ଭାରତରେ କୋଭିଡ-୧୯ ଭାକସିନ ବ୍ୟବହାର ପାଇଁ ଅନୁମତି ମାଗିଲା ଫାଇଜର୍, ପୂର୍ବରୁ ବ୍ରିଟେନ୍ ଓ ବାହାରିନ୍ ଦେଇଛନ୍ତି ମଞ୍ଜୁରୀ

Published By : Prameya-News7 Bureau | December 06, 2020 IST

ନୂଆଦିଲ୍ଲୀ,୦୬/୧୨:  ଔଷଧ ପ୍ରସ୍ତୁତ କରୁଥିବା କମ୍ପାନୀ ଫାଇଜର୍ ଭାରତୀୟଙ୍କ ପାଇଁ ବିକଶିତ କରିଥିବା କୋଭିଡ୍-୧୯ ଭାକସିନର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମାଗିଛି । କମ୍ପାନୀ ଭାରତୀୟ ଔଷଧ ମହାନିୟନ୍ତ୍ରକ ବା ଡିସିଜିଆଇଙ୍କୁ ଅନୁମତି ପ୍ରଦାନ ପାଇଁ ଆବେଦନ କରିଛି । ଟିକାକୁ ବ୍ରିଟେନ୍ ଓ ବାହାରିନରେ ଅନୁମତି ମିଳିବା ପରେ କମ୍ପାନୀ ଭାରତ ସରକାରଙ୍କୁ ମଧ୍ୟ ଅନୁମତି ପାଇଁ ଅନୁରୋଧ କରିଛି ।

ସୂତ୍ରାନୁସାରେ, କମ୍ପାନୀ ନିଜ ଆବେଦନରେ କହିଛି ଯେ, ଟିକାକୁ ଜରୁରୀକାଳିନ ପ୍ରୟୋଗ ପାଇଁ ମଞ୍ଜୁରି ଦିଆଯାଉ । ଏହାସହ ଔଷଧ ଓ କ୍ଲିନିକାଲ ପରୀକ୍ଷଣ ନିୟମ-୨୦୧୯ର ସ୍ୱତନ୍ତ୍ର ପ୍ରାବଧାନ ଆଧାରରେ ଭାରତର ଜନସଂଖ୍ୟା ଉପରେ କ୍ଲିନିକାଲ ପରୀକ୍ଷଣରେ ରିହାତି ଦେବାକୁ ମଧ୍ୟ ଅନୁରୋଧ କରାଯାଇଛି ।

ଆଉ ଏକ ସୂତ୍ରାନୁସାରେ, ଫାଇଜର ଇଣ୍ଡିଆ ଭାରତରେ କୋଭିଡ-୧୯ ଭାକସିନ ପ୍ରୟୋଗକୁ ମଞ୍ଜୁରୀ ପ୍ରଦାନ ପାଇଁ ଡିସେମ୍ବରରେ ଡିଜିସିଆଇ ସମ୍ମୁଖରେ ଆବେଦନ କରିଛି । ବ୍ରିଟେନ ବୁଧବାର ଫାଇଜରକୁ ଭାକସିନର ଉପଯୋଗ ପାଇଁ ଅସ୍ଥାୟୀ ମଞ୍ଜୁରୀ ପ୍ରଦାନ କରିଥିଲା । ବ୍ରିଟେନ ପରେ ବାହାରିନ୍ ମଧ୍ୟ ଶୁକ୍ରବାର ଫାଇଜରକୁ ଅନୁମତି ପ୍ରଦାନ କରିଥିଲା । ଏହାପରେ କମ୍ପାନୀ ଓ ଏହାର ସହଯୋଗୀ ବାୟୋଏନଟେକ୍ ଦ୍ୱାରା ବିକଶିତ ଭାକସିନକୁ ଭାରତରେ ପ୍ରୟୋଗ ପାଇଁ ଆବେଦନ କରିଛି । କମ୍ପାନୀ ଆମେରିକାରେ ମଧ୍ୟ ଅନୁମତି ପାଇଁ ଆବେଦନ କରିଛି ।

ସୂଚନାଯୋଗ୍ୟ, ଫାଇଜର ଭାକସିନକୁ -୭୦ ଡିଗ୍ରୀରେ ରଖିବା ଆବଶ୍ୟକ । ଏପରି ସ୍ଥିତିରେ ଭାରତର ପାଣିପାଗ କୌଣସି ଚ୍ୟାଲେଞ୍ଜଠୁ କମ୍ ନୁହେଁ । ଏହାସହ ଭାରତରେ ଫାଇଜରର କ୍ଲିନିକାଲ ଟ୍ରାଏଲ ମଧ୍ୟ ହୋଇନାହିଁ । ତେବେ କେନ୍ଦ୍ର ସରକାର ଅକ୍ସଫୋର୍ଡ-ଅଷ୍ଟ୍ରାଜେନେକା ଟିକା ଉପରେ ନଜର ରଖିଛନ୍ତି । ଯାହା ଭାରତରେ ସେରମ୍ ଇନଷ୍ଟିଚ୍ୟୁଟ୍ ପ୍ରସ୍ତୁତ କରୁଛି । ଆଉ କିଛି ସପ୍ତାହରେ ଏହି ଟିକା ଆସିଯିବ ବୋଲି ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.