ବୁଧବାର ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବ ଘୂର୍ଣ୍ଣିଝଡ ଭାମକୋ, ୧୫୫ କିମି ବେଗରେ ବହିବ ପବନ, ହଜାର ସଂଖ୍ୟକ ଲୋକଙ୍କ ସ୍ଥାନାନ୍ତର ଆଦେଶ ଦେଲେ ସରକାର
11/11/2020 at 7:08 PM

ମାନିଲା ୧୧।୧୧: ସାମୁଦ୍ରିକ ଝଡତୋଫାନ ଭାମକୋ ଅଧିକ ଘନୀଭୂତ ହୋଇ ସ୍ଥଳଭାଗ ଅଭିମୁଖେ ମାଡି ଆସୁଛି। ଏହାକୁ ଦୃଷ୍ଟିରେ ରଖି ଫିଲିପାଇନ୍ସ ସରକାର ପୂର୍ବତଟରେ ବସବାସ କରୁଥିବା ହଜାର ସଂଖ୍ୟକ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଆଦେଶ ଦେଇଛନ୍ତି। ଦେଶରେ ଚଳିତ ବର୍ଷ ଆସିଥିବା ବିଶ୍ଵର ସବୁଠୁ ଶକ୍ତିଶାଳୀ ବାତ୍ୟାକୁ କିଛି ସପ୍ତାହ ନପୂରୁଣ ପୁଣି ଥରେ ଆଉ ଏକ ଘୂର୍ଣ୍ଣିଝଡ ଭାମକୋ ପୂର୍ବତଟରେ ମାଡ ହେବାକୁ ଯାଉଛି।
ଭାମକୋ ଘଣ୍ଟା ପ୍ରତି ୧୨୫ କିମି ବେଗରେ ସ୍ଥଳଭାଗ ଅଭିମୁଖେ ମୁହାଁଇଛି। ବୁଧବାର ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୫୫ କିମି ରହିବ ବୋଲି ଦେଶର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଦେଶର କେଟଲେଣ୍ଡସ ରାଜ୍ୟର ଗଭର୍ଣ୍ଣର ଜୋଶେଫ କୁଆ କହିଛନ୍ତି ଯେ, କିଛି ସପ୍ତାହ ତଳେ ଆସିଥିବା ଭୟଙ୍କର ଘୂର୍ଣ୍ଣି ଝଡରେ ବ୍ୟାପକ କ୍ଷତି ଘଟିଛି। ଏହାର ୧ ପ୍ରତିଶତ ଭରଣା ନହେଉଣୁ ପୁଣି ଆଉ ଏକ ସାମୁଦ୍ରିକ ଝଡ ଆସୁଛି।
କେଟଲେଣ୍ଡସ ଦ୍ଵୀପ ଏବଂ ରାଜଧାନୀ ମାନିଲାର ଦକ୍ଷିଣ-ପୂର୍ବରେ ସ୍ଥିତ ଅଲବେ ନିକଟରେ ଅକ୍ଟୋବର ଶେଷ ଆଡକୁ ଘୂର୍ଣ୍ଣିଝଡ ଗୋନି ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା। ଏଥିରେ ୨୫ ଜଣଙ୍କ ପ୍ରାଣହାନୀ ଘଟିବା ସହିତ ୬ ଜଣ ନିଖୋଜ ହୋଇଥିଲେ।
ବୁଧବାର ସନ୍ଧ୍ୟାରେ ଭାମକୋ ପୋଲିଲୋ ଦ୍ୱୀପରେ ସ୍ଥଳଭାଗ ଛୁଇଁବ। ପରେ ଗୁରୁବାର ଫିଲିପାଇନ୍ସର ଲୁଜନ ଦ୍ୱୀପ ଅତିକ୍ରମ କରିବା ପୂର୍ବରୁ ରାଜଧାନୀର ଉତ୍ତରରେ ବ୍ୟାପକ ଚାଉଳ ଉତ୍ପାଦନ କରୁଥିବା ରାଜ୍ୟରେ ପ୍ରବେଶ କରିବ ବୋଲି ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ତଟୀୟ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଘର ଛାଡି ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି ବୋଲି ପୋଲିଲୋର ମେୟର କ୍ରିଷ୍ଟନିଆ ବୋସକ୍ୟୁ କହିଛନ୍ତି। କିନ୍ତୁ ଆଶ୍ରୟ ସ୍ଥଳରେ କରୋନା ସଂକ୍ରମଣକୁ ରୋକିବା ଆମ ପାଇଁ ବଡ ଚ୍ୟାଲେଞ୍ଜ ବୋଲି ମେୟର କହିଛନ୍ତି।
୭୬୦୦ ଦ୍ଵୀପକୁ ନେଇ ଗଠିତ ଫିଲିପାଇନ୍ସ ଦେଶ ସାଧାରଣ ପ୍ରତି ବର୍ଷ ୨୦ ଘୂର୍ଣ୍ଣିଝଡର ସମ୍ମୁଖୀନ ହୋଇଥାଏ। ଘୂର୍ଣ୍ଣିଝଡ ଭାମକୋ ଫିଲିପାଇନ୍ସ ଅତିକ୍ରମ କରିବା ପରେ ଭିଏତନାମର ମଧ୍ୟ କ୍ଷେତ୍ର ଅଞ୍ଚଳ ଅଭିମୁଖେ ଗତି କରିବାର ଆଶା ରହିଛି।
ସରକାରୀ ସୂଚନା ଅନୁଯାୟୀ, ଗତ ଗୋଟିଏ ମାସରେ ବନ୍ୟା ଓ ଭୂସ୍ଖଳନ କାରଣରୁ ଏହି ଅଞ୍ଚଳରେ ଅତି କମରେ ୧୬୦ ଜଣଙ୍କ ପ୍ରାଣହାନୀ ଘଟି ସାରିଛି ଏବଂ ୨୪ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଏଥିସହ ୩ ଲକ୍ଷ ୯୦ ହଜାର ଘର କ୍ଷତିଗ୍ରସ୍ତ ହୋଇଥିବା ସରକାରୀ ସୂତ୍ରରୁ ପ୍ରକାଶ।