ଭାରସାମ୍ୟ ହରାଇ ଓଲଟିଲା ପେଟ୍ରୋଲ ଟ୍ୟାଙ୍କର, ଜାରି ରହିଛି ଉଦ୍ଧାର କାର୍ଯ୍ୟ

Published By : Prameya-News7 Bureau | December 08, 2022 IST

ଧର୍ମଗଡ଼,୦୮/୧୨: ଜାତୀୟ ରାଜପଥ ୨୬ କଳାହାଣ୍ଡି-ନବରଙ୍ଗପୁର ସୀମାନ୍ତ ଆମପାଣି ଘାଟିରେ ଭାରସାମ୍ୟ ହରାଇ ଏକ ପେଟ୍ରୋଲ ଟ୍ୟାଙ୍କର ଓଲଟି ପଡ଼ିିଛି । ଟ୍ୟାଙ୍କରରୁ ପେଟ୍ରୋଲ ଲିକେଜ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି l ସୂଚନା ଅନୁଯାଇ ପାରାଦ୍ୱୀପରୁ ବୋରିଗୁମ୍ମା ଅଭିମୁଖେ ଏକ ପେଟ୍ରୋଲ ଟ୍ୟାଙ୍କର ଯିବା ସମୟରେ କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣି ଘାଟିର ଏକ ବୁଲାଣିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଟ୍ୟାଙ୍କରରୁ ପେଟ୍ରୋଲ ନିର୍ଗତ ହୋଇ ରାସ୍ତାରେ ବୋହି ଯାଉଥିବା ଦେଖିବାକୁ ମିଳିଥିଲା l

ଖବର ପାଇ ଘଟଣାସ୍ଥଳରେ ଆମପାଣି ପୋଲିସ, କୋକସରା ଏବଂ ନବରଙ୍ଗପୁର ଅଗ୍ନିଶ୍ରମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ କୌଣସି ଅଘଟଣ ନହେବ ସେଥିପାଇଁ ଦୁର୍ଘଟଣା ହୋଇଥିବା ସ୍ଥାନରୁ ଏକ କିଲୋମିଟର ଦୂରରେ ଗାଡି ଗୁଡିକୁ ଅଟକାଉଛନ୍ତି । ରାସ୍ତା ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି l ସୂଚନା ଅନୁଯାୟୀ ବର୍ତ୍ତମାନ ଘଟଣା ସ୍ଥଳରେ ଭବାନୀପାଟଣାରୁ ଏକ ବିଶେଷଜ୍ଞ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହିତ ଦୁଇଟି କ୍ରେନ ଏବଂ ଗୋଟିଏ ଜେସିବି ମାଧ୍ୟମରେ ଟ୍ୟାଙ୍କରକୁ ରାସ୍ତାରୁ ଉଠାଇବା ପାଇଁ ଚେଷ୍ଟା ଜାରି ରହିଛି l

ଦୀର୍ଘ ୮ ଘଣ୍ଟା ପରେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ରାସ୍ତା ବନ୍ଦ ଥିବାରୁ ଗାଡି ଚଳାଚାଳ ବନ୍ଦ ରହିଛି । ଫଳରେ ଅନେକ ସମସ୍ୟା ଦେଖିବାକୁ ମିଳିଛି l ଘଟଣାସ୍ଥଳରେ ପ୍ରଶାସନ ପକ୍ଷରୁ ଧର୍ମଗଡ ଉପଜିଲ୍ଲାପାଳ, ଧର୍ମଗଡ SDPO, କୋକସରା BDO ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ସ୍ଥିତି ଅନୁଧ୍ୟାନ କରୁଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.