କରଞ୍ଜିଆ, ୨୩|୧୧ : ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ କିଛି ମାସ ହେବ ହାତୀ ଉପଦ୍ରବ ଲାଗି ରହିଛି । ସୋମବାର ବିଳମ୍ବିତ ରାତିରେ ୪୯ ନଂ ଜାତୀୟ ରାଜପଥର ସିଙ୍ଗିଡା ନିକଟରେ କିଛି ସମୟ ଧରି ହାତୀ ଆତଙ୍କ ଲାଗି ରହିଥିଲା । ଏପରିକି ସିଙ୍ଗିଡା ପେଟ୍ରୋଲ ପମ୍ପକୁ ଗୋଟିଏ ଦନ୍ତା ହାତୀ ପଶି ଯିବାରୁ ଲୋକେ ଭୟଭୀତ ହୋଇ ଯାଇଥିଲେ । ଯାହା ଫଳରେ ରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ଯାଇଥିଲା ।ହାତୀପଲଙ୍କୁ ଦେଖି ସ୍ଥାନୀୟ ଲୋକମାନେ ମଧ୍ୟ ଆତଙ୍କିତ ଅବସ୍ଥାରେ ଅଛନ୍ତି ।
ସୂଚନାନୁସାରେ, କରଞ୍ଜିଆ ବନଖଣ୍ଡରେ ୨୬ ଟିକିଆ ଝାଡଖଣ୍ଡୀ ହାତୀପଲ ଡେରା ପକାଇଛନ୍ତି। ଦିନ ବେଳା ସେମାନେ ଜଙ୍ଗଲରେ ରହୁଛନ୍ତି ଓ ଠିକ ସନ୍ଧ୍ୟା ସମୟରେ ବାହାରି ଧାନ ଫସଲ ଖାଇବା ସହିତ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି । ଯାହାକୁ ନେଇ ଚାଷୀମାନେ ଚିନ୍ତାରେ ପଡିଛନ୍ତି ।
କରଞ୍ଜିଆ ରେଞ୍ଜ ଅଫିସର ଙ୍କ ସୂଚନା ଅନୁଯାୟୀ, ଦୁଧିଆଣି ରେଞ୍ଜ ଅଧୀନ ବାଘଦଫା ନିକଟରେ ଥିବା ଜଙ୍ଗଲରେ ୨୫ଟି ହାତୀ ରହିଛନ୍ତି । ସେହିପରି ସିଙ୍ଗିଡା ଫରେଷ୍ଟ ଅଧୀନରେ ଗୋଟିଏ ଦନ୍ତା ହାତୀ ଘୁରି ବୁଲୁଛି । କେବଳ ଫସଲ ଛାଡିଦେଲେ ହାତୀପଲ ଆଉ କୌଣସି କ୍ଷୟକ୍ଷତି କରି ନଥିବା ସୂଚନା ଦେଇଛନ୍ତି ରେଞ୍ଜ ଅଫିର । ତେବେ ହାତୀପଲଙ୍କୁ ଘଉଡାଇବା ପାଇଁ ବନବିଭାଗ ସମସ୍ତ ଉଦ୍ୟମ ଜାରି ରଖିଛି ।