଧ୍ୟ ପ୍ରଥମେ ଅନୁଭୂତ ଭୂମିକମ୍ପ ଭଳି ଜୋରଦାରଥିଲା। ତେବେ ଭୂମିକମ୍ପ ଯୋଗୁ କୌଣସି ଠାରେ ଘରଦ୍ୱାର କୋଠାବାଡି କ୍ଷତିଗ୍ରସ୍ତ ହୋଇଥିବାର ସୂଚନା ମିଳି ନାହିଁ। ହେଲେ ଅଞ୍ଚଳର ସମସ୍ତ ବିଦ୍ୟାଳୟକୁ ଗୁରୁବାର ବନ୍ଦ ରଖାଯାଇଛି। ଏଡିଗଙ୍କ ସୂଚନା ଅନୁସାରେ ସବୁ ଗାଁର ବିଦ୍ୟାଳୟ ଗୃହ ଗୁଡିକର ଯାଞ୍ଚ ପରେ ବିଦ୍ୟାଳୟ ଖୋଲିବ। ମସବାଟ ଶିକ୍ଷା ବିଭାଗ ମଧ୍ୟ ଭୂମିକମ୍ପ ପରେ ବାରମ୍ବାର ପରବର୍ତ୍ତି କମ୍ପନକୁ ଧ୍ୟାନରେ ରଖି ଦ୍ୱୀପର ସବୁ ବିଦ୍ୟାଳୟ ବନ୍ଦ ଘୋଷଣା କରିଛନ୍ତି।