ଆସିଷ୍ଟାଣ୍ଟ ପ୍ରଫେସର ହେବା ପାଇଁ ଦରକାର ନାହିଁ PhD, ଜାଣନ୍ତୁ ୟୁଜିସିର ନୂଆ ନିୟମ
12/03/2023 at 10:57 PM

ନୂଆଦିଲ୍ଲୀ, ୧୨/୦୩: କଲେଜ୍ କିମ୍ବା ବିଶ୍ବବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରଫେସର ହେବା ପାଇଁ ଇଚ୍ଛୁକ ଥିବା ଆଶାୟୀଙ୍କ ପାଇଁ ଆଶ୍ବସ୍ତିକର ଖବର। ବିଶ୍ବବିଦ୍ୟାଳୟ ଏବଂ କଲେଜ୍ରେ ଆସିଷ୍ଟାଣ୍ଟ ପ୍ରଫେସର ପଦରେ ନିଯୁକ୍ତି ପାଇଁ ପିଏଚଡି ବାଧ୍ୟତାମୂଳକ ହେବ ନାହିଁ। ଏଥିପାଇଁ ଏବେ କେବଳ UGC NET ପରୀକ୍ଷାରେ ଯୋଗ୍ୟତା ପର୍ଯ୍ୟାପ୍ତ ହେବ। ଏନେଇ ବିଶ୍ବବିଦ୍ୟାଳୟ ଗ୍ରାଣ୍ଟ କମିଶନ ଅର୍ଥାତ୍ ୟଜିସିର ଚେୟାରମ୍ୟାନ୍ ଏମ ଜଗଦୀଶ କହିଛନ୍ତି ଯେ ନୂଆ ନିୟମ ଅନୁଯାୟୀ କୌଣସି କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ହେବା ପାଇଁ ପିଏଚଡି ଜରୁରୀ ନୁହେଁ। ଓସମାନିଆ ବିଶ୍ବବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ୟୁଜିସି ଅଧ୍ୟକ୍ଷ ଏହି ସୂଚନା ଦେଇଛନ୍ତି।
ଏହା ପୂର୍ବରୁ ବିଶ୍ବବିଦ୍ୟାଳୟରେ ପଢ଼ାଇବା ପାଇଁ ପିଏଚଡି ଡିଗ୍ରୀ ବାଧ୍ୟତାମୂଳକ ଥିଲା। କିନ୍ତୁ ଏବେ ନୂଆ ନିୟମରେ ଛାତ୍ରଙ୍କୁ ଆଶ୍ବସ୍ତି ମିଳିବ। ୟୁଜିସି ଚେୟାରମ୍ୟାନ୍ କହିଛନ୍ତି ଏକ ରାଷ୍ଟ୍ର-ଏକ ଡାଟା ପୋର୍ଟାଲ ବିକଶିତ କରାଯାଉଛି ଯେଉଁଥିରେ ୟୁଜିସିର ସବୁ ମାର୍ଗଦର୍ଶିକା ଏବଂ ଅନ୍ୟ ବିବରଣ ରହିବ। ସେ ଆହୁରି କହିଛନ୍ତି ଯେ ଆସନ୍ତା ଶିକ୍ଷାବର୍ଷରୁ ଶିକ୍ଷାର ପାରମ୍ପରିକ ପଦ୍ଧତି ସହ ଜାତୀୟ ଡିଜିଟାଲ ବିଶ୍ବବିଦ୍ୟାଳୟ ମାଧ୍ୟମରେ ଗୁଣବତ୍ତାପୂର୍ଣ୍ଣ ଶିକ୍ଷା ଛାତ୍ରଙ୍କୁ ପହଞ୍ଚାଯିବ।
ନିକଟରେ ୟୁଜିସି ତରଫରୁ ପିଏଚଡି ପାଠ୍ୟକ୍ରମକୁ ନେଇ ନୂଆ ନିୟମ ଲାଗୁ କରାଯାଇଥିଲା। ନୂଆ ନିୟମ ଅନୁଯାୟୀ ପିଏଚଡି ପାଇଁ ଆଶାୟୀଙ୍କୁ ଆଡମିଶନର ତାରିଖ ଠାରୁ ସର୍ବାଧିକ ଛଅ ବର୍ଷର ସମୟ ଦିଆଯିବ। ଆଶାୟୀଙ୍କୁ ପୁନଃ-ପଞ୍ଜୀକରଣ ଦ୍ବାରା ଅଧିକରୁ ଅଧିକ ଦୁଇ ବର୍ଷ ଅଧିକ ସମୟ ଦିଆଯିବ। ନୂଆ ନିୟମରେ ଅନଲାଇନ କିମ୍ବା ଡିଷ୍ଟାନ୍ସ ପାଠ୍ୟକ୍ରମ ଦ୍ବାର ପିଏଚଡି ଉପରେ ରୋକ୍ ଲଗାଯାଇଛି। ଏହା ପୂର୍ବରୁ ଥେସିସ୍ ଜମା କରିବାକୁ ପଡ଼ିଥାଏ। ଏବେ ନୂଆ ନିୟମ ଅନୁଯାୟୀ ଏଥିରେ ଛାଡ଼ ଦିଆଯାଇଛି। ରିସର୍ଚ୍ଚ ପକ୍ରିୟା ସମୟରେ ଦୁଇଟି ରିସର୍ଚ୍ଚ ପେପର ଛାପିବା ବାଧ୍ୟତାମୂଳକତା ସମାପ୍ତ କରାଯାଇଛି।