ଫାର୍ମାସିଷ୍ଟଙ୍କ ପାଇଁ ଖୁସି ଖବର, ଲାଗୁ ହେଲା ଏହି ଆଇନ୍
15/03/2023 at 7:15 PM

ପଟନା: ବିହାରରେ ଲାଗୁ ହେଲା ଫାର୍ମାସି ପ୍ରାକ୍ଟିସ୍ ରେଗୁଲେସନ ଆଇନ। ଏହି ଆଇନ ବଳରେ ଫାର୍ମାସିଷ୍ଟମାନେ ରୋଗୀଙ୍କୁ ଔଷଧ ସମ୍ପର୍କରେ ସମସ୍ତ ସୂଚନା ଦେଇପାରିବେ। ଔଷଧର ନାଁ ସହ ଔଷଧ ନେବାର ପ୍ରକ୍ରିୟା, ଏହାର ମାତ୍ରା, ଷ୍ଟୋର କରି ରଖିବାର ପ୍ରକ୍ରିୟା ଓ ଔଷଧ ନ ନେଇପାରିଲେ ରୋଗୀ କଣ କରିବେ ? ଆଦି ଏସବୁ ବିଷୟରେ ରୋଗୀଙ୍କୁ ପରାମର୍ଶ ଦେଇପାରିବେ। ତେବେ ଡାକ୍ତରଙ୍କ ଭଳି ଔଷଧ ଲେଖିପାରିବେ ନାହିଁ ବୋଲି ଆଇନ୍ରେ ଉଲ୍ଲେଖ ରହିଛି।
ଏହି ନିୟମ ଲାଗୁ କରିବାରେ ବିହାର ଚତୁର୍ଥ ରାଜ୍ୟ ହୋଇଛି। ଏହା ପୂର୍ବରୁ କେରଳ, କର୍ଣ୍ଣାଟକ, ଓ ଦିଲ୍ଲୀରେ ଏହି ନିୟମ ଲାଗୁ ହୋଇଥିଲା। ତେବେ ବିହାରରେ ଏହି ନିୟକୁ ମଞ୍ଜୁରୀ ମିଳିବା ପରେ ଫାର୍ମାସିଷ୍ଟମାନେ ଖୁସୀ ବ୍ୟକ୍ତ କରିଛନ୍ତି। ଏହି ନିୟମକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ଦ୍ୱନ୍ଦ୍ୱ ରହିଛି। ନିୟମ ଲାଗୁ ହେବା ପରେ ଫାର୍ମାସିଷ୍ଟମାନେ ନିଜର କ୍ଲିନିକ୍ ଖୋଲି ଔଷଧ ଦେବେ ବୋଲି କୁହାଯାଉଛି। ଏହା ଆଦୌ ସତ୍ୟ ନୁହେଁ। ଫାର୍ମାସିଷ୍ଟମାନଙ୍କୁ ଏପରି ଅଧିକାର ଦିଆଯାଇ ନାହିଁ। ଆଇନ ବିଷୟରେ ସରଳ ଭାଷାରେ ବୁଝନ୍ତୁ।
୨୦୧୫ରେ ଏହି ପାର୍ମାସିଷ୍ଟ ପ୍ରାକ୍ଟିସ୍ ରେଗୁଲେସନ ଆକ୍ଟ ଅଣାଯାଇଥିଲା। ଫାର୍ମାସିଷ୍ଟ ଅଭ୍ୟାସକୁ ଉନ୍ନତ କରିବା ପାଇଁ ଫାର୍ମାସି କାଉଁସିଲ ଅଫ୍ ଇଣ୍ଡିଆ ଏହି ଆଇନ୍ ଅଣିଥିଲେ। ସହଜ ଭାଷାରେ କହିବାକୁ ଗଲେ ଔଷଧ ଦୋକାନ ଦେଇଥିବା ଫାର୍ମାସିଷ୍ଟଙ୍କୁ ନେଇ ଏହି ନିୟମ ରହିଛି। ଏଥିରେ ଫାର୍ମାସିଷ୍ଟର ଦାୟିତ୍ୱ କଣ ହେବ ସେ ନେଇ ମାପଦଣ୍ଡ ରହିଛି। ୨୦୨୧ରେ ଏହି ନିୟମକୁ ଅପ୍ଡେଟ୍ ବି କରାଯାଇଥିଲା।
ଫାର୍ମାସି ପ୍ରାକ୍ଟିସ୍ ରେଗୁଲେସନ ଆଇନରେ ଔଷଧ ପାଇଁ ପରାମର୍ଶ ଦେବାକୁ ଫାର୍ମାସିଷ୍ଟମାନେ ଫିସ୍ ନେବାକୁ ଅନୁମତି ରହିଛି। ତେବେ ସେମାନେ କେବଳ ପରାମର୍ଶ ଦେଇପାରିବେ ହେଲେ ଔଷଧ ଲେଖିପାରିବେ ନାହିଁ।